ଅଦାଲତ ଅବମାନନା ମାମଲା: ପୁରୀ ପୂର୍ବତନ ଉପଜିଲ୍ଲାପାଳଙ୍କ ସମେତ ତିନି ଅଧିକାରୀ ଦୋଷୀ ସାବ୍ୟସ୍ତ

କଟକ: ଅଦାଲତ ଅବମାନନା ମାମଲାରେ ପୁରୀର ପୂର୍ବତନ ଉପଜିଲ୍ଲାପାଳ, ସତ୍ୟବାଦୀର ତତ୍କାଳୀନ ତହସିଲଦାର ଓ ତତ୍କାଳୀନ ଥାନା ଅଧିକାରୀ ହାଇକୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଆଜି ଡକ୍ଟର ଜଷ୍ଟିସ ବି.ଆର୍.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରଫେସର ସିଦ୍ଧାର୍ଥ ଦାଶଙ୍କ ପକ୍ଷରୁ ଦାୟର ଅଦାଲତ ଅବମାନନା ମାମଲାର ଶୁଣାଣି କରି ପୁରୀ ତତ୍କାଳୀନ ଉପଜିଲ୍ଲାପାଳ ମଧୁସୂଦନ ଦାସ, ସତ୍ୟବାଦୀର ତତ୍କାଳୀନ ତହସିଲଦାର ବିଜୟ କେତନ ସାହୁ ଓ ସତ୍ୟବାଦୀ ଥାନା ତତ୍କାଳୀନ ଅଧିକାରୀ ଏନ.ଗୋଚ୍ଛାୟତଙ୍କୁ ଅଦାଲତ ଅବମାନନା ପାଇଁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆଜି ମାମଲାର ଶୁଣାଣି ସମୟରେ ପୂର୍ବ ନିର୍ଦ୍ଦେଶ ଅନୁସାରେ ପୁରୀ ଏସପିଙ୍କ ପକ୍ଷରୁ ଅଧିକାରୀଙ୍କୁ ହାଜର କରାଯାଇଥିଲା। ମାମଲାର ପରବର୍ତ୍ତୀ ଶୁଣାଣି ମେ ୮ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଥିବ‌ା ବେଳେ ତିନି ଅଧିକାରୀ ମଧ୍ୟ ସେ ଦିନ ବ୍ୟକ୍ତିଗତ ଭାବେ ହାଜର ହେବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ପରବର୍ତ୍ତୀ ଶୁଣାଣି ସମୟରେ ତିନି ଅଧିକାରୀଙ୍କ ଦଣ୍ଡାଦେଶ ପ୍ରସଂଗରେ ଶୁଣାଣି ହେବ। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ନିର୍ମଳ ଚନ୍ଦ୍ର ପାଣିଗ୍ରାହୀ ମାମଲା ପରିଚାଳନା କରୁଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀଙ୍କ ବିରୋଧରେ ସତ୍ୟପାଠରେ ଭୁଲ ତଥ୍ୟ ପ୍ରଦାନ ଅଭିଯୋଗ ହୋଇଥିଲା। ଏହି ମାମଲାର ଶୁଣାଣି କରି ପୁରୀ ତତ୍କାଳୀନ ତହସିଲଦାର ଆବେଦନକାରୀଙ୍କ ବିରୋଧରେ ଏତଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ ଉପଜିଲ୍ଲାପାଳଙ୍କ ଏପରି ନିର୍ଦ୍ଦେଶକୁ ଚାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ମାମଲାର ଶୁଣାଣି କରି ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଉପରେ ରହିତାଦେଶ ଜାରି କରିଥିଲେ। ହାଇକୋର୍ଟଙ୍କ ଏପରି ନିର୍ଦ୍ଦେଶ ସଂପର୍କରେ ଉପଜିଲ୍ଲାପାଳ, ତହସିଲଦାର ଓ ଥାନା ଅଧିକାରୀଙ୍କୁ ଅବଗତ କରାଯାଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ବେ ଆବେଦନକାରୀଙ୍କ ବିରୋଧରେ ଏତଲା ରୁଜୁ କରାଯାଇଥିଲା। ଏହା ପରେ ହାଇକୋର୍ଟଙ୍କ ଆଦେଶ ଉଲ୍ଲଂଘନ ଅଭିଯୋଗ କରି ଆବେଦନକାରୀ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ। ହାଇକୋର୍ଟ ମାମଲାର ଶୁଣାଣି କରି ତିନି ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ।

ସମ୍ବନ୍ଧିତ ଖବର