ହାଜତ ମୃତ୍ୟୁ, ଥାର୍ଡ ଡିଗ୍ରି ଅଡ଼ୁଆ ବଢ଼ୁଛି : ପୁରୀରୁ ପିପିଲି ଅଶାନ୍ତ

ବିଜେପିର ବିକ୍ଷୋଭ, କଂଗ୍ରେସର ଧାରଣା
ପିପିଲି ଘଟଣାର ତଦନ୍ତ କରିବେ ଡିଆଇଜି
ଏସ୍‌ସିବିରେ ଭର୍ତ୍ତି ୫ ଆହତ ଅଭିଯୁକ୍ତଙ୍କ ଅବସ୍ଥା ଗୁରୁତର

ପୁରୀ/ପିପିଲି/କଟକ : ପୁରୀରେ ହାଜତ ମୃତ୍ୟୁ ଓ ପିପିଲି ଥାନାରେ ନିର୍ଯାତନା ମାମଲା ଏବେ ଧୀରେ ଧୀରେ ସଙ୍ଗିନ୍ ମୋଡ଼ ନେଲାଣି। ରାଜନୈତିକ ଦଳ ଏହି ଘଟଣାରେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଆଜି ଦିନ ସାରା ପୁରୀରୁ ପିପିଲି ଅଶାନ୍ତ ରହିଛି। ପୁରୀରେ ବିଜେପି ପକ୍ଷରୁ ତତ୍କାଳୀନ ଏସ୍‌ପିଙ୍କ ଗିରଫ ଦାବିରେ ବିକ୍ଷୋଭ ଶୋଭାଯାତ୍ରା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିବା ବେଳେ ପିପିଲିରେ ହାଜତ ନିର୍ଯାତନାକୁ ନେଇ ମହିଳା କଂଗ୍ରେସ ପକ୍ଷରୁ ଥାନା ସମ୍ମୁଖରେ ଧାରଣା ଦିଆଯାଇଛି। ଉତ୍ତେଜନା ଭୟରେ ପିପିଲି ଥାନା ବାହାର ପ୍ରବେଶ ପଥକୁ ବନ୍ଦ ରଖାଯାଇଛି। ପୁଲିସ ଥାନାକୁ ଭିତରପଟୁ ତାଲା ପକାଇ ରଖିଛି। ଅଭିଯୁକ୍ତଙ୍କ ପରିବାର ଲୋକେ ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି। ସେମାନଙ୍କ ସଂପର୍କୀୟ ଏବେ କେଉଁଠି ଅଛନ୍ତି, ପୁଲିସ ସେମାନଙ୍କୁ ସୂଚନା ଦେଉନଥିବା ଅଭିଯୋଗ କରିଛନ୍ତି। ମାମଲାକୁ ରଫାଦଫା କରିବାକୁ ପୁଲିସ ପକ୍ଷରୁ ସବୁ ପ୍ରକାର କସରତ ଚାଲିଛି। ଅନ୍ୟପ‌ଟେ ଅଭିଯୁକ୍ତଙ୍କ ଶରୀରରେ କ୍ଷତ ଦାଗ ରହିଥିବା ଓ ଜିଲ୍ଲା ଜଜ୍‌ ଏ ସଂପର୍କରେ ଅବଗତ ହେବା ପରେ ପୁଲିସ ଅଡ଼ୁଆ ବଢ଼ିଛି।

ଅନ୍ୟପଟରେ ପିପିଲିରେ ପୁଲିସ ଦ୍ବାରା ନିର୍ଯାତନାର ଶିକାର ହୋଇଥିବା ଯୁବକମାନଙ୍କର ଶରୀରରେ ଏକାଧିକ କ୍ଷତ ରହିଥିବା ଅଭିଯୋଗ ଅମୂଳକ ନୁହେଁ ବୋଲି ଜଣାପଡ଼ିଛି। ଘଟଣାର ଗମ୍ଭୀରତାକୁ ଉପଲବ୍ଧି କରି ଆଜି ରାଜ୍ୟ ସରକାର ପିପିଲି ଥାନା‌ରେ ଅଭିଯୁକ୍ତଙ୍କୁ ନିର୍ଯାତନା ଘଟଣାର ତଦନ୍ତ ଦାୟିତ୍ବ କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂହଙ୍କୁ ଦେଇଛନ୍ତି।
ଗତ ୧୩ ତାରିଖ ରାତିରେ ପିପିଲି ବାଟମହାବୀର ମନ୍ଦିରଠାରୁ ଅନତି ଦୂରରେ ପିପିଲି ପୌରାଂଚଳ ୨ ନମ୍ବର ୱାର୍ଡ ବାସିନ୍ଦା ସାଜିଦ ହୁସେନ ଖାଁଙ୍କୁ କେତେକ ଯୁବକ ରକ୍ତାକ୍ତ ଆକ୍ରମଣ କରିଥିଲେ। ପୋଲିସ ୧୪ ତାରିଖରେ ୩୬୭ ନମ୍ବରରେ ଆଇପିସିର ୧୪୭/୧୪୮/୩୪୧୩୨୬/୩୦୭/୧୨୦(ଖ)/୧୪୯ ଓ ଆର୍ମ୍ସ ଆକ୍ଟର ୨୫ ଓ ୨୭ ଧାରାରେ ମାମଲା ରୁଜୁ କରିଥିଲା। ପୋଲିସ ଏହି ୬ ଜଣଙ୍କୁ ଗିରଫ କରି ଥାନାକୁ ଆଣିବା ସହିତ ସେମାନଙ୍କ ଠାରୁ ୨ଟି ଖଣ୍ତା ଓ ୨ଟି ବାଇକ୍‌ ଜବତ କରିଥିଲା। ଏହି ୬ ଜଣ ହେଲେ ପୌରାଂଚଳ ଭବାନୀପୁରର ହବିବ ଖାନଙ୍କ ପୁଅ ହାପିଜ ଖାନ(୨୫), ଜୟପୁର ଶାସନ ଗ୍ରାମର କଇମ ମହମ୍ମଦଙ୍କ ପୁଅ ମହମ୍ମଦ ତଫିକ ଓରଫ ଜୁମା (୧୮) ଓ ରବୀନ୍ଦ୍ର ବେହେରାଙ୍କ ପୁଅ ରାଜୁ(୧୮), ସୁଲତାନ ନଗରର କାର୍ତିକ ବେହେରାଙ୍କ ପୁଅ ପ୍ରତାପ (୨୩), ତେଇସିପୁର ନିକଟ କାଙ୍କନଡୁଆ ଗ୍ରାମର ଲକ୍ଷ୍ମୀଧର ବେହେରାଙ୍କ ପୁଅ ଧରଣୀଧର (୨୪) ଏବଂ ସାତଶଙ୍ଖ କଲୋନିର ଗୌରୀ ପୁଷ୍ପାଳକଙ୍କ ପୁଅ ଜଗନ୍ନାଥ ଓରଫ ଜଗା(୧୯)। ଏମାନେ ସମସ୍ତେ ପିପିଲି ଥାନା ଅଞ୍ଚଳର। ଅଭିଯୋଗ ଅନୁସାରେ, ପିପିଲି ଥାନାରେ ୭ ଦିନ ଧରି ୬ଜଣ ଅଭିଯୁକ୍ତଙ୍କୁ ପୁଲିସ୍‌ ନିସ୍ତୁକ ପିଟିବାରୁ ସେମାନଙ୍କ ମଧ୍ୟରୁ ୫ଜଣ ଗୁରୁତର ହୋଇପଡ଼ିଥିଲେ। ନୋଳା ବସି ମା˚ସ ପଚିଯାଇଥିଲା ବେଳେ ମଳଦ୍ବାରରେ ଗଭୀର କ୍ଷତ ହୋଇଥିଲା। ତରବରିଆ ଭାବେ ପୁଲିସ୍‌ ସେମାନଙ୍କୁ କୋର୍ଟ ଚାଲାଣ କରିଥିଲା। ନିମାପଡ଼ା ଜେଲ୍‌ କର୍ତ୍ତୃପକ୍ଷ ସେମାନଙ୍କ ଅବସ୍ଥା ଦେଖି ଫେରାଇ ଦେଇଥିଲେ। ପରେ ସମସ୍ତ ଆହତ ଅଭିଯୁକ୍ତଙ୍କୁ ଚିକିତ୍ସା ଲାଗି କଟକ ବଡ଼ ମେଡିକାଲ୍‌କୁ ଅଣାଯାଇଥିଲା

କଟକ ପ୍ରତିନିଧିଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପିପିଲି ଥାନାରେ ପୁଲିସ୍‌ର ଥାର୍ଡ ଡିଗ୍ରି ଯୋଗୁଁ ଗୁରୁତର ହୋଇ ପଡ଼ିଥିବା ୫ ଅଭିଯୁକ୍ତଙ୍କୁ ଏସ୍‌ସିବିର ସର୍ଜରି ୱାର୍ଡରେ ରଖି ଚିକିତ୍ସା କରାଯାଉଛି। ସେମାନଙ୍କର ଶରୀରର ଏକାଧିକ ସ୍ଥାନରେ କ୍ଷତ ହୋଇଥିବା ସୂଚନା ମିଳିଛି। ଶରୀରରେ ମାଡ଼ର ଦାଗ ସ୍ପଷ୍ଟ ଭାବେ ରହିଛି। ତଥାପି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ମେଡିକାଲ୍‌ ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସ ସୂଚନା ଦେଇଛନ୍ତି। ଏବେ ଛୁଟି ଥିବାରୁ ସୋମବାର ୟୁନିଟ୍‌ ମୁଖ୍ୟ ସେମାନଙ୍କୁ ଯାଞ୍ଚ କରିବାପରେ ଯଦି ଆବଶ୍ୟକ ହୁଏ ଡାକ୍ତରୀ ଦଳ ଗଠନ କରାଯାଇ ଚିକିତ୍ସା କରାଯିବ ବୋଲି ଡାକ୍ତର ଦାସ ସୂଚନା ଦେଇଛନ୍ତି। ଏ ସଂପର୍କରେ ଆଇଜି ପ୍ରବୀଣ କୁମାର କହିଛନ୍ତି ଯେ ଯେଉଁ ଅଭିଯୋଗ ଆସିଛି ତାହାର ତଦନ୍ତ କରାଯିବ। ପୁଲିସର ଏକ ସ୍ବତନ୍ତ୍ର ଟିମ୍ ମେଡିକାଲରେ ଆହତମାନଙ୍କୁ ଭେଟି ତଥ୍ୟ ସଂଗ୍ରହ କରି ରିପୋର୍ଟ ଦେବ।

ତେବେ ଏହି ଘଟଣାରେ କିଏ ଦୋଷ ମୁଣ୍ତାଇବ ତାହାକୁ ନେଇ ଥାନାରେ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ କାଦୁଅ ଫିଙ୍ଗା ଆରମ୍ଭ ହୋଇଛି। ତଦନ୍ତ କରିବା ମଧ୍ୟରେ ତଦନ୍ତକାରୀ ଅଫିସର୍ ସବୁ ନିୟମକାନୁନକୁ ଖୋଲାଖୋଲି ଉଲ୍ଲଂଘନ କରିଛନ୍ତି। ଏପରିକି ନାବାଳକକୁ ସାବାଳକ ଦର୍ଶାଇ କୋର୍ଟ ଚାଲାଣ କରାଯାଇଥିବା କାଗଜପତ୍ରରେ ଦର୍ଶାଇଛନ୍ତି। ରାଜୁ ଜଣେ ନାବାଳକ ବୋଲି ତାଙ୍କ ପରିବାର ପକ୍ଷରୁ ଦାବି କରାଯାଇଛି। ପୁଲିସ ପରିବାରକୁ ନପଚାରି ମନଇଚ୍ଛା ଅଧିକ ବୟସ ଦେଖାଇ କୋର୍ଟ ଚାଲାଣ କରିଥିବାର ଅଭିଯୋଗ ହୋଇଛି। ବାରମ୍ବାର ଥାନାକୁ ଦୌଡ଼ିଥିଲେ ମଧ୍ୟ ପୋଲିସ ପୁଅକୁ ଦେଖାଇ ଦେଇନଥିଲା ବୋଲି ରାଜୁର ବାପା, ମା’ କାନ୍ଦି କାନ୍ଦି କହିଛନ୍ତି। ନିଜ ପୁଅ ଜନ୍ମ ସମୟର ଟିକା କାର୍ଡ ଗଣମାଧ୍ୟମକୁ ଦେଖାଇ ପୁଅର ବୟସକୁ ପୁଲିସ କିପରି ଭୁଲ ଦେଖାଇଛି ତାହାର ପ୍ରମାଣ ଦେଇଛନ୍ତି।

ପିପିଲି ଘଟଣାକୁ ନେଇ ରାଜ୍ୟ ମହିଳା କଂଗ୍ରେସ ସଂପାଦିକା ନିରୁପମା ପାତ୍ରଙ୍କ ନେତୃତ୍ବରେ ପିପିଲି ଥାନା ସମ୍ମୁଖରେ ଧାରଣା ଦିଆଯାଇଛି। ଥାନା ଅଧିକାରୀଙ୍କୁ ନିଲମ୍ବିତ କରିବାକୁ ଦାବି କରାଯାଇଛି। ଉତ୍ତେଜନା ଆଶଙ୍କାରେ ପିପିଲି ଥାନାକୁ ଦିନ ତମାମ ବନ୍ଦ ରଖାଯାଇଛି। ଏପରିକି ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଥାନା ଭିତରକୁ ଯିବାକୁ ସୁଯୋଗ ଦିଆଯାଉନାହିଁ। ସେପଟେ ଘଟଣା ସଂପର୍କରେ ଅବଗତ ହେବା ପାଇଁ ଥାନା ଅଧିକାରୀଙ୍କ ସହିତ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ। ଥାନା ଅଧିକାରୀଙ୍କ ମୋବାଇଲ ଫୋନ ମଧ୍ୟ ବନ୍ଦ ରହିଛି।

ସେହିଭଳି ହାଜତ ମୃତ୍ୟୁ ମାମଲାରେ ବି ରାଜନୀତି ଜୋର ଧରିଛି। ଗତ ୧୮ ତାରିଖରେ ଅଭିଯୁକ୍ତ କେ. ରମେଶଙ୍କୁ ପୁଲିସ ବାଡ଼େଇ ବାଡ଼େଇ ମାରିଦେବା ଘଟଣାକୁ ନେଇ ଗତକ‌ାଲି ସରକାର ତୁରନ୍ତ ପୁରୀ ଏସ୍‌ପିଙ୍କୁ ବଦଳି କରିଥିଲେ। ତେବେ ବିଜେପି ଏତିକିରେ ସନ୍ତୁଷ୍ଟ ହୋଇନାହିଁ। କେବଳ ବଦଳି ନୁହେଁ ଦାୟିତ୍ବରେ ଥିବ‌ା ଥାନା ଅଧିକାରୀ ଓ ଅନ୍ୟ କର୍ମଚାରୀଙ୍କୁ ବହିଷ୍କାର କରି ୩୦୨ ଦଫାରେ ହତ୍ୟା ମାମଲା ରୁଜୁ କରି ଗିରଫ କରିବାକୁ ଦାବି କରିଛନ୍ତି। ଆଜି ପ୍ରତିବାଦ‌ରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ନେତୃତ୍ବରେ ଏକ ‌‌ଶୋଭାଯାତ୍ରା ଶରଧାବାଲିରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ଜିଲ୍ଲାପାଳଙ୍କୁ ଏ ନେଇ ଏକ ସ୍ମାରକପତ୍ର ଦିଆଯାଇଥିଲା। ବିଜେପି ମୁଖପାତ୍ର ସମ୍ବିତ ପାତ୍ର ମୃତ କେ.ରମେଶଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଛନ୍ତି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେବା ସହିତ ପରିବାର ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। ପୁଲିସର ନିର୍ଯାତନା ଘଟଣାକୁ ନିନ୍ଦା କରିଛନ୍ତି।

ଏସବୁ ଭିତରେ ବଦଳି ହୋଇଥିବା ଏସ୍‌ପି ଅଖିଳେଶ୍ବର ସିଂହଙ୍କ ସପକ୍ଷରେ ପୁରୀର କିଛି ଯୁବକ ବାହାରିଛନ୍ତି। ଏମାନେ ଡିଜିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଅତିରିକ୍ତ ଡିଜିଙ୍କୁ ଦେଇଛନ୍ତି। ପୁରୀକୁ ଅପରାଧ ମୁକ୍ତ କରିବାକୁ ଶ୍ରୀ ସିଂହ କିଛି ଦୃଷ୍ଟାନ୍ତମୂଳକ କାର୍ଯ୍ୟ କରିଥିବା ଏହି ଯୁବକମାନେ ଦାବି କରିଛନ୍ତି। ଯୁବ ନେତା ସ୍ବାଧୀନ ପଣ୍ଡାଙ୍କ ନେତୃତ୍ବରେ କିଛି ଯୁବକ ଅତିରିକ୍ତ ଡିଜିଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି। ଏସ୍‌ପିଙ୍କ ସ୍ବଳ୍ପ ରହଣୀ ସମୟରେ ପୁରୀ ଅପରାଧ ମୁକ୍ତ ରହିଥିଲା। ଅପରାଧୀଙ୍କୁ ଏସ୍‌ପି ସାବାଡ଼ କରୁଥିଲେ। ବର୍ଷ ବର୍ଷ ଧରି ଚାଲିଥିବା ଜୁଆ ଓ ଲଟେରି ସେ ବନ୍ଦ କରିଥିଲେ। ‘ଅପରାଧ ଛାଡ଼ ନ ହେଲେ ପୁରୀ ଛାଡ଼’ ନାରା ଦେଇଥିବା ଏସ୍‌ପିଙ୍କ ବଦଳିକୁ ‌ସେମାନେ ନାପସନ୍ଦ କରିବା ସହିତ ପ୍ରକୃତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ଦାବି କରିଛନ୍ତି।

ସମ୍ବନ୍ଧିତ ଖବର