ପୁରୀ ବିସ୍ଥାପିତଙ୍କୁ ମାଗଣାରେ ମିଳିବ ୬.୬୧୬ ଏକର ଜମି

ଷ୍ଟାମ୍ପ ଦେୟ ଓ ରେଜିଷ୍ଟ୍ରେସନ ଫି ମଧ୍ୟ ଛାଡ଼ କରାଯିବ
୧୫୦୦କୋଟି ଋଣ ପାଇଁ ଗ୍ରିଡକୋକୁ ବ୍ୟାଙ୍କ ଗ୍ୟାରେଣ୍ଟି ଦେଲେ ସରକାର
ଓଡ଼ିଶା ରାଜସ୍ବ ସେବା କ୍ୟାଡରରେ ପଦୋନ୍ନତି କୋଟା ବଢ଼ିଲା
ଓଡ଼ିଶା ବେସାମରିକ ସେବା ନିଯୁକ୍ତିରେ ଆଉ ମୌଖିକ ପରୀକ୍ଷା ହେବନି

ଭୁବନେଶ୍ବର : ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀମନ୍ଦିର ସୁରକ୍ଷା ବଳୟର ଉନ୍ନତି ତଥା ମେଘନାଦ ଚତୁଃପାର୍ଶ୍ବର ୭୫ମିଟର ଦୂରତା ମଧ୍ୟରେ ଥିବା ଜମି, ବାସଗୃହ, ଦୋକାନ, ଲଜ ଆଦିକୁ ସରକାର ଅଧିଗ୍ରହଣ କରିଥିଲେ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ହୋଇଛି ଯେ ସରକାର ମଙ୍ଗଳାଘାଟ ଠାରେ ଥିବା ୬ ଏକର ୬୧୬ ଡିସିମିଲ ସରକାରୀ ଜମି ବିସ୍ଥାପିତଙ୍କୁ ବିନା ଦେୟରେ ପ୍ରଦାନ କରିବେ। ପୁନର୍ବାସ ଥଇଥାନ ପ୍ୟାକେଜ୍ ଅନୁଯାୟୀ ଏହା ପ୍ରଦାନ କରାଯିବ। ଏଥିସହିତ ସମସ୍ତ ସରକାରୀ ଜମିକୁ ବିସ୍ଥାପିତ ହୋଇଥିବା ଜନସାଧାରଣଙ୍କ ନାମରେ କରିବା ଲାଗି ଆବଶ୍ୟକ ଷ୍ଟାମ୍ପ ଦେୟ ଓ ରେଜିଷ୍ଟ୍ରେସନ ଫି ମଧ୍ୟ ଛାଡ କରାଯିବ।

ଓଡ଼ିଶା ରାଜସ୍ବ ସେବା ନିୟମାବଳୀ-୨୦୧୧ର ସଂଶୋଧନ ସଂକ୍ରାନ୍ତ କ୍ୟାବିନେଟର ଅନ୍ୟ ଏକ ନିଷ୍ପତ୍ତି ସଂପର୍କରେ ସୂଚନା ଦେଇ ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ କହିଥିଲେ ଯେ ରାଜସ୍ବ ନିରୀକ୍ଷକ, ରାଜସ୍ବ ପରିଦର୍ଶକ ଓ ଅନ୍ୟାନ୍ୟ ତୃତୀୟ ଶ୍ରେଣୀ କର୍ମଚାରୀଙ୍କ ପାଇଁଥିବା ଓଡ଼ିଶା ରାଜସ୍ବ ସେବା କ୍ୟାଡରରେ ଯଥେଷ୍ଟ ପ୍ରତିନିଧିତ୍ବ ମିଳୁନାହିଁ। ଓଡ଼ିଶା ରାଜସ୍ବ ଅମଲା ସଂଘ ବାରମ୍ବାର ଏ ସଂକ୍ରାନ୍ତରେ ଦାବି ରଖୁଥିଲେ। ଏହା ଉପରେ ମୁଖ୍ୟଶାସନ ସଚିବ ୨୦୧୮ ମେ’ ୨୨ ତାରିଖରେ ଏକ ବୈଠକ ନେଇଥିଲେ। ଏହି ଆଲୋଚନାରେ ସ୍ଥିର ହୋଇଥିଲା ଯେ ରାଜ୍ୟ ସରକାରଙ୍କ ପଦୋନ୍ନତି କୋଟା ୩୦ ପ୍ରତିଶତରୁ ୪୦ ପ୍ରତିଶତ ବୃଦ୍ଧି କରାଯିବ ଓ ସିଲେକ୍ସନ କୋଟାକୁ ୨୦ ପ୍ରତିଶତରୁ ୧୦ ପ୍ରତିଶତକୁ ହ୍ରାସ କରାଯିବ। ଏହି କୋଟା ୪୦ ପ୍ରତିଶତ ରାଜସ୍ବ କ୍ଷେତ୍ର କର୍ମଚାରୀ ଓ ୬୦ ପ୍ରତିଶତ ରାଜସ୍ବ ବିଭାଗର ଅନ୍ୟାନ୍ୟ ତୃତୀୟ ଶ୍ରେଣୀ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ରହିବ। ଯଦି କୌଣସି କାରଣରୁ କୌଣସି ବର୍ଷ ରାଜସ୍ବ କ୍ଷେତ୍ର କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ରାଜସ୍ବ ସେବା ପଦବି ପୂରଣ ହୋଇନପାରେ, ତେବେ ଏହା ଅନ୍ୟାନ୍ୟ ରାଜସ୍ବ ତୃତୀୟ ଶ୍ରେଣୀ କର୍ମଚାରୀଙ୍କ ଦ୍ବାରା ପୂରଣ ହେବ। କ୍ୟାବିନେଟର ଏହି ନିଷ୍ପତ୍ତି ଫଳରେ ଓଡ଼ିଶା ରାଜସ୍ବ ସେବାରେ ଅଧିକ ପ୍ରତିନିଧିତ୍ବ ମିଳିପାରିବ ବୋଲି କୁହାଯାଇଛି।

୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଗ୍ରିଡକୋକୁ ପୂର୍ବରୁ ଦିଆଯାଇଥିବା ଋଣ ପାଇଁ ୧୫୦୦ କୋଟି ଟଙ୍କା ସରକାରୀ ଗ୍ୟାରେଣ୍ଟି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ଏହି ଗ୍ୟାରେଣ୍ଟି ଦ୍ବାରା ଗ୍ରିଡକୋକୁ ବ୍ୟାଙ୍କରୁ ୨ ପ୍ରତିଶତ ସୁଧ ରିହାତି ମିଳିବ। ଏହା ଗ୍ରିଡକୋର ଆର୍ଥିକ ମୂଲ୍ୟ ହ୍ରାସ କରିବ ଓ ଗ୍ରାହକଙ୍କ ପାଇଁ ଖୁଚୁରା ଶୁକ୍ଳ କମ୍ ହେବ।

ସଂପ୍ରତି କରୋନା ପରିପ୍ରେକ୍ଷୀରେ ଜନସାଧାରଣଙ୍କ ସୁରକ୍ଷା ପାଇଁ କୋର୍ଟ ଫିସ୍ ଅଧିନିୟମ, ୧୮୭୦ର ପ୍ରୟୋଗ ସଂଶୋଧନ କରିବା ନିମନ୍ତେ ଅଧ୍ୟାଦେଶ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର ଲାଗିଛି। ଏହାଦ୍ବାରା ବର୍ତମାନ ପ୍ରଚଳିତ ଥିବା କୋର୍ଟ ଫିସ୍ ଷ୍ଟାମ୍ପ ପ୍ରଦାନ କରାଯିବା ସହିତ ଇେଲକ୍ଟ୍ରୋନିକ୍ ପଦ୍ଧତି (ଇ-ପେମେଣ୍ଟ) ଜରିଆରେ କୋର୍ଟ ଫିସ୍ ପ୍ରଦାନ ଓ ଫେରସ୍ତ କରାଯାଇପାରିବ। ଫଳରେ ମକଦ୍ଦମାକାରୀ ଓ ଅନ୍ୟ ସ୍ବାର୍ଥ ସହିତ ଜଡିତ ବ୍ୟକ୍ତିମାନେ ନ୍ୟାୟିକ ପ୍ରକ୍ରିୟାର ଠିକ୍ ଭାବେ ଉପଯୋଗ କରିପାରିବେ ବୋଲି କୁହାଯାଇଛି। ଓଡ଼ିଶା ବେସାମରିକ ସେବା (ସାକ୍ଷାତକାର କିମ୍ବା ମୌଖିକ ପରୀକ୍ଷା) ନିୟମାବଳୀ, ୨୦୨୦ ପ୍ରଣୟନ କରାଯାଇଛି। ଏ ସଂକ୍ରାନ୍ତ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର ଲାଗିଛି। ପୂର୍ବରୁ ରାଜ୍ୟ ଓ ଜିଲ୍ଲା କ୍ୟାଡରର ବିଭିନ୍ନ ଗ୍ରୁପ ସି ଆଦି ନିଯୁକ୍ତି କ୍ଷେତ୍ରରେ ଲିଖିତ, ମୌଖିକ, ଦକ୍ଷତା ଓ ଶାରୀରିକ ପରୀକ୍ଷା କରାଯାଉଥିଲା। ଏହି ନିଯୁକ୍ତି ପ୍ରକ୍ରିୟାକୁ ସରଳ, ତ୍ବରାନ୍ବିତ ତଥା ସ୍ବଚ୍ଛ କରିବା ଲାଗି ସରକାର ସମସ୍ତ ନିଯୁକ୍ତି ନିୟମାବଳୀରୁ ସାକ୍ଷାତକାର ବା ମୌଖିକ ପରୀକ୍ଷାକୁ ପରିହାର କରିଦେଇଛନ୍ତି।

ସମ୍ବନ୍ଧିତ ଖବର