ପୁରୀ: ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରି ହରିୟାଣାର ଜଣାଶୁଣା ୟୁଟ୍ୟୁବର୍‌ ଜ୍ୟୋତି ମାଲହୋତ୍ରା ଗିରଫ ହେବା ପରେ ଏବେ ପୁରୀ କାଳିକାଦେବୀ ସାହିର ପ୍ରିୟଙ୍କା ସେନାପତି ପୁଲିସ ସ୍କାନରକୁ ଆସିଛନ୍ତି। ଜ୍ୟୋତିଙ୍କ ସଂପର୍କରେ ଭାରତର ବୈଦେଶିକ ଗୁଇନ୍ଦା ସଂସ୍ଥା ‘ର’ଠାରୁ ସୂଚନା ପାଇବା ପରେ ତାଙ୍କ ସହ ସଂପର୍କରେ ଥିବା ଏକାଧିକ ବ୍ୟକ୍ତିଙ୍କୁ କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସି ଆଇବି ପଚରାଉଚରା କରୁଛି। ଏହି କ୍ରମରେ ପୁରୀର ୟୁ ଟ୍ୟୁବର୍‌ ପ୍ରିୟଙ୍କା ସେନାପତିଙ୍କ ଲିଙ୍କ୍‌କୁ ନେଇ ପୁରୀ ପୁଲିସ ତନାଘନା କରିଛି। ଏସ୍‌ପି ବିନିତ ଅଗ୍ରୱାଲଙ୍କ ନିର୍ଦ୍ଦେଶକ୍ରମେ ସିଟି ଡିଏସ୍‌ପି ପ୍ରଶାନ୍ତ ସାହୁ, ଟାଉନ୍ ଥାନା ଆଇଆଇସି ଗୋକୁଳ ରଞ୍ଜନ ଦାସ, ସିଂହଦ୍ୱାର ଥାନା ଆଇଆଇସି ଶ୍ୱେତପଦ୍ମା ଦାଶ ଆଜି ପ୍ରିୟଙ୍କାଙ୍କୁ ତାଙ୍କ ଘରେ ଦିନତମାମ ପଚରାଉଚରା କରିଥିଲେ।  ତେବେ ଏହି ଘଟଣାକୁ ନେଇ ଶ୍ରୀମନ୍ଦିର ପ୍ରତି କୌଣସି ବିପଦ ନାହିଁ ବୋଲି ଏସ୍‌ପି ବିନିତ ଅଗ୍ରୱାଲ କହିଛନ୍ତି। ସମସ୍ତ ଦିଗକୁ ନେଇ ତଦନ୍ତ ହେଉଛି। ରାଜ୍ୟ ଗୁଇନ୍ଦା ସଂସ୍ଥା, କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ମିଳିତ ଭାବେ ତଦନ୍ତ କରୁଛନ୍ତି। ହରିୟାଣା ପୁଲିସ ମଧ୍ୟ ସମ୍ପର୍କରେ ରହିଛି ବୋଲି ଏସ୍‌ପି ଶ୍ରୀ ଅଗ୍ରୱାଲ ଗଣମାଧ୍ୟମକୁ କହିଛନ୍ତି। 

Advertisment

ଯାହା ଜଣାପଡ଼ିଛି ୟୁଟ୍ୟୁବର୍‌ ଜ୍ୟୋତିଙ୍କ ସହିତ ପ୍ରିୟଙ୍କାଙ୍କର ସୋସିଆଲ୍‌ ମିଡିଆରୁ ବନ୍ଧୁତା ହୋଇଥିଲା। ଉଭୟଙ୍କର ସୋସିଆଲ ମିଡିଆରେ ଅନେକ ଫଟୋ ଓ ଭିଡିଓ ରହିଛି। ପହଲଗାମ୍‌ରେ ମଧ୍ୟ ଉଭୟଙ୍କ ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ଗତ ସେପ୍ଟେମ୍ବର ମାସରେ ଜ୍ୟୋତି ପୁରୀ ଆସିଥିବା ବେଳେ ପ୍ରିୟଙ୍କାଙ୍କ ସହିତ ଶ୍ରୀମନ୍ଦିର, ବେଳାଭୂମି, କୋଣାର୍କ ଓ ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନ ବୁଲିଥିଲେ। ମାତ୍ର ୯ ମାସର ସମ୍ପର୍କ ମଧ୍ୟରେ ଜ୍ୟୋତି ପୁରୀ ଆସିବା ଓ ପରେ ପ୍ରିୟଙ୍କା ପାକିସ୍ତାନ ଯିବା ନେଇ ସନ୍ଦେହ ସୃଷ୍ଟି ହୋଇଥିବାବେଳେ ସେ ସମ୍ପର୍କରେ ଖୋଳତାଡ଼ ଜାରି ରହିଛି।

ଭାଇରାଲ୍‌ ହେଉଛି ପହଲଗାମ୍‌ ଓ ପାକିସ୍ତାନ କର୍‌ତାରପୁର ଭିଡିଓ
ଆବଶ୍ୟକ ପଡ଼ିଲେ ମିଛଧରା ପରୀକ୍ଷା ହୋଇପାରେ
ମୋ ପାଇଁ ‘ଦେଶ ଆଗ’, ତଦନ୍ତରେ ପୂର୍ଣ୍ଣ ସହଯୋଗ କରିବି: ପ୍ରିୟଙ୍କା

ପ୍ରିୟଙ୍କା ପାକିସ୍ତାନର କର୍‌ତାରପୁର ଯାଇଥିବା ବେଳେ ସେଠାରେ କିଛି ବ୍ଲଗିଂ ମଧ୍ୟ କରିଥିଲେ। ପାକିସ୍ତାନ ଓ ପହଲଗାମ୍‌ ଯାଇଥିବା ପ୍ରିୟଙ୍କା ସ୍ବୀକାର ମଧ୍ୟ କରିଛନ୍ତି। ଏହି ସମୟରେ ସେମାନେ କେଉଁ କେଉଁ ସ୍ଥାନକୁ ଯାଇଛନ୍ତି, ପାକିସ୍ତାନ ଯିବାର କାରଣ କ’ଣ ଥିଲା, ଏଥିପାଇଁ କେଉଁ ସଂସ୍ଥା ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି, ପୁରୀ ରଥଯାତ୍ରା ସଂପର୍କରେ ସେ ଫଟୋ ଓ ତଥ୍ୟ ଜ୍ୟୋତିଙ୍କୁ ସେୟାର କରିଛନ୍ତି କି... ଏଭଳି ଅନେକ ପ୍ରଶ୍ନର ସମ୍ମୁଖୀନ ହୋଇଛନ୍ତି ପ୍ରିୟଙ୍କା। ଆଜି ଦୁଇଟି ପର୍ଯ୍ୟାୟରେ ପ୍ରିୟଙ୍କାଙ୍କୁ ପୁଲିସ ଦୀର୍ଘ ସମୟ ଧରି ଗୁଡ଼େଇ ତୁଡ଼େଇ ଜେରା କରିଛି। ଆଜି ରବିବାର ଥିବାରୁ ତାଙ୍କର ବ୍ୟାଙ୍କ କାରବାର ସଂପର୍କରେ ଯାଞ୍ଚ ହୋଇ ପାରିନାହିଁ। ଆବଶ୍ୟକ ପଡ଼ିଲେ ମିଛଧରା ପରୀକ୍ଷା (ଲାଏ ଡିଟେକ୍ସନ୍‌) ପାଇଁ ମଧ୍ୟ ତାଙ୍କୁ ନିଆଯାଇପାରେ ବୋଲି ପୁଲିସ କହିଛି।

ସେପଟେ ସୋସିଆଲ ମିଡିଆରେ ସ୍ପଷ୍ଟୀକରଣ ଦେଇ ‘ଦେଶ ଆଗ’ ବୋଲି ପ୍ରିୟଙ୍କା ପୋଷ୍ଟ କରିଛନ୍ତି। ପାକିସ୍ଥାନ ପାଇଁ ଜ୍ୟୋତି ଗୁଇନ୍ଦାଗିରି କରୁଥିବା ଜାଣିବା ପରେ ସେ ମର୍ମାହତ ବୋଲି ପୋଷ୍ଟରେ ଲେଖିଛନ୍ତି। ଅନ୍ୟପକ୍ଷରେ ଆମେ ତଦନ୍ତରେ ସବୁପ୍ରକାର ସହଯୋଗ କରିବୁ ବୋଲି ପ୍ରିୟଙ୍କାଙ୍କ ବାପା ରାଜକିଶୋର ସେନାପତି କହିଛନ୍ତି। ସେ ସ୍ବୀକାର କରିଛନ୍ତି ଯେ ଭିସା ଅନୁମତି ନେଇ ତାଙ୍କ ଝିଅ ପାକିସ୍ତାନର କର୍‌ତାରପୁର ଯାଇଥିଲା। ପ୍ରିୟଙ୍କା ତାଙ୍କ ସାଇଟ୍‌ରେ ଲେଖିଛନ୍ତି ଯେ ଅନେକ ଲୋକ ମୋତେ ସନ୍ଦେହ କରୁଛନ୍ତି। ପ୍ରଥମେ ସ୍ପଷ୍ଟ କରିବାକୁ ଚାହୁଛି, ଜ୍ୟୋତି କେବଳ ମୋର ଜଣେ ବନ୍ଧୁ ଥିଲେ। ମୁଁ ୟୁଟ୍ୟୁବ୍‌ ମାଧ୍ୟମରେ ତାଙ୍କ ସହିତ ଯୋଗାଯୋଗରେ ଆସିଥିଲି। ତାଙ୍କ ଉପରେ ଯେଉଁ ଅଭିଯୋଗ ହୋଇଛି ସେ ବିଷୟରେ ମୁଁ ଅଜ୍ଞ ଥିଲି। ଯଦି ମୁଁ ଜାଣିଥାନ୍ତି ଯେ ସେ ଶତ୍ରୁ ଦେଶ ପାଇଁ ଗୁପ୍ତଚରଗିରି କରୁଛନ୍ତି, ତେବେ ମୁଁ ତାଙ୍କ ସହିତ କେବେ ସଂପର୍କ ରଖିନଥାନ୍ତି। ଯଦି କୌଣସି ତଦନ୍ତକାରୀ ସଂସ୍ଥା ପ୍ରଶ୍ନ କରିବାକୁ ଚାହାନ୍ତି, ତେବେ ମୁଁ ପୂର୍ଣ୍ଣ ସହଯୋଗ ପ୍ରଦାନ କରିବି। ସର୍ବୋପରି ରାଷ୍ଟ୍ର ମୋ ପାଇଁ ସବୁଠୁ ବଡ଼ ବୋଲି ସେ ସ୍ପଷ୍ଟୀକରଣ ରଖିଛନ୍ତି। 

ଏହାମଧ୍ୟରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଭିଡିଓକୁ ପ୍ରିୟଙ୍କା ଡିଲିଟ୍‌ କରି ଦେଇଛନ୍ତି। ସେ ପାକିସ୍ତାନ ଯାଇଥିବା ଭିଡିଓ ତାଙ୍କ ସୋସିଆଲ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ଜ୍ୟୋତିଙ୍କ ସହ ଓଡ଼ିଆ ୟୁଟ୍ୟୁବର୍‌ ପୁରୀର ପ୍ରିୟଙ୍କାଙ୍କ ସମ୍ପୃକ୍ତି ରହିଥିବା ନେଇ ଏକ୍ସ ଆକାଉଣ୍ଟରେ ଡିଜିପିଙ୍କୁ ଅଭିଯୋଗ ହୋଇଥିଲା। ଏସ୍‌ପି ଶ୍ରୀ ଅଗ୍ରୱାଲ କହିଛନ୍ତି, ଶ୍ରୀମନ୍ଦିର ସୁରକ୍ଷା ପାଇଁ କୌଣସି ଅସୁବିଧା ନାହିଁ। ଏସ୍‌ଟିୟୁର ରକ୍ଷକ ଭ୍ୟାନ, ୧୨ ପ୍ଲାଟୁନ ଫୋର୍ସ ସହ ଶ୍ରୀମନ୍ଦିର ସଶସ୍ତ୍ର ସୁରକ୍ଷା ବାହିନୀ ମଧ୍ୟ ପ୍ରସ୍ତୁତ ରହିଛନ୍ତି। ତେଣୁ ଲୋକମାନେ ଭୟଭୀତ ନହେବା ପାଇଁ ସେ କହିଛନ୍ତି।