ପୁରୀ : ପ୍ରଣବ ମୁଖାର୍ଜୀଙ୍କର ପୁରୀ ସହିତ ଥିଲା ନିବିଡ଼ ସଂପର୍କ। ଏଠାକାର ବରିଷ୍ଠ ସେବକ, ତାଙ୍କ କୌଳିକ ପଣ୍ଡା, ପାଟ୍ଟଯୋଶୀ ଓ ବ୍ୟକ୍ତିଗତ ସ୍ତରରେ ସଂପର୍କ ବଢ଼ାଇଥିବା ଦଇତାପତି ସେବକ ରାମକୃଷ୍ଣ ଦାସମହାପାତ୍ର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ଦାଙ୍କୁ ଝୁରି ହେଉଛନ୍ତି। ପ୍ରଣବ ପୁରୀକୁ ତାଙ୍କର ଦ୍ବିତୀୟ ଘର ବୋଲି ଭାବନ୍ତି। କ୍ଷମତାରେ ଥାଇ ଓ ଅନେକ ଥର କ୍ଷମତାରେ ନ ଥାଇ ବି ସେ ପୁରୀ ଆସିଛନ୍ତି।
ଯେବେ ସେ ପୁରୀ ଆସନ୍ତି ଯିବାକୁ ମନ କରନ୍ତି ନାହିଁ। ସମୁଦ୍ର କୂଳରେ ବୁଲିବାକୁ ସେ ଭଲ ପାଆନ୍ତି ବୋଲି ତାଙ୍କ ସହିତ ସମୟ କାଟିଥିବା ଦଇତାପତି ସେବକ ରାମକୃଷ୍ଣ ଦାସମହାପାତ୍ର କହିଛନ୍ତି। ରାଷ୍ଟ୍ରପତି ଥାଇ ସେ ତିନି ଥର ପୁରୀ ଆସିଛନ୍ତି। ସେହିଭଳି ଅର୍ଥମନ୍ତ୍ରୀ ଥିବା ବେଳେ ମଧ୍ୟ ଦୁଇ ଥର ପୁରୀ ଆସିଥିବା ସେ କହିଛନ୍ତି। ପଦରେ ନ ଥିଲା ବେଳେ ସେ ସମୁଦ୍ର କୂଳ ହୋଟେଲରେ ରହନ୍ତି। ମାତ୍ର ରାଷ୍ଟ୍ରପତି ଥିବା ବେଳେ ରାଜଭବନରେ ଅବସ୍ଥାନ କରିଥାନ୍ତି। ରାଷ୍ଟ୍ରପତି ନ ଥିବା ବେଳେ ମଧ୍ୟ ସେ ରାଜଭବନରେ ରହିଥିବା ଏଠାକାର କର୍ମଚାରୀ କହିଛନ୍ତି।
ରାଷ୍ଟ୍ରପତି ଭାବେ ସେ ରାଜଭବନର ପ୍ରକୋଷ୍ଠ ନଂ-୧ରେ ରହିଥା’ନ୍ତି। ବେଳାଭୂମିରେ ଅଧିକ ସମୟ କାଟିବାକୁ ଭଲ ପାଆନ୍ତି। ପ୍ରୋଟକଲରେ ଥିଲେ ବି ସେ କର୍ମଚାରୀଙ୍କୁ ପ୍ରାପ୍ୟ ଦେଇଥା’ନ୍ତି। ରାଷ୍ଟ୍ରପତି ଥିବା ବେଳେ ୨୦୧୪ ନଭେମ୍ବର ୩୦, ୨୦୧୫ ଅଗଷ୍ଟ ୭ରେ ସେ ପୁରୀ ଆସିଥିଲେ। ପରିବାର ସହିତ ପୁରୀ ଆସି ସମୟ ବିତାଇବାକୁ ସେ ଭଲ ପାଆନ୍ତି। ତାଙ୍କ ସ୍ମୃତି ଏବେ ବି ମନେ ରହିଛି। ରାମକୃଷ୍ଣଙ୍କ କହିବା କଥା ସେ ସମସ୍ତଙ୍କୁ ଆଦର କରନ୍ତି। ମହାପ୍ରଭୁଙ୍କ ପ୍ରତି ତାଙ୍କର ପ୍ରଗାଢ଼ ଭକ୍ତି ଥିଲା। ମହାପ୍ରସାଦ ଖାଇବାକୁ ସେ ଭଲ ପାଆନ୍ତି ଶ୍ରୀ ଦାସମହାପାତ୍ର କହିଛନ୍ତି।