ପୁରୀର ଟିକି ଖାନ ଏନ୍‌କାଉଣ୍ଟର ଘଟଣା : ମାନବାଧିକାର କମିସନରେ ଫେରାଦ ହେଲେ ପତ୍ନୀ

ଭୁବନେଶ୍ବର : ପୁରୀ ପୁଲିସ ଏନକାଉଣ୍ଟର କରିଥିବା ଟିକି ଖାନଙ୍କ ପତ୍ନୀ ବିଜୟଲକ୍ଷ୍ମୀ ପଣ୍ଡା ଆଜି ରାଜ୍ୟ ମାନବାଧିକାର କମିସନଙ୍କ ନିକଟରେ ଫେରାଦ ହୋଇଛନ୍ତି। ଅଭିଯୋଗ କରିଛନ୍ତି, ଏହା ଏକ ଫେକ୍‌ ଏନ୍‌କାଉଣ୍ଟର। କାରଣ ଟିକି ତାଙ୍କ ବ୍ୟବସାୟ ପ୍ରତିଷ୍ଠାନରେ ବସିଥିବା ବେଳେ ପୁରୀ ପୁଲିସ ତାଙ୍କୁ ଉଠାଇନେଇ ରାତିରେ ଏନ୍‌କାଉଣ୍ଟର କରିଥିଲା। ସ୍ବାମୀ ଟିକି ଏବେ ଅପରାଧ ଜଗତ ସହିତ ସଂପୃକ୍ତ ନ ଥାଇ ମଧ୍ୟ ପୁଲିସ ତାଙ୍କୁ ଜଣେ ଦୁର୍ଦାନ୍ତ ଅପରାଧୀ ଦର୍ଶାଇ ଏଭଳି ଏନ୍‌କାଉଣ୍ଟର କରିଛି। କମିସନ୍‌ ଏହି ଘଟଣାକୁ ଗୁରୁତ୍ବର ସହ ନେଇ ତାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ବିଜୟଲକ୍ଷ୍ମୀ କମିସନଙ୍କ ନିକଟରେ ଗୁହାରି କରିଛନ୍ତି। ବିଜୟଲକ୍ଷ୍ମୀଙ୍କ କହିବା ମୁତାବକ, ପୁଲିସ ତାଙ୍କ ସ୍ବାମୀକୁ ଗୁଳି କରି କଟକ ବଡ଼ ମେଡିକାଲରେ ଭର୍ତି କରାଇଛି। କିନ୍ତୁ ତାଙ୍କ ଚିକିତ୍ସା ଖର୍ଚ ବୁଝୁ ନାହିଁ। ଫଳରେ ଏବେ ତାଙ୍କ ଗୋଡ଼ରେ ଅପରେସନ୍‌ ହୋଇପାରିନାହିଁ। ତେଣୁ ତାଙ୍କ ଚିକିତ୍ସା ତୁରନ୍ତ କରିବା, ତାଙ୍କୁ ଗିରଫ କରାଯିବା ସମ୍ପର୍କରେ ପୁଲିସ ଆମକୁ ବିଧିବଦ୍ଧ ସୂଚନା ଦେବା, ଏନ୍‌କାଉଣ୍ଟର କରିଥିବା ପୁଲିସ ଅଧିକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆଦି ଦାବି କରିଛନ୍ତି। ବିଜୟଲକ୍ଷ୍ମୀଙ୍କ ପକ୍ଷରୁ ଆଇନଜୀବୀ ଜ୍ଞାନ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି। ଉଲ୍ଲେଖଯୋଗ୍ୟ, ଚଳିତ ମାସ ୯ ତାରିଖରେ ପୁରୀ ପୁଲିସ ଟିକିକୁ କୋଣାର୍କ ଝାଉଁବଣରେ ଏନକାଉଣ୍ଟର କରିଥିଲା।

ସମ୍ବନ୍ଧିତ ଖବର