କଟକରେ ‘ଓ-ଟୁ କେଳେଙ୍କାରୀ: ଦିଲ୍ଲୀରେ ପୁରୀଘାଟ ପୁଲିସର ଚଢ଼ଉ

କଟକ : ନକଲି ଔଷଧ କାରବାର ମାମଲାରେ ଗିରଫ ହୋଇଥିବା ଚୌଧୁରୀବଜାରର ଶ୍ରୀ ଡିଷ୍ଟ୍ରିବ୍ୟୁଟର୍ ମାଲିକ ବିଜୟ ଅଗ୍ରୱାଲ ଲିଙ୍କ୍‌ରେ ପୁରୀଘାଟ ଥାନା ପୁଲିସ ଦିଲ୍ଲୀରେ ପହଞ୍ଚିଛି। ଦିଲ୍ଲୀରେ ଥିବା କ୍ରିଷ୍ଣା ମେଡିକୋ ଓ ନ୍ୟାସନାଲ୍ ଫାର୍ମାସ୍ୟୁଟିକାଲର ଦୁଇ ଜଣ ଅଧିକାରୀଙ୍କ ପରିଚୟ ଠାବ କରିଛି। ଏମାନଙ୍କୁ ଧରିବାକୁ ପୁଲିସ ସେଠାରେ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଫେବ୍ରୁଆରି ୨୭ ତାରିଖରେ ଡ୍ରଗ୍‌ସ ବିଭାଗର ସ୍ବତନ୍ତ୍ର ଟାସ୍କ ଫୋର୍ସ ଚୌଧୁରୀବଜାର ଅଞ୍ଚଳରେ ଶ୍ରୀ ଡିଷ୍ଟ୍ରିବ୍ୟୁଟର କାର୍ଯ୍ୟାଳୟରେ ଚଢ଼ଉ କରି ୧୪ ଶହ ୪୦ ଷ୍ଟ୍ରିପ୍ ନକଲି ‘ଓ-ଟୁ ଜବତ କରିଥିଲା। ଜବତ ହୋଇଥିବା ଔଷଧର ମୂଲ୍ୟ ୨ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି। ଏହି କାରବାର ପଛରେ ସମ୍ପୃକ୍ତ ସଂସ୍ଥା ମାଲିକ ବିଜୟ ଅଗ୍ରୱାଲକୁ ଗିରଫ କରିଥିଲା। ତେବେ ସେ ଦିଲ୍ଲୀ ଓ ଉତ୍ତରପ୍ରଦେଶର ଲକ୍ଷ୍ନୌରୁ କ୍ରିଷ୍ଣା ମେଡିକୋ ଓ ନ୍ୟାସନାଲ୍ ଫାର୍ମାସ୍ୟୁଟିକାଲର ଲିଙ୍କ୍ ପାଇଥିଲା। ଏହି ଦୁଇଟି ନକଲି ସଂସ୍ଥା ମାଧ୍ୟମରେ ବିଜୟ କଟକକୁ ୨୦୨୨ ଜୁଲାଇରୁ ଔଷଧ ଆମଦାନୀ କରି ଆସୁଥିଲା। ପୁରୀଘାଟ କାଳିଆବୋଦା ଅଞ୍ଚଳରେ ଥିବା ‘ଓ-ଟୁ ର ପ୍ରକୃତ ଡିଷ୍ଟ୍ରିବ୍ୟୁଟର ମେଡଲି କମ୍ପାନିରୁ ଏହାର ଦୁଇଟି କମ୍ପୋଜିସନ୍(ଓଫ୍ଲୋକ୍ସାସିନ୍ ଓ ଓରିଣ୍ଡାଜୋଲ) ଆମଦାନୀ କରୁନଥିଲା। ବରଂ ଅଧିକ କମିସନ ଲୋଭରେ ଦିଲ୍ଲୀ ଓ ଲକ୍ଷ୍ନୌର ଦୁଇଟି ନକଲି ସଂସ୍ଥାରୁ ଏହି ଔଷଧ ଆମଦାନୀ କରିଆସୁଥିଲା। କମିସନରେଟ୍ ପୁଲିସର ଜଣେ ଇନସ୍ପେକ୍ଟରଙ୍କ ନେତୃତ୍ବରେ ଏକ ଚାରି ଜଣିଆ ପୁଲିସ ଟିମ୍ ଗଲା ୨୩ ତାରିଖରୁ ଦିଲ୍ଲୀରେ ଡେରା ପକାଇଛନ୍ତି।

ସମ୍ବନ୍ଧିତ ଖବର