ସଂକଟଜନକ ସ୍ଥିତିରେ ପୁରୀର ଭୂତଳ ଜଳସ୍ତର

ପୁରୀ : ସମଗ୍ର ଦେଶରେ ପର୍ଯ୍ୟଟନର ଅନ୍ୟତମ ପ୍ରାଣକେନ୍ଦ୍ର ହେଉଛି ଶ୍ରୀକ୍ଷେତ୍ର ପୁରୀ। ବିଶ୍ବରେ ଏହି ପର୍ଯ୍ୟଟନ ସହରର ସୁନାମ ଆହୁରି ବୃଦ୍ଧି କରିବା ଦିଗରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ନାନା ଯୋଜନା କାର୍ଯ୍ୟକାରୀ ହେଉଛି। ପର୍ଯ୍ୟଟକ ଓ ସହରବାସୀଙ୍କୁ ଅତ୍ୟାଧୁନିକ ସୁବିଧାସୁଯୋଗ ପ୍ରଦାନ କରିବା ପାଇଁ ପ୍ରକଳ୍ପମାନ ପ୍ରସ୍ତୁତ କରାଯାଉଛି। ନିଜେ ରାଜ୍ୟ ସରକାର ପୁରୀକୁ ବିଶ୍ବ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନରେ ରଖିବା ଲାଗି ଉଦ୍ୟମ ଚଳାଇଛନ୍ତି। ହେଲେ ଏତିକିବେଳେ ପୁରୀର ପ୍ରାକୃତିକ ଜଳସଂପଦ କିଭଳି ଅବକ୍ଷୟମୁଖୀ ହେବାରେ ଲାଗିଛି ତାହାର ଏକ ଉଦ୍‌ବେଜନକ ଚିତ୍ର କେନ୍ଦ୍ର ସରକାରଙ୍କ ଜଳଶକ୍ତି ମନ୍ତ୍ରାଳୟର ସଦ୍ୟ ପ୍ରକାଶିତ ରିପୋର୍ଟରୁ ମିଳିଛି।

ମନ୍ତ୍ରାଳୟ ପକ୍ଷରୁ ଭୂତଳ ଜଳସ୍ତର ନେଇ ୨୦୨୦-୨୧ର ସର୍ବେକ୍ଷଣ ରିପୋର୍ଟରୁ ସ୍ପଷ୍ଟ ହୋଇଛି ଯେ ପୁରୀ ସହରର ଅମୃତ ଧାରା ଏବେ ରସାତଳଗାମୀ। ବର୍ଷକ ମଧ୍ୟରେ ସହରର ଭୂତଳ ଜଳସ୍ତର ଯେଭଳି ହ୍ରାସ ପାଇଛି ତାହା ସହରରେ ଜଳ ପରିଚାଳନା ଉପରେ ବଡ଼ ପ୍ରଶ୍ନ ସୃଷ୍ଟି କରିଛି। ଏହି ରିପୋର୍ଟ ଅନୁଯାୟୀ ପୁରୀ ସହରରେ ୨୦୧୯ ମସିହାରେ ଭୂତଳ ଜଳସ୍ତର ୧.୭୩ ମିଟର ତଳେ ରହିଥିବା ବ‌େଳେ ୨୦୨୦ ମସିହାରେ ଏହା ୨.୨୬ ମିଟର ତଳକୁ ହ୍ରାସ ପାଇଛି। ଏହା ଜିଲ୍ଲା ଓ ପୌର ପ୍ରଶାସନ ପାଇଁ ଆହ୍ବାନ ସୃଷ୍ଟି କରିଛି। ସହରରେ ଗତ କିଛି ବର୍ଷ ମଧ୍ୟରେ ହୋଟେଲ ସଂଖ୍ୟା ଦ୍ରୁତ ବୃଦ୍ଧି ପାଇଥିବାବେଳେ ଅଧିକାଂଶ ହୋଟେଲ ବିନା ସ୍ବୀକୃତିରେ ଭୂତଳ ଜଳ ବିନିଯୋଗ କରୁଥିବାରୁ ଜଳସ୍ତର ଉପରେ ଚାପ ପଡ଼ୁଛି।

ଶ୍ରୀଜଗନ୍ନାଥ ମନ୍ଦିରରେ ୬.୨୩ ମିଟର ତଳେ
ତୋଟା ସାହି, ସିଦ୍ଧମହାବୀରରେ ୧ ମିଟର ତଳେ
ଚିନ୍ତା ବଢ଼ାଉଛନ୍ତି ହୋଟେଲ ଶିଳ୍ପ

ରିପୋର୍ଟ ଅନୁଯାୟୀ, ଗୋଟିଏ ବର୍ଷ ମଧ୍ୟରେ ସହରର ସିଦ୍ଧମହାବୀର ଓ ତୋଟା ସାହି ଅଞ୍ଚଳରେ ଜଳସ୍ତର ପାଖାପାଖି ୧ ମିଟର ତଳକୁ ଖସିଗଲାଣି। ଅନ୍ୟ ଅଞ୍ଚଳର ସ୍ଥିତି ମଧ୍ୟ ସଙ୍ଗିନ। କେବଳ ବଳଗଣ୍ଡି, ପୁଲିସ୍‌ ଲାଇନ୍‌, ଗୌଡ଼ବାଡ଼ ସାହି, ଶ୍ରୀରାମ ଟକିଜ୍‌, ଜଗନ୍ନାଥ ବଲ୍ଲଭ ମଠ ଓ ବେହେରା ସାହି ଅଞ୍ଚଳକୁ ବାଦ୍‌ ଦେଲେ ଅନ୍ୟ ଅଞ୍ଚଳଗୁଡ଼ିକରେ ଭୂତଳ ଜଳସ୍ତର ସଙ୍କଟଜନକ ସ୍ଥିତିରେ। ଜଗନ୍ନାଥ ମନ୍ଦିର ମଧ୍ୟରେ ଭୂତଳ ଜଳସ୍ତର ୨୦୧୯ ମସିହାରେ ୬.୨୬ ମିଟର ତଳେ ରହିଥିବା ବ‌େଳେ ୨୦୨୦ରେ ୬.୨୩ ମିଟର ତଳେ ରହିଛି। ସିଦ୍ଧ ମହାବୀର ଅଞ୍ଚଳରେ ୨୦୧୯ ମସିହାରେ ଭୂତଳ ଜଳସ୍ତର ୧.୪୦ ମିଟର ତଳେ ଥିବା ବ‌େଳେ ଗୋଟିଏ ବର୍ଷ ବ୍ୟବଧାନରେ ଏହା ୨.୩୯ ମିଟର ତଳକୁ ଖସି ଯାଇଛି। ତୋଟା ସାହିରେ ‌ଭୂତଳ ଜଳସ୍ତର ୨.୯୦ ମିଟର ତଳେ ଥିବା ବ‌େଳେ ଗୋଟିଏ ବର୍ଷରେ ଏହା ୩.୮୬ ମିଟର ତଳକୁ ଖସିଯାଇଛି। ଆଇଟିଆଇ ଛକ ଅଞ୍ଚଳରେ ୨୦୧୯ରେ ୩.୭୫ ମିଟର ତଳେ ଭୂତଳ ଜଳସ୍ତର ‌ଥିବା ବେଳେ ୨୦୨୦ରେ ଏହା ୪.୨୨ ମିଟର ତଳକୁ ଖସି ଯାଇଛି। ନରେନ୍ଦ୍ର କୋଣରେ ୨୦୧୯ ମସିହାରେ ଭୂତଳ ଜଳସ୍ତର ୧.୧୫ ମିଟର ତଳେ ଥିବା ବେଳେ ୨୦୨୦ ମସିହାରେ ଏହା ୨.୨୯ ମିଟର ତଳକୁ ଖସିଯାଇଛି। କୁମ୍ଭାରପଡ଼ାରେ ୨୦୧୯ ମସିହାରେ ଭୂତଳ ଜଳସ୍ତର ୩.୧୦ ମିଟର ତଳେ ରହିଥିବା ବ‌େଳେ ଏହା ଗୋଟିଏ ବର୍ଷ ଭିତରେ ୩.୫୪ ମିଟର ତଳକୁ ଖସିଯାଇଛି। ସର୍ବୋଦୟ ନଗରରେ ଗୋଟିଏ ବର୍ଷ ବ୍ୟବଧାନରେ ଭୂତଳ ଜଳସ୍ତର ୦.୪୧ ମିଟର ତଳକୁ ଖସି ଯାଇଛି। ଗୋବର୍ଦ୍ଧନ ମଠ ଅଞ୍ଚଳରେ ଭୂତଳ ଜଳସ୍ତର ୩.୯୨ ମିଟର ତଳେ ରହିଥିବା ବେଳେ ଗୋଟିଏ ବର୍ଷ ବ୍ୟବଧାନରେ ଏହା ୪.୩୯ ମିଟର ତଳକୁ ହ୍ରାସ ପାଇଛି। ବାଲିଘାଟ ଅଞ୍ଚଳରେ ୨୦୧୯ ମସିହାରେ ଭୂତଳ ଜଳସ୍ତର ୧.୪୦ ମିଟର ତଳେ ରହିଥିବା ବେ‌ଳେ ବର୍ଷକ ମଧ୍ୟରେ ଜଳସ୍ତର ୧.୯୦ ମିଟର ତଳକୁ ଖସିଛି। ଗ୍ରାଣ୍ଡରୋଡ୍‌ ଅଞ୍ଚଳରେ ଭୂତଳ ଜଳସ୍ତର ୩.୯୪ ମିଟର ତଳେ ରହିଥିବା ବ‌େଳେ ବର୍ଷକ ମଧ୍ୟରେ ଏହା ୩.୯୯ ମିଟର ତଳକୁ ଖସିଛି। ଛପନଛକରେ ୨୦୧୯ ମସିହାରେ ଭୂତଳ ଜଳସ୍ତର ୧.୪୫ ମିଟର ତଳେ ରହିଥିବା ବ‌େଳେ ଏହା ୧.୯୫ ମିଟର ତଳକୁ ଖସିଛି।

frankyronaldy.com

ଭୂତଳ ଜଳ ଉତ୍ତୋଳନ ହେଉଥିଲ ହେଁ ଜଳସ୍ତର ବୃଦ୍ଧି ପାଇଁ କୌଣସି ଯୋଜନା ପ୍ରସ୍ତୁତ ହେଉ ନ ଥିବାରୁ ଜଳସ୍ତର ତଳକୁ କ୍ରମାଗତଭାବେ ଖସିବାରେ ଲାଗିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସହର ମଧ୍ୟରେ ୪୫୦ରୁ ଅଧିକ ହୋଟେଲ୍‌ ରହିଥିଲେ ହେଁ ମାତ୍ର ୩ଟି ହୋଟେଲ୍‌ ଭୂତଳ ଜଳ ବ୍ୟବହାର କରିବାକୁ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡଠାରୁ ସ୍ବୀକୃତି ପାଇଛନ୍ତି। ମାଳମାଳ ହୋଟେଲ ବେଆଇନ ଭାବେ ଭୂତଳ ଜଳ ବ୍ୟବହାର କରିଚାଲିଛନ୍ତି। ଭୂତଳ ଜଳସ୍ତର ସଙ୍କଟଜନକ ସ୍ଥିତି ଯୋଗୁଁ ତାମିଲନାଡ଼ୁ, ବିହାର, ଗୋଆରେ ବୋର୍‌ୱେଲ ଖୋଲିବା ଉପରେ କଟକଣା ଲାଗିଛି। ଭୂତଳ ଜଳ ଉତ୍ତୋଳନ ପାଇଁ ଠିକାଦାର ବା ନିର୍ମାଣକାରୀ ସଂସ୍ଥା ସ୍ବୀକୃତି ଦେବା ବେଳେ ଭୂତଳ ଜଳ ବୋର୍ଡର ଏନ୍‌ଓସି ବାଧ୍ୟତାମୂଳକ କରିବାକୁ କହିଥିଲେ। ହେଲେ ଏହାକୁ କେହି ମାନୁନାହାନ୍ତି। ଫଳରେ ସ୍ଥିତି ଉଦ୍‌ବେଗଜନକ ହେଉଛି। ବୋର୍‌ୱେଲ୍‌ରୁ ପଙ୍କୁଆ ଓ ନାଲିଆ ପାଣି ବାହାରୁଥିବା ଦେଖିବାକୁ ମିଳୁଛି। ଭୂତଳ ଜଳସ୍ତର ଯେଉଁ ପରିମାଣରେ ଉତ୍ତୋଳନ କରାଯାଉଛି, ସେଇ ଅନୁଯାୟୀ ରିଚାର୍ଜ କରିବା ବା ଜଳସ୍ତର ବୃଦ୍ଧି କରିବାର କୌଣସି ସ୍ଥାୟୀ ବ୍ୟବସ୍ଥା କରାଯାଉନଥିବାରୁ ସ୍ଥିତି ସଙ୍ଗିନ ହେବାରେ ଲାଗିଛି ବୋଲି ପରିବେଶବିତ୍‌ମାନେ କହିଛନ୍ତି।

 

ସମ୍ବନ୍ଧିତ ଖବର