ପୁରୀ ହିଂସ‌‌ା ଦୁର୍ଭାଗ୍ୟଜନକ: ଗଜପତି

ପୁରୀ : ପୁରୀ ହିଂସ‌ା ଘଟଣାରେ ମହାପ୍ରଭୁ ପତିପାବନଙ୍କୁ ଢେଲା ମାଡ଼ ହେବା, ଅରୁଣସ୍ତମ୍ଭକୁ ପଥର ଫିଙ୍ଗିବା ଓ ସର୍ବୋପରି ସହରରେ ଜଳାପୋଡ଼ା, ଭଙ୍ଗାରୁଜା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଗଜପତି ମହାରାଜ ଦିବ୍ୟସିଂହ ଦେବ କହିଛନ୍ତି। ଆଜି ବିିଭିନ୍ନ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଗଜପତି ୩ ତାରିଖ ଘଟଣାକୁ ନେଇ ଦୁଃଖପ୍ରକାଶ କରିବା ସହ ପୁରୀରେ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି। ହିଂସ‌ା ଘଟଣା କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ। ଏହାର ଯେମିତି ପୁନରାବୃତ୍ତି ନ ହେବ ସେଥିପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି। ହିଂସା ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃୃଢ କ‌ାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗଜପତି କହିଛନ୍ତି। ଅନ୍ୟପକ୍ଷରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଏହି ପ୍ରସଙ୍ଗରେ କିଛି ପ୍ରତିକ୍ରିୟା ରଖିନଥିବା ବେଳେ ବିଶ୍ବ ହିନ୍ଦୁ ପରିଷଦ ସମେତ ଅନ୍ୟାନ୍ୟ ଧର୍ମୀୟ ସଂଗଠନ ମଧ୍ୟ ନିରବ ରହିଛନ୍ତି।

କଂଗ୍ରେସ ଲୋକଙ୍କୁ ଖୋଜି ଖୋଜି ଗିରଫ କରାଯାଉଛି: ନିରଞ୍ଜନ

ଭୁବନେଶ୍ବର : ଧାଡ଼ି ଦର୍ଶନକୁ ନେଇ ପୁରୀରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଘଟଣାକୁ ସେ ନିନ୍ଦା କରିବା ସହ ସରକାର ଓ ପ୍ରଶାସନକୁ ଭର୍ତ୍ସନା କରିଛନ୍ତି। ସେ କହିଛନ୍ତି, ଆକ୍ରୋଶମୂଳକ ଭାବେ ଏବେ ପୁଲିସ୍ ଗିରଫଦାରି ଜାରି ରଖିଛି। କଂଗ୍ରେସ ଲୋକଙ୍କୁ ଖୋଜି ଖୋଜି ଗିରଫ କରାଯାଉଛି। ଶାସକ ଦଳର ଇଙ୍ଗିତରେ ପୁଲିସ୍ ଓ ପ୍ରଶାସନ କାର୍ଯ୍ୟ କରୁଛି। ପ୍ରକୃତ ଦୋଷୀଙ୍କ ପାଖରେ ପୁଲିସ ଜାଣିଶୁଣି ପହଞ୍ଚୁ ନାହିଁ। ସରକାର ଜଗନ୍ନାଥଙ୍କ ପ୍ରତି ଚରମ ଅବହେଳା କରିଛନ୍ତି। ଲୋକଙ୍କ ଭାବାବେଗ ସହ ଖେଳିଚାଲିଛନ୍ତି। ମନ୍ଦିର ଭିତରକୁ ପୁରୀ ଲୋକ ଭୋଟର୍ ପରିଚୟ ପତ୍ର ନେଇ ଯିବା ହାସ୍ୟାସ୍ପଦ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ପୁରୀ ହିଂସା ପଛ‌ରେ ମହେଶ୍ବର: କେଭି

ଭୁବନେଶ୍ବର : ଧାଡ଼ି ଦର୍ଶନକୁ ନେଇ ପୁରୀରେ ହୋଇଥିବା ହିଂସାକାଣ୍ଡକୁ ନିନ୍ଦା କରିଛନ୍ତି ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ। ସେ ଆରୋପ ଲଗାଇଛନ୍ତି, ସ୍ଥାନୀୟ ବିଧାୟକ ତଥା‌ ମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କ ପ୍ରତ୍ୟକ୍ଷ ପ୍ରରୋଚନାରେ ହିଂସାକାଣ୍ଡ ହୋଇଥିଲା। ବର୍ତ୍ତମାନ ତାଙ୍କରି ନି‌େର୍ଦ୍ଦଶରେ ରାଜନୈତିକ ଉଦ୍ଦେଶ୍ୟ ରଖି ପୁଲିସ ରାତିଅଧିଆ ଶାନ୍ତି କମିଟି ସଦସ୍ୟଙ୍କୁ ଗିରଫ କରିଛି।

ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂହଦେଓ କହିଲେ, ଘଟଣାର ଭିଡିଓ କ୍ଲିପ୍ ଅନୁଧ୍ୟାନ କରି ହିଂସାକାଣ୍ଡ ଭିଆଯାଇଥିବା ପ୍ରକୃତ ଅଭିଯୁକ୍ତଙ୍କୁ ଗିରଫ କରା ନ ଯାଇ ପରବର୍ତ୍ତୀ ସମୟରେ ସ୍ଥାନୀୟ ବିଧାୟକ ଓ ଶାସକ ଦଳର ପ୍ରତ୍ୟକ୍ଷ ପ୍ରରୋଚନାରେ ଶାନ୍ତି କମିଟି ସଦସ୍ୟ ଓ ସେବାୟତମାନଙ୍କୁ ଗିରଫ କରାଯାଇଛି। ଏହା କେବଳ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ପ୍ରଥମେ ଶାନ୍ତି କମିଟିକୁ ଆଲୋଚନା ଆଳରେ ବୈଠକକୁ ଡାକି ପରବର୍ତ୍ତୀ ସମୟରେ କମିଟିର ସଦସ୍ୟମାନଙ୍କୁ ଗିରଫ କରାଯିବା ଘଟଣା ଏହି ଅଭିଯୋଗକୁ ଦୃଢ଼ୀଭୂତ କରୁଛି। ଏହି ଘଟଣାକୁ ସମ୍ବେଦନଶୀଳ ଭାବେ ଗ୍ରହଣ କରି ଶାନ୍ତିପୂର୍ଣ୍ଣ ଭାବେ ସମାଧାନର ବାଟ ଯଥାଶୀଘ୍ର ବାହାର କରିବାକୁ ଶ୍ରୀ ସିଂହଦେଓ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର