ଶ୍ରଦ୍ଧାଳୁଙ୍କ ପାଇଁ ଫେବ୍ରୁଆରି ପହିଲାରୁ ‌ଖୋଲିବ ବଡ଼ଦେଉଳ

ପୁରୀ: ତିନି ଦିନ ପରେ ପୁଣି ଥରେ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବ। ସିଂହଦ୍ବାର ଆଗରେ ପୁଣି ଲୋକାରଣ୍ୟ ଦେଖାଯିବ। ହରିବୋଲ ଓ ହୁଳହୁଳିରେ ଶ୍ରୀମନ୍ଦିର କମ୍ପିବ। ଆସନ୍ତା ଫେବ୍ରୁଆରୀ ୧ ତାରିଖ ଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବ। ଏନେଇ ଆଜି ଅପରାହ୍ନରେ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି। ଛତିଶା ନିଯୋଗ ବୈଠକରେ ହୋଇଥିବା ନିଷ୍ପତ୍ତି କ୍ରମେ ପୁରୀ ଜିଲ୍ଲାପାଳ ଶ୍ରୀମନ୍ଦିର ଖୋଲିବା‌ ନେଇ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।

ଆଜି ଅପରାହ୍ନ ସାଢ଼େ ୪ଟାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‌ କୁମାରଙ୍କ ଅଧ୍ୟକ୍ଷତାରେ ଛତିଶାନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ଭର୍ଚୁଆଲ୍‌ ମୋଡ୍‌ରେ ଅନୁଷ୍ଠିତ ହୋଇଥିଲା। କୋଭିଡ କଟକଣା ମଧ୍ୟରେ ଭକ୍ତମାନେ ଶ୍ରୀଜିଉଙ୍କ ଦର୍ଶନ କରିବେ। ପୂର୍ବରୁ ଜାରି ହୋଇଥିବା ଏସ୍‌ଓପି ଅନୁସାରେ ଦର୍ଶନ ବ୍ୟବସ୍ଥା ରହିବ। ପ୍ରତି ରବିବାର ଶ୍ରୀମନ୍ଦର ସାଧାରଣ ଭକ୍ତଙ୍କ ଲାଗି ବନ୍ଦ ରହିବ।

ସୂଚନାଯୋଗ୍ୟ, ରାଜ୍ୟରେ ଚଳିତ ମାସ ପ୍ରଥମ ସପ୍ତାହରେ କରୋନା ସଂକ୍ରମଣ ହଠାତ୍‌ ବଢ଼ିବା କାରଣରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶକଙ୍କ ପାଇଁ କଟକଣା ଲାଗୁ କରାଯାଇଥିଲା। ୧୦ ତାରିଖ ଠାରୁ ଜାନୁଆରି ୩୧ ତାରିଖ ଯାଏଁ କଟକଣା ବଢ଼ାଇବାକୁ ନିଷ୍ପତ୍ତି ନିଆଯାଇଥିଲା। ଏବେ କରୋନାର ଦୈନିକ ସଂକ୍ରମଣ ହ୍ରାସ ପାଇଥିବାରୁ ଶ୍ରୀମନ୍ଦିର ପ୍ରଶାସନ ପୁଣି ଥରେ ସାଧାରଣ ଭକ୍ତଙ୍କୁ ଶ୍ରୀଜିଉଙ୍କ ଦର୍ଶନ କରାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି।

 

ସମ୍ବନ୍ଧିତ ଖବର