ପୁରୀ: ବିଶ୍ବ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ପାଇଥିବା ଶ୍ରୀକ୍ଷେତ୍ର ପୁରୀରେ ଫେଲ୍ ମାରିଛି ପ୍ରାୟ ୨ଶହ କୋଟି ଟଙ୍କାର ସ୍ୱେରେଜ ବ୍ୟବସ୍ଥା। ସରକାରଙ୍କ ପକ୍ଷରୁ ଏତେ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ସ୍ବେରେଜ୍ ଲାଇନ୍ ଠିକ୍ରେ ନିର୍ମାଣ ହୋଇନଥିବାରୁ ଆବର୍ଜନା ପାଣି ସ୍ବେରେଜ ଲାଇନ୍ ଜରିଆରେ ନିଷ୍କାସନ ନ ହୋଇପାରି ରାସ୍ତାରେ ଭାସୁଛି। ଅନ୍ୟପଟେ ପ୍ରତି ବର୍ଷ ସ୍ୱେରେଜ୍ ଯୋଗୁ କେଉଁଠି ଚାମ୍ବର ଦବୁଛି ତ କେଉଁଠି ରାସ୍ତା ଧସି ଯାଉଛି।ଶ୍ରୀକ୍ଷେତ୍ର ପୁରୀର ପ୍ରମୁଖ ରାସ୍ତାଘାଟରେ ଯା’ଆସ ବେଳେ ଗାଡ଼ିମୋଟର ବି ଭୂଗର୍ଭସ୍ଥ ହୋଇଯିବାର ଆଶଙ୍କା ଦେଖାଦେଇଛି। ନିକଟରେ ପର୍ଯ୍ୟଟକଙ୍କ ପାଇଁ ବ୍ୟସ୍ତବହୁଳ ସିଟି ରୋଡ୍ ଚାରି ଚାରି ଥର ଧସିଯିବା ଏହି ଆଶଙ୍କାକୁ ଦୃଢ଼ୀଭୂତ କରିଛି।
୧୯୯୭ ମସିହାରେ ପୁରୀ ସହରର ଡ୍ରେନେଜ୍ ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବେରେଜ୍ ବୋର୍ଡ଼ ଜରିଆରେ ୨ଶହ କୋଟି ଟଙ୍କାର ଡିପିଆର୍(ଡିଟେଲ୍ ପ୍ରୋଜେକ୍ଟ ରିପୋର୍ଟ) ପ୍ରସ୍ତୁତ ହୋଇଥିଲା। ନାଗପୁରସ୍ଥିତ ନ୍ୟାସନାଲ ଏନ୍ଭାର୍ଣ୍ଣମେଣ୍ଟାଲ ଇଂଜିନିୟରିଂ ରିସର୍ଚ ଇନଷ୍ଟିଚ୍ୟୁଟ ସର୍ଭେ କରି ଏହି ଡିପିଆର୍ ପ୍ରସ୍ତୁତ କରିଥିଲା। ପ୍ରକଳ୍ପକୁ ମଞ୍ଜୁରି ପରେ ବାହାର ରାଜ୍ୟର ଏକ ଠିକା ସଂସ୍ଥା ଜରିଆରେ କାମ ବି ଆରମ୍ଭ ହେଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ୧୬.୮୪ ବର୍ଗ କିଲୋମିଟର ଅଞ୍ଚଳ ପାଇଁ ୯୦ କୋଟି ଖର୍ଚ୍ଚ କରାଯାଇଥିଲା। ପରବର୍ତ୍ତୀ ସମୟରେ ବାକି ଅର୍ଥ ଖର୍ଚ୍ଚ କରାଗଲା। ଏହି ଅର୍ଥରେ ସହରର ପ୍ରମୁଖ ରାସ୍ତାମାନଙ୍କରେ ୧୨୫.୫୫ କିଲୋମିଟର, ସାହିମାନଙ୍କରେ ୭୨.୩୨ କିଲୋମିଟର, ପମ୍ପିଂ ଲାଇନ ପାଇଁ ୧୧.୮୬ କିଲୋମିଟର ସ୍ବେରେଜ୍ ଲାଇନ ନିର୍ମାଣ କରାଯାଇଥିବା ଦର୍ଶାଗଲା। ୮ହଜାର ମ୍ୟାନ୍ହୋଲ ବି କରାଗଲା। ଏଥିସହ ୧୫ ଏମ୍ଏଲ୍ଡି କ୍ଷମତା ବିଶିଷ୍ଟ ୧୦ଟି ପମ୍ପିଂ ଷ୍ଟେସନ ଓ ସ୍ବେରେଜ୍ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ ବି କରାଗଲା। ପ୍ରଥମ ପର୍ଯ୍ୟାୟରେ ସ୍ବେରେଜ୍ ପାଇପ୍ ଲାଇନ୍ ବିଛା, ଦ୍ବିତୀୟ ପର୍ଯ୍ୟାୟରେ ମ୍ୟାନ୍ହୋଲ, ତୃତୀୟ ପର୍ଯାୟରେ ପମ୍ପିଂ ଷ୍ଟେସନ୍ ଓ ଚତୁର୍ଥ ପର୍ଯ୍ୟାୟରେ ଟ୍ରିଟ୍ ପ୍ଲାଣ୍ଟ ନିର୍ମାଣ ହେଲା। ମାଟିର ୧୨ ଫୁଟ ତଳେ ସ୍ବେରେଜ୍ ପାଇପ ବିଛାଗଲା।
ଧସୁଛି ରାସ୍ତା, ବିପଦରେ ପର୍ଯ୍ୟଟକ
ସିଟି ରୋଡ୍ରେ ୪ ଥର ଧସିଲାଣି ରାସ୍ତା, ବଡ଼ଦାଣ୍ଡ ଓ ନବକଳେବର ରୋଡ୍ରେ ବାରମ୍ବାର ଦବୁଛି ଚାମ୍ବର
ମଙ୍ଗଳାଘାଟରେ ଟ୍ରିଟମେଣ୍ଟ୍ ପ୍ଲାଣ୍ଟ୍ ସ୍ଥାପନ ହେଲା। ଲକ୍ଷ୍ୟ ଥିଲା, ଏହି ପ୍ରକଳ୍ପ ଦ୍ବାରା ପୁରୀ ସହରର ୧୮ହଜାର ପରିବାର ଓ ବ୍ୟବସାୟିକ ଅନୁଷ୍ଠାନର ଆବର୍ଜନା ପାଣି ସ୍ବେରେଜ୍ ପାଇପ ଲାଇନ୍ ଜରିଆରେ ଟ୍ରିଟମେଣ୍ଟ ପ୍ଲାଣ୍ଟ୍ରେ ପହଞ୍ଚାଇ ଏହାକୁ ବିଶୋଧନ କରି ମଙ୍ଗଳା ନଈରେ ଛାଡ଼ିବା। ସ୍ବେରେଜ ଜରିଆରେ ଆବର୍ଜନା ପାଣି ଓ ଛୋଟମୋଟ ନାଳ ଜରିଆରେ କେବଳ ବର୍ଷା ପାଣିକୁ ନିଷ୍କାସନ କରିବା। କିନ୍ତୁ ଏହି ପ୍ରକଳ୍ପ ଓ ମହତ୍ତ୍ବକାଂକ୍ଷୀ ଲକ୍ଷ୍ୟ ବିଫଳ ହୋଇଛି। ଆରମ୍ଭ ଦିନରୁ ପ୍ରକଳ୍ପ ଠିକ୍ ଭାବେ କାର୍ଯ୍ୟକ୍ଷମ ହୋଇପାରିନି। ଫଳସ୍ବରୂପ ଜନଗହଳିପୂର୍ଣ୍ଣ ସିଟି ରୋଡ୍ ୬ ମାସ ଭିତରେ ୪ ଥର ଧସିଲାଣି। ଅନ୍ୟପଟେ ସେ ବଡ଼ଦାଣ୍ଡ ହେଉ କି ଜାତୀୟ ରାଜପଥ, ସବୁଠି ଏବେ ସ୍ବେରେଜ୍ ଚାମ୍ବର ସବୁ ଦବିବା ଆରମ୍ଭ କରିଛି। ନିକଟରେ ପ୍ରାୟ ୨ କୋଟି ଟଙ୍କାରେ ନବକଳେବର ରୋଡ୍ର ପୁନରୁଦ୍ଧାର କରାଯାଇଥିଲା। କିନ୍ତ ମାଟିଆପଡ଼ାରୁ ଆଖଣ୍ଡଳମଣି ମନ୍ଦିର ଛକ ଭିତରେ ଥିବା ଏକ ସ୍ବେରେଜ୍ ଚାମ୍ବର ଦବିବାରୁ ଏହି ରାସ୍ତା ଖରାପ ହୋଇଯାଇଛି। ଏହି ଚାମ୍ବର ଦବିବା ଫଳରେ ରାସ୍ତା ଦବିବା ଆକାର କ୍ରମଶଃ ବଢ଼ୁଥିବାରୁ ଯେ କୌଣସି ମୁହୂର୍ତ୍ତରେ ଏହି ବାଟ ଦେଇ ଯାଉଥିବା ବସଯାତ୍ରୀ ଦୁର୍ଘଟଣାର ଶିକାର ହେବା ଆଶଙ୍କା ଦେଖାଦେଇଛି। ସେହିଭଳି ଅବକାଶ ଲେନ୍ ହଲିଡେ୍ ହୋମ୍ ସମ୍ମୁଖ, ବଳଗଣ୍ଡି ମାଉସୀ ମା’ ମନ୍ଦିର ନିକଟ, ବେଳାମାର୍ଗରେ ଅନେକ ସ୍ଥାନରେ ଚାମ୍ବର ଦବିଯିବାରୁ ଆବର୍ଜନା ପାଣି ରାସ୍ତା ଉପରେ ଭାସୁଛି। ନନ୍ଦିଘୋଷ ଲେନ୍ରେ ଚାମ୍ବର ଦବିଯିବାରୁ ରାସ୍ତା ଧସିଯାଇ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ଫଳରେ ଏହି ରାସ୍ତା ଦେଇ ଯା’ଆସ କରୁଥିବା ପ୍ରାୟ ୮ହଜାର ସହରବାସୀ ପ୍ରଭାବିତ ହେଉଛନ୍ତି।
ସ୍ବେରେଜ୍ ବୋର୍ଡ଼ ଓ ଠିକା ସଂସ୍ଥା କାମ ସାରି ଚାଲିଯିବା ପରେ ଏବେ ୱାଟ୍କୋ ସ୍ବେରେଜ୍ ପରିଚାଳନା ଦାୟିତ୍ବ ମୁଣ୍ଡାଇଛି। ୱାଟ୍କୋ ଅଧିକାରୀଙ୍କ କହିବା କଥା, ଯେଉଁ ସ୍ବେରେଜ ୍ପାଇପ ଲାଇନ୍ ବିଛା ଯାଇଥିଲା, ତାହା ଠିକ୍ରେ ସ୍ବେରେଜ ଚାମ୍ବର ସହ ସଂଯୋଗ ହୋଇନି। ଫଳରେ ସ୍ବେରେଜ ଚାମ୍ବରକୁ ଠିକ୍ରେ ଆବର୍ଜନା ପାଣି ଯାଉନି। ସ୍ବେରେଜ୍ ପାଇପ୍ ଲାଇନ୍ ଦେଇ ଯେଉଁ ପାଣି ଆସୁଛି, ତାହା ଚାମ୍ବର ଦେଇ ପମ୍ପିଂ ଷ୍ଟେସନ୍କୁ ଯାଇନପାରି ସ୍ବେରେଜ ଚାମ୍ବର ବା ମ୍ୟାନହୋଲ୍ ଦେଇ ବାହାରେ ଭାସୁଛି। ଆବଶ୍ୟକ ଅନୁଯାୟୀ, ପମ୍ପିଂ ଷ୍ଟେସନ୍କୁ ପାଣି ପହଞ୍ଚି ପାରୁନଥିବାରୁ ପମ୍ପିଂ ବେଳେ ବାଲି, ଗୋଡ଼ି ମାଟି ସବୁ ଟାଣି ହୋଇ ପଳାଇଆସୁଛି। ଯାହାର ପରିଣାମ, ବିଭିନ୍ନ ସ୍ଥାନରେ ରାସ୍ତା ଦବିବା ସହ ଧସୁଛି। ଏଭଳି ସ୍ଥିତି ଲାଗି ରହିବାରୁ ଯେଉଁ ୮ହଜାର ମ୍ୟାନହୋଲ୍ ତିଆରି ହୋଇଥିଲା, ସେଥିରୁ ପ୍ରାୟ ୪ହଜାର ମାଟି, ଗୋଡ଼ି, ବାଲିରେ ପୋତି ହୋଇଗଲାଣି। ଏହି ସ୍ବେରେଜ ଲାଇନ୍ ବ୍ୟବସ୍ଥା ସମ୍ପର୍କରେ ସମସ୍ତେ ଅଜ୍ଞ। ଠିକା ସଂସ୍ଥା ଓ ସ୍ବେରେଜ ବୋର୍ଡ କାମ ସାରି ଚାଲିଯିବା ପରେ ଏହି ସ୍ବେରେଜ ଲାଇନ୍ର ନକ୍ସା ଓ କାର୍ଯ୍ୟକ୍ଷମ ପ୍ରଣାଳୀ ଜ୍ଞାନ କାହାରି ପାଖରେ ନାହିଁ। ଫଳରେ ସ୍ବେରେଜ ଲାଇନ୍ ଜରିଆରେ କିଭଳି ଆବର୍ଜନା ପାଣି ନିଷ୍କାସନ ବାଟ ତିଆରି ହୋଇଥିଲା, ତାହା କେହି ଜାଣି ପାରୁନାହାନ୍ତି। ଯେଉଁ ଜାଗାରେ ଚାମ୍ବର ଦବୁଛି, ସେହି ଜାଗା ମରାମତି କରି ନିଜ ଦାୟିତ୍ବ ଶେଷ କରି ଦେଉଛି ୱାଟ୍କୋ। ଏପଟେ ସ୍ବେରେଜର ଆବର୍ଜନା ପାଣିରେ ଅଣନିଃଶ୍ବାସୀ ହେଉଛନ୍ତି ସହରବାସୀ।