ପୁରୀ ହିଂସାକାଣ୍ଡ : ୫୧ ଜଣଙ୍କୁ ମିଳିଲା ଜାମିନ୍‌

ପୁରୀ : ବହୁଚର୍ଚ୍ଚିତ ପୁରୀ ହିଂସାକାଣ୍ଡ ମାମଲାରେ ଆଜି ମାନ୍ୟବର ପୁରୀ ଜିଲ୍ଲା କୋର୍ଟ ୨୭୩ଟି ମାମଲାରେ ୫୧ ଜଣ ଅଭିଯୁକ୍ତଙ୍କୁ ଜାମିନ୍‌ ପ୍ରଦାନ କରିଛନ୍ତି। ଜାମିନ୍‌ ପରେ ପୁରୀ ଜେଲରେ ବନ୍ଦୀ ଥିବା ୫୧ ଜଣ ମୁକୁଳିଛନ୍ତି। ଇତିମଧ୍ୟ‌ରେ ମୋଟ ୭୫ ଜଣଙ୍କୁ ଜାମିନ୍‌ ମିଳିସାରିଲାଣି। ୫୧ ଜଣଙ୍କ ପୂର୍ବରୁ ୨୪ ଜଣ ଅଭିଯୁକ୍ତ ଜାମିନ୍‌ରେ ମୁକୁଳିଥିଲେ। ଆଜି ପୁଣି ୧୪୫ଟି ମାମଲାରେ ଏକାଧିକ ଅଭିଯୁକ୍ତଙ୍କୁ ଜାମିନ ମିଳିଛି। ଆସନ୍ତାକାଲି ଏମାନେ ଜେଲରୁ ମୁକୁଳିବେ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଧାଡି ଦର୍ଶନକୁ ବିରୋଧ କରି ଗତ ଅକ୍ଟୋବର ୩ରେ ପୁରୀ ବଡ଼ଦାଣ୍ଡ ଓ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ବ୍ୟାପକ ଭଙ୍ଗାରୁଜା, ପୋଡ଼ାଜଳା ହୋଇଥିଲା। ଉତ୍ତ୍ୟକ୍ତ ଲୋକେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା କରିବା ସହ ବିଭିନ୍ନ ଆସବାବପତ୍ରରେ ନିଆଁ ଲଗାଇ ଦେଇଥିଲେ। ଏପରିକି ବଡ଼ଦାଣ୍ଡରେ ଥିବା ଏକାଧିକ ଟ୍ରାଫିକ୍ ପୋଷ୍ଟ ଓ ଜୋତା ଷ୍ଟାଣ୍ଡକୁ ପୋଡ଼ି ଦେଇଥିଲେ। ଏହି ହିଂସାକାଣ୍ଡ ଘଟଣାରେ ପୁଲିସ ୧୨୫ ଜଣରୁ ଅଧିକ ଅଭିଯୁକ୍ତଙ୍କୁ ବାନ୍ଧି ଜେଲ ପଠାଇଥିଲା।

ସମ୍ବନ୍ଧିତ ଖବର