ପୁରୀର ନାମ ପରିବର୍ତ୍ତନ ପ୍ରସଙ୍ଗ: ବିଜେଡିର ବିକ୍ଷୋଭ, କୁଶପୁତ୍ତଳିକା ଦାହ

ପୃଥକ୍‌ ଭାବେ ପ୍ରତିବାଦ ଜଣାଇଲେ ଦୁଇଗୋଷ୍ଠୀ
ମୁଦ୍ରଣନଜିତ ତ୍ରୁଟି ବୋଲି କହିଲେ ଶ୍ରୀଜଗନ୍ନାଥ ସେନା
୫-ଟି ସଚିବ ପୁରୀ ଗସ୍ତବେଳେ ଦାବିପତ୍ର ପ୍ରଦାନ

ପୁରୀ : ପୁରୀର ନାମ ‘ଶ୍ରୀଜଗନ୍ନାଥ ପୁରୀ’ ନାମରେ ନାମିତ କରିବା ଦାବି ଦିଲ୍ଲୀରେ ପହଞ୍ଚିଛି। ବିଭିନ୍ନ ସଂଗଠନ ନାମ ପରିବର୍ତ୍ତନ ନେଇ କେନ୍ଦ୍ରମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ପ୍ରମୁଖଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦାବି ଏବେ ଜୋର୍‌ ଧରିଥିବାବେଳେ ଆରମ୍ଭ ହୋଇଛି ରାଜନୀତି। ବିଜେଡି ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ ଜଣାଇଛି। ବିଜୁ ଯୁବ ଜନତା ଦଳ ପକ୍ଷରୁ ଦୁଇ ଗୋଷ୍ଠୀ ପୃଥକ୍‌ ଭାବେ ବଡ଼ଦାଣ୍ଡରେ ପ୍ରତିବାଦ ଜଣାଇବା ସହ ବିଜେପି ନେତାଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି।

ଦେଶ ବିଦେଶରେ ପୁରୀର ନାମ ଶ୍ରୀଜଗନ୍ନାଥ ଧାମ ପୁରୀ ନାମରେ ପରିଚୟ ଲାଭ କରିଥିବାରୁ ପୁରୀ ନାମ ଶ୍ରୀଜଗନ୍ନାଥ ଧାମ ପୁରୀ କରିବା ଦାବିରେ ଶ୍ରୀଜଗନ୍ନାଥ ସେନା, ଶ୍ରୀ ଶ୍ରକ୍ଷେତ୍ର ସୂଚନା ସମେତ ୧୦ରୁ ଅଧିକ ସାମାଜିକ, ସାଂସ୍କୃତିକ ଓ ଧାର୍ମିକ ସଂଗଠନ ଏକାଠି ହୋଇଛନ୍ତି। ଗତକାଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ଏହି ପ୍ରସ୍ତାବକୁ ସ୍ବାଗତ ଜଣାଇଥିଲେ। ପୁରୀର ନାମ ଶ୍ରୀଜଗନ୍ନାଥ ଧାମ ପୁରୀ ହେଲେ ଭଲ ହୁଅନ୍ତା ବୋଲି ମତ ରଖିଥିଲେ। ଆଜି ବିଜେଡି ଏହାକୁ ଭିନ୍ନ ରଙ୍ଗ ଦେଇଛି। ଗତକାଲି ଶ୍ରୀଜଗନ୍ନାଥ ସେନା କେନ୍ଦ୍ରମନ୍ତ୍ରୀଙ୍କୁ ଏ ସମ୍ପର୍କିତ ଦାବିପତ୍ର ଦେବାବେଳେ ଧରିଥିବା ବ୍ୟାନରରେ ତ୍ରୁଟି ରହିଥିଲା। ‘ଶ୍ରୀଜଗନ୍ନାଥ’ଙ୍କ ନାମ ଭୁଲରେ ‘ଶ୍ରୀଜନ୍ନାଥ’ ବୋଲି ଉଲ୍ଲେଖ ରହିଥିଲା। ଆଜି ଏହା ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛି ପୁରୀ ଜିଲ୍ଲା ବିଜୁ ଯୁବ ଜନତା ଦଳ।

ବିଜୁ ଯୁବ ଜନତା ଦଳ ରାଜ୍ୟ ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ନେତୃତ୍ବରେ ବହୁ ନେତା ଓ କର୍ମୀ ଶ୍ରୀଜଗନ୍ନାଥ ବଲ୍ଲଭ ମଠ ସମ୍ମୁଖ ବଡ଼ଦାଣ୍ଡରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ଏଥିପାଇଁ ଦାୟୀ କରି ତାଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ତୁରନ୍ତ ମହାପ୍ରଭୁଙ୍କ ନିକଟରେ କ୍ଷମାପ୍ରାର୍ଥନା ପାଇଁ ଦାବି କରିଛନ୍ତି। ସେପଟେ ପୂର୍ବତନ ମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କ ପୁଅ ତଥା ବି‌ଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ସୁନିଲ ମହାନ୍ତିଙ୍କ ନେତୃତ୍ବରେ ଆଜି ମରିଚକୋଟ ଛକରେ ପ୍ରତିବାଦ ପ୍ରଦର୍ଶନ କରାଯାଇଛି। ଶ୍ରୀଜଗନ୍ନାଥଙ୍କ ନାମକୁ ‘ଶ୍ରୀଜନ୍ନାଥ’ ନାମରେ ଭୁଲ ଚିତ୍ରଣ ପୂର୍ବକ ମହାପ୍ରଭୁଙ୍କ ପ୍ରତି ଅପମାନ ପ୍ରଦର୍ଶନ କରାଯାଇଥିବା ଅଭି ଯୋଗ କରି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଓ ବିଜେପିର ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।

ଅନ୍ୟପକ୍ଷରେ, ଏହା ମୁଦ୍ରଣଜନିତ ତ୍ରୁଟି ବୋଲି ଦର୍ଶାଇ ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କ୍ଷମାପ୍ରାର୍ଥନା କରିଛନ୍ତି। ବ୍ୟାନରରେ ଶ୍ରୀଜଗନ୍ନାଥଙ୍କ ନାମ ଇଂରାଜୀ ଓ ହିନ୍ଦୀରେ ଠିକ୍‌ ଥିଲା ବୋଲି ସେ କହିଛନ୍ତି। ଏଥିସହିତ, ଆଜି ସକାଳେ ପୁରୀ ଗସ୍ତରେ ଆସିଥିବା ୫-ଟି ସଚିବ ଭି କେ ପାଣ୍ଡିଆନଙ୍କୁ ସିଂହଦ୍ବାରରେ ‌ଭେଟି ଶ୍ରୀଜଗନ୍ନାଥ ସେନା ପୁରୀର ନାମ ସହ ଶ୍ରୀଜଗନ୍ନାଥ ଯୋଡ଼ିବାକୁ ଦାବିପତ୍ର ଦେଇଛି। ଶ୍ରୀ ପାଣ୍ଡିଆନ୍‌ ଏହି ଦାବି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ନାମ ପରିବର୍ତ୍ତନକୁ ମୁଁ ବିରୋଧ କରୁନି: ଶଙ୍କରାଚାର୍ଯ୍ୟ
ପୁରୀ : ପୁରୀର ନାମ ପରିବର୍ତ୍ତନକୁ ମୁଁ ବିରୋଧ କରୁନି କି ମୋର କିଛି ଆପତ୍ତି ନାହିଁ। କିନ୍ତୁ ମୁଁ ଏହାର ଆବଶ୍ୟକତା ମନେ କରୁନି। ପୁରୀର ନାମ ପରିବର୍ତ୍ତନକୁ ନେଇ ଉଠିଥିବା ବିବାଦ ଉପରେ ଆଜି ଏପରି ମତ ଦେଇଛନ୍ତି ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ।

ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ କେବଳ ଜଗନ୍ନାଥ କହିଦେଲେ ଲୋକେ ପୁରୀର ନାଁ ଜାଣିପାରିବେନି। କିନ୍ତୁ କେବଳ ପୁରୀ କହିଦେଲେ, ଲୋକେ ଜଗନ୍ନାଥ ପୁରୀ ବୋଲି ଜାଣିଯିବେ। ପୁରୀ ଏଭଳି ପ୍ରସିଦ୍ଧି ଲାଭ କରିଛି ଯେ ଯଦି କେହି ପୁରୀ ନାମ ଉଚ୍ଚାରଣ କରିବ, ତେବେ ଆପେ ଆପେ ଜଗନ୍ନାଥ ଧାମ ପୁରୀ ବୋଲି ଲୋକେ କହିବେ। ଅଯୋଧ୍ୟା କହିଲେ ଅଯୋଧ୍ୟା, ମଥୁରା କହିଲେ ମଥୁରା, ମାୟା କହିଲେ ମାୟାପୁରୀ, ଦ୍ବାରିକା କହିଲେ ଦ୍ବାରିକା ବୋଲି ଲୋକେ ଜାଣିପାରିବେ। କିନ୍ତୁ ପୁରୀ ଏପରି ଏକ ଧାର୍ମିକ ସ୍ଥଳ, ଯାହାର ନାମ ଉଚ୍ଚାରଣ କରିଦେଲେ ସାରା ବିଶ୍ବର ‌ଲୋକେ ଜଗନ୍ନାଥ ଧାମ ପୁରୀ ବୋଲି କହିବେ। ମୁଁ ଯାହା ଗତକାଲି କହିଥିଲି, ତାହା ଆଜି ବି କହୁଛି। ପୁରୀ ଆଗରୁ ଜଗନ୍ନାଥଙ୍କ ନାମ ଲଗାଇବା ଅନାବଶ୍ୟକ। ଏହା ଏକ ବିଶେଷଣ ପଦ। ବିଶେଷଣ ଏଭଳି ଜାଗାରେ ଲଗାଇବା ଦରକାର, ଯେଉଁଠି ଏହାର ଆବଶ୍ୟକତା ରହିଛି। କିନ୍ତୁ ପୁରୀ ଆଗରେ ଏଭଳି ବିଶେଷଣର ଆବଶ୍ୟକତା ନାହିଁ। ନିଜର ଉଦାହରଣ ଦେଇ ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ କେବଳ ଶଙ୍କରାଚାର୍ଯ୍ୟ କହି‌ଦେଲେ ଆଦି ଶଙ୍କରାଚାର୍ଯ୍ୟଙ୍କୁ ବୁଝାଉଛି। ସେଠି ଆଦି ଶଙ୍କରାଚାର୍ଯ୍ୟ କହିବା ଅନାବଶ୍ୟକ। ତଥାପି ଯଦି ପୁରୀ ଆଗରୁ ଶ୍ରୀଜଗନ୍ନାଥ ଧାମ ଲଗାଇବାର ଅଛି, ଲଗାନ୍ତୁ, ମୋର କିଛି ଆପତ୍ତି ନାହିଁ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି।

ସମ୍ବନ୍ଧିତ ଖବର