ଶୋଧ ହେଲା ସୁନା କୂଅ

୧୦୮ ଗରା ପାଣି କାଢ଼ିବେ ସୁନା ଗୋସେଇଁ, ସ୍ନାନବେଦିକୁ ବିଜେ କରି‌ବେ ଗରାବଡ଼ୁ

ଶୋଧ ହେଲା ସୁନା କୂଅ

ପୁରୀ: ରବିବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ସୁନା କୁଅର ୧୦୮ ଗରା ଅଧିବାସିତ ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି। ଏହା ପୂର୍ବରୁ ଆଜି ଶ୍ରୀମନ୍ଦିର ଉତ୍ତରଦ୍ବାର ମା’ ଶୀତଳାଙ୍କ ମନ୍ଦିର ନିକଟରେ ଥିବା ସୁନା କୂଅକୁ ଶୋଧ କରାଯାଇଛି। ଦୟଣାମାଳି ସେବକମାନେ ଆଜି ଏହି ଶୋଧ ନୀତି ସମ୍ପନ୍ନ କରିଛନ୍ତି। ପ୍ରତିବର୍ଷ ଭଳି ଆଜି ଦୟଣାମାଳି ସେବକମାନେ ସୁନା କୂଅର ମୁଦ ଖୋଲି ଏହାକୁ ଶୋଧ କରିଥିଲେ। କୂଅ ଭିତରେ ଥିବା ଅଳିଆ ଆବର୍ଜନା, ପଙ୍କ ଆଦିକୁ ସଫା କରିଥିଲେ। ପରେ ଚୁନ ପକାଇ କୂଅର ପାଣିକୁ ସଫା କରାଯାଇଥିଲା।

ଏହାପରେ ଶୀତଳା ମନ୍ଦିର ସିଂହଙ୍କୁ ପ୍ରଥମେ ଏହି ଜଳରେ ସ୍ନାନ କରାଯାଇଥିଲା। ପରେ ଅଧିବାସ ନୀତି ସମ୍ପନ୍ନ ସହ ମହାପ୍ରଭୁଙ୍କ ପତନୀ କୂଅରେ ବାନ୍ଧି, ମୁଣ୍ଡିଆ ମାରି ସେବକମାନେ ଫେରିଥିଲେ। ଆସନ୍ତାକାଲି ସକାଳୁ ସୁନା ଗୋସେଇଁ ସେବକମାନେ ସୁନା କୂଅରୁ ୧୦୮ ଗରା ଜଳ କାଢ଼ି ଆନନ୍ଦବଜାର ପାଣିଘର ନିକଟରେ ରଖିବେ। ସେଥିରେ ଚନ୍ଦନ, କର୍ପୁର, ଚୁଆ ଆଦି ପକାଇ ପୂଜାର୍ଚ୍ଚନା ପରେ ଗରାବଡ଼ୁ ସେବକମାନେ ସ୍ନାନବେଦିକୁ ଏହି ଜଳକୁ ବିଜେ କରିବେ। ପରେ ପାଳିଆ ପୂଜାପଣ୍ଡା ଓ ପୁଷ୍ପାଳକ ସେବକମାନେ ଗରାବଡ଼ୁ ସେବକମାନେ ଗରାରେ ନେଇଥିବା ଜଳକୁ ରୁପା ପିଙ୍ଗଣରେ ରଖି ଚତୁର୍ଦ୍ଧାମୂର୍ତ୍ତିକୁ ସ୍ନାନ କରାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe