ପ୍ରତ୍ୟୁଷା, ପୂର୍ଣ୍ଣଚନ୍ଦ୍ରଙ୍କ ଇସ୍ତଫା

ଅରୁଣଙ୍କ ବିରୋଧ‌ରେ ଅସନ୍ତୋଷ ଓଗାଳିଲେ, ବିଜେପିରେ ଯୋଗଦେଲେ ପୂର୍ଣ୍ଣଚନ୍ଦ୍ର

କନ୍ଧମାଳ/ ନୟାଗଡ଼ : ଆଜି ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ ଓ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ ସିଂହ ବିଜେଡିରୁ ଇସ୍ତଫା ଦେଇଛନ୍ତି। ପୂର୍ଣ୍ଣଚନ୍ଦ୍ର ଇସ୍ତଫା ପରେ ତତ୍‌କ୍ଷଣାତ୍‌ ବିଜେପିରେ ଯୋଗଦାନ କରିଥିବା ବେଳେ ପ୍ରତ୍ୟୁଷା କଂଗ୍ରେସ ସହ ଯୋଗାଯୋଗରେ ଥିବା ଚର୍ଚା ହେଉଛି। ପ୍ରତ୍ୟୁଷା ନୟାଗଡ଼ରୁ ନିଶ୍ଚିତ ଭାବେ ବିଧାୟିକା ପ୍ରାର୍ଥୀ ଭାବେ ଲଢିବେ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିବା ବେଳେ ଏଥିନେଇ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ମଧ୍ୟ ପୋଷ୍ଟ କରିଛନ୍ତି।

ପ୍ରତ୍ୟୁଷା ଓ ପୂର୍ଣ୍ଣଚନ୍ଦ୍ର ଉଭୟ ଦଳ ଛାଡ଼ିବା ପରେ ବିଜୁ ଜନତା ଦଳର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ତାଙ୍କ ଟିକେଟ କାଟିବାରେ ଚକ୍ରାନ୍ତ କରିଥିବା ଅଭିଯୋଗ ଆଣିବା ସହ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କୁ ଏଥିପାଇଁ ଦାୟୀ କରିଛନ୍ତି। ପ୍ରତ୍ୟୁଷାଙ୍କ ସ୍ବାମୀ ସାଂସଦ ହେମେନ୍ଦ୍ର ଚନ୍ଦ୍ର ସିଂହଙ୍କ ମୃତ୍ୟୁ ପରେ ତାଙ୍କୁ ବିଭିନ୍ନ ଆଇନଗତ ମାମଲା‌ ଜରିଆରେ ନୟାଗଡ଼ ବିଧାୟକ ଡ. ସାହୁ ହଇରାଣ କରୁଥିବା, ଏପରିକି ନୟାଗଡ଼ରେ ତାଙ୍କ ସ୍ବାମୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନକୁ ମଧ୍ୟ ଅରୁଣ ଚକ୍ରାନ୍ତ କରି ଅଟକାଇଥିବା ପ୍ରତ୍ୟୁଷା ଇସ୍ତଫାପତ୍ରରେ ଦର୍ଶାଇଛନ୍ତି। ବିଜେଡି ମହିଳା ସଶକ୍ତିକରଣର କଥା କହୁଥିବା ବେଳେ ଜଣେ ମହିଳା ସାଂସଦଙ୍କୁୁ ନୟାଗଡ଼ରେ ବିଧାୟକ ଡ. ସାହୁ ହଇରାଣ କରୁଥିବା ନେଇ ଦଳକୁ ଜଣାଇଥିଲେ ମଧ୍ୟ ଦଳ ଏ ବାବଦରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ପ୍ରତ୍ୟୁଷା ଅଭିେଯାଗ କରିଛନ୍ତି। ସେ ଆହୁରି ଦର୍ଶାଇଛନ୍ତି, ତାଙ୍କୁ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଥିଲା। ହେଲେ ପରବର୍ତୀ ସମୟରେ ବିକ୍ରମ ଆରୁଖ ଚାହୁନଥିବାରୁ ତାଙ୍କ ଟିକେଟ୍ ଦିଆଗଲା ନାହିଁ।

୨୦୧୪ ନିର୍ବାଚନରେ ହେମେନ୍ଦ୍ର ସିଂଙ୍କ ପରଲୋକ ପରେ ଉପନିର୍ବାଚନରେ ଦଳ ତାଙ୍କ ପତ୍ନୀ ପ୍ରତ୍ୟୁଷାଙ୍କୁ ପ୍ରାର୍ଥୀ କରିଥିଲା। ପ୍ରତ୍ୟୁଷା ପାଖାପାଖି ୪ ଲକ୍ଷ ଭୋଟ ବ୍ୟବଧାନରେ ବିଜୟୀ ହୋଇ ଥିଲେ। ସେ ଲୋକଙ୍କ ପାଇଁ କାମ କରିବା ସହ ଦଳର ନିର୍ଦ୍ଦେଶ ଅନୁଯାୟୀ ସଂଗଠନ କଥା ବୁଝୁଥିଲେ। ଏହା ସତ୍ତ୍ବେ ତାଙ୍କୁ ଟିକେଟ ନ ମିଳିବା ବିଡମ୍ବନାର ବିଷୟ ବୋଲି ପ୍ରତ୍ୟୁଷା କହିଛନ୍ତି। ତାଙ୍କୁ ଗତ ୧୧ ତାରିଖରେ ନବୀନ ନିବାସ ଡକା‌ଯାଇଥିଲା। ଆଉ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ସୁପ୍ରିମୋ କହିଥିଲେ। ଏହା ପରେ ତାଙ୍କୁ ଟିକେଟ୍ ନମିଳିବା ଆଘାତ ଦେଇଛି େବାଲି ସେ କହିଛନ୍ତି।
ସେହିପରି ପୂର୍ଣ୍ଣଚନ୍ଦ୍ର ନାୟକ କହିଛନ୍ତି, ଦଶପଲ୍ଲାରେ ସେ ଦଳ ପାଇଁ କାର୍ଯ୍ୟ କରିବା ସହ ଅନେକ ଉନ୍ନତିମୂଳକ କାର୍ଯ୍ୟ କରିଛନ୍ତି। ୨୦୧୪ ନିର୍ବାଚନରେ ସେ ୫୭ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ। ଦଶପଲ୍ଲା ଏକ ସଂରକ୍ଷିତ ଆସନ ହୋଇଥିବା ବେଳେ ନିଜ ଜାତିର ୩୫ ହଜାର ଭୋଟରଙ୍କ ସମର୍ଥନ ତାଙ୍କ ପ୍ରତି ଥିଲା। ବିଜେଡି ତାଙ୍କୁ ଟିକେଟ୍‌ ନଦେଇ ହଜାର ହଜାର ହରିଜନ ଓ ଆଦିବାସୀଙ୍କ ପ୍ରତି ଅନ୍ୟାୟ କରିଛି। ଦଳ ଦଶପଲ୍ଲା ପାଇଁ ଆଗାମୀ ନିର୍ବାଚନରେ ଯେଉଁ ବ୍ୟକ୍ତିଙ୍କୁ ଟିକେଟ ଦେବାକୁ ଘୋଷଣା କରିଛି, ସେ ବ୍ୟକ୍ତି ତାଙ୍କ ଚାକିରିକାଳରେ ଆଦିବାସୀ, ହରିଜନଙ୍କ ପାଇଁ ଆସିଥିବା ୭ କୋଟି ଟଙ୍କା ଆତ୍ମସାତ୍ କରିଛନ୍ତି। ଏଣୁ ବିଜେଡିରୁ ଇସ୍ତଫା ଦେଇଥିବା କଥା ପୂର୍ଣ୍ଣଚନ୍ଦ୍ର ତାଙ୍କ ଇସ୍ତଫାପତ୍ରରେ ଦର୍ଶାଇଛନ୍ତି। ଏହି ପରିପ୍ରେକ୍ଷୀ‌ରେ ପୂର୍ଣ୍ଣଚନ୍ଦ୍ରଙ୍କୁ ବି‌ଜେପି ଦଶପଲ୍ଲାରୁ ପ୍ରାର୍ଥୀ କରିବାର ଯଥେଷ୍ଟ ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର