ପୂର୍ଣ୍ଣିମା ବେଳକୁ ବେଫିକର! : ଚାକିରି ଖଣ୍ଡେ ପାଇଁ ନୟାନ୍ତ, ଅଭ୍ୟାସ ବାଧାପ୍ରାପ୍ତ

ଭୁବନେଶ୍ବର : ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରରେ ସଫଳ କ୍ରୀଡ଼ାବିତଙ୍କୁ ରାଜ୍ୟ ସରକାର ଚାକିରି ଯୋଗାଇଦେବା ଲାଗି ନିୟମ ରଖିଥିବା ଡିଣ୍ଡିମ ପିଟୁଛନ୍ତି। କିନ୍ତୁ ଅସଲ ଚିତ୍ର ଅଲଗା। ଏ କ୍ଷେତ୍ରରେ ସରକାରଙ୍କ ଟାଳଟୁଳ ତଥା କାଳ‌କ୍ଷେପଣ ନୀତି ଖେଳାଳିଙ୍କ ପ୍ରଗତିର ପ୍ରତିବନ୍ଧକ ସାଜିଛି। ସେମାନେ ପ୍ରୋତ୍ସାହିତ ହେବା ପରିବର୍ତେ ନିରୁତ୍ସାହିତ ହୋଇପଡୁଛନ୍ତି। ଏହାର ଏକ ଜ୍ବଳନ୍ତ ଉଦାହରଣ ହେଉଛନ୍ତି ଦୁଇ ଦୁଇ ଥର ଏସୀୟ ଦୌଡ଼କୁଦ ପଦକ ବିଜୟିନୀ ପୂର୍ଣ୍ଣିମା ହେମ୍ବ୍ରମ। ଆଦିବାସୀ ଝିଅଟିଏ ହୋଇଥିବାରୁ ତାଙ୍କ ଦୁଃଖ ବୁଝିବାକୁ କେହି ନାହାନ୍ତି। ସରକାରଙ୍କ ଦ୍ବାରସ୍ଥ ହୋଇ ନିଜକୁ ନିଜେ କେତେ ଯୋଗ୍ୟ ବୋଲି ପ୍ରମାଣିତ କରିବା ଲାଗି ପୂର୍ଣ୍ଣିମାଙ୍କ ପାଖରେ ନା ଅଛି ଉତ୍ସ ନା ସାହା ଭରସା। ଏଇଥିପାଇଁ ଏତେ ଅନ୍ତର୍ଜାତୀୟ ସଫଳତା ପରେ ବି ଅବହେଳିତ ଓ ଉପେକ୍ଷିତ ରହି ଆସିଛନ୍ତି ପୂର୍ଣ୍ଣିମା। ଆଉ ଏବେ ଅଭ୍ୟାସ ଛାଡ଼ି ସରକାରୀ ଦପ୍ତର ବୁଲି ବୁଲି ଚାକିରି ଭିକ୍ଷା କରୁଛନ୍ତି। ପୂର୍ବରୁ ଅନ୍ତର୍ଜାତୀୟସ୍ତରରେ ସୁନାମ ଅର୍ଜନ କରିଥିବା ଓଡ଼ିଆ ଧାବିକା ଦୂତି ଚାନ୍ଦଙ୍କ ପାଇଁ ସରକାର ସହାୟତାର ସବୁ ଦ୍ବାର ଖୋଲି ଦେଇଥିବାବେଳେ ପୂର୍ଣ୍ଣିମାଙ୍କ ଭଳି ରାଜ୍ୟର ଜଣେ ଆଗଧାଡ଼ିର କ୍ରୀଡ଼ାବିତଙ୍କ ବେଳକୁ କାହିଁକି ଏତେ ବେଫିକର, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ଆସିଥିବା ପୂର୍ଣ୍ଣିମା ଦୌଡ଼କୁଦ ଦୁନିଆର ସବୁଠୁ କଷ୍ଟକର ଇଭେଣ୍ଟ୍‌ ହେପ୍ଟାଥଲନ୍‌ (୭ଟି ପ୍ରତିଯୋଗିତାର ସମ୍ମିଶ୍ରଣ)ରେ ଭାଗ ନିଅନ୍ତି। ଏକାଧିକ ଥର ଜାତୀୟ ପଦକ ହାସଲ କରିବା ସହିତ ୨୦୧୫ ଏବଂ ୨୦୧୭ ମସିହାରେ ଏସୀୟ ଦୌଡ଼କୁଦ ପ୍ରତିଯୋଗିତାରେ ସେ କାଂସ୍ୟ ପଦକ ଜିତିଥିଲେ। ୨୦୧୭ ମସିହାରେ ଅସବଗଟ୍‌ ଏସୀୟ ଇନ୍‌ଡୋର୍‌ ଏବଂ ସାମରିକ କଳା କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ୨୦୧୮ ମସିହାର ଜାକର୍ତା-ପାଲେମବାଗ ଏସୀୟ କ୍ରୀଡ଼ାରେ ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ପଦକରୁ ବଞ୍ଚିତ ରହିଥିଲେ। ଦୂତି ଚାନ୍ଦଙ୍କ ଭଳି ପୂର୍ଣ୍ଣିମା ମଧ୍ୟ ୧୦୦ ମିଟରରେ ଜାତୀୟ ସ୍ବର୍ଣ୍ଣ ପଦକ ବିଜୟିନୀ ହେବାର ଗୌରବ ଅର୍ଜନ କରିଛନ୍ତି। ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରରେ ଦୁଇ ଡଜନ ପାଖାପାଖି ପଦକ ଜିତି ସାରିଥିବା ପୂର୍ଣ୍ଣିମାଙ୍କୁ ଓଡ଼ିଶା ସରକାର ପ୍ରୋତ୍ସାହିତ କରିଛନ୍ତି ସତ, କିନ୍ତୁ ବିଶ୍ବସ୍ତରୀୟ ସଫଳତା ଲାଗି ଦକ୍ଷତା ଥିବା ସତ୍ତ୍ବେ ତାଙ୍କୁ ମାର୍ଗଦର୍ଶନ ନମିଳିବାରୁ ସେ ଏବେ ତାଙ୍କ ମୁଖ୍ୟ ଲକ୍ଷ୍ୟ ଖେଳକୁ ପଛରେ ପକାଇ ଚାକିରି ପଛରେ ଦୌଡ଼ିଛନ୍ତି।

ଖେଳ ଜୀବନର ପ୍ରାରମ୍ଭିକ ଜାତୀୟ ସଫଳତା ଆଧାରରେ ପୂର୍ଣ୍ଣିମାଙ୍କୁ ପୂର୍ବତଟ ରେଳବାଇ ଜୁନିୟର କ୍ଲର୍କ ପଦ ଦେଇଛି। କିନ୍ତୁ ଅଭ୍ୟାସ ଏବଂ ପ୍ରତିଯୋଗିତାରେ ବ୍ୟସ୍ତତା ଯୋଗୁଁ ଅଫିସ୍ ପାଇଁ ସମୟ ଦେଇ ପାରୁନଥିବାରୁ ତାଙ୍କୁ ୫ ବର୍ଷ ହେଲାଣି ଇନକ୍ରିମେଣ୍ଟ୍‌ କି ପଦୋନ୍ନତି ମିଳିପାରିନି। ଖେଳାଳିଙ୍କୁ ସାଧାରଣତଃ ଚାକିରି କ୍ଷେତ୍ରରୁ ପ୍ରତିଯୋଗିତା ପ୍ରସ୍ତୁତି ଏବଂ ଅଭ୍ୟାସ ଲାଗି ମୁକ୍ତ କରି ଦିଆଯାଇଥାଏ। ପୂର୍ଣ୍ଣିମା ପାଇଁ ଏହା ବୁମେରାଂ ହୋଇଛି। ଖେଳ ଉପ‌ରେ ଏକାଗ୍ରତା ରଖିବାରୁ ଚାକିରି ଏବଂ ଚଳଣି ଏକପ୍ରକାର ବନ୍ଦ ହୋଇଯାଇଛି। ପୂର୍ବତଟ ରେଳବାଇ ଛାଡ଼ି ସେ ଓଡ଼ିଶା ସରକାରଙ୍କ ପାଖକୁ ଆସିବାକୁ‌ ଅନୁରୋଧ କରି ମଧ୍ୟ ସଫଳ ହୋଇପାରିନାହାନ୍ତି। ‘ବଡ଼ ଦୁଃଖରେ ଅଛି ସାର୍‌, ମାତ୍ର ୨୨ ହଜାର ଟଙ୍କାରେ ଚଳିବା ତ ଦୂରର କଥା। ବିଭିନ୍ନ ଖେଳ ପ୍ରତିଯୋଗିତା ଲାଗି ଆବଶ୍ୟକ ଖାଦ୍ୟ ଏବଂ ସରଞ୍ଜାମ ଲାଗି ଏହା ନିଅଣ୍ଟ। ସରକାରଙ୍କ ଦ୍ବାରସ୍ଥ ହୋଇ ମଧ୍ୟ ମୁଁ ବିଫଳ। ଏବେ ବିଶ୍ବ ପ୍ରତିଯୋଗିତା ଏବଂ ଅଲିମ୍ପିକ୍ ଯୋଗ୍ୟତା ଲକ୍ଷ୍ୟକୁ ପଛରେ ପକାଇ ମୋତେ ରାଜ୍ୟ ସରକାରଙ୍କ ପଛରେ ଚାକିରି ଲାଗି ଦୌଡ଼ିବାକୁ୍ ପଡ଼ିଛି। ଅଭ୍ୟାସ କରିପାରୁନି, ବିଦେଶରେ ପ୍ରଶିକ୍ଷଣ ନେଇ ଉପର ସ୍ତରକୁ ଯିବା ସ୍ବପ୍ନ ଅଧୁରା ରହିଯିବା ଭଳି ଲାଗୁଛି। ମୋ ଖେଳ ଜୀବନ ଅଟକିଯିବା ଭଳି ଅନୁଭବ କରୁଛି’ ବୋଲି ‘ସମ୍ବାଦ’କୁ ଦୁଃଖର ସହ କହିଥିଲେ ପୂର୍ଣ୍ଣିମା। ଏସୀୟ ପ୍ରତିଯୋଗିତାର ୨ ପଦକ ଏବଂ ଏସୀୟ ଇନ୍‌ଡୋର୍ ଦୌଡ଼କୁଦ ପରେ ମୁଁ ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗର ଦ୍ବାରସ୍ଥ ହୋଇଥିଲି। ରେଳବାଇ ଚାକିରି କରି ମୁଁ ଖେଳରେ ଆଗକୁ ବଢ଼ିପାରିବି ନାହିଁ ବୋଲି ଜଣାଇଥିଲି। ଗତବର୍ଷର ଏସୀୟ କ୍ରୀଡ଼ା ପରେ ମୁଁ ସେପ୍ଟେମ୍ବର ମାସରେ କ୍ରୀଡ଼ା ସଚିବଙ୍କୁ ଭେଟି ଦୁଃଖ ଜଣାଇଥିଲି। ବା‌ୟୋଡାଟା ଦେଇଦିଅ ଦେଖିବା, ମାସକ ପରେ ଆସ ବୋଲି କହିଥିଲେ। ଇତିମଧ୍ୟରେ ଗୋଟିଏ ବର୍ଷ ପୂରିବାକୁ ଯାଉଛି, କିନ୍ତୁ କିଛି ସୁଫଳ ମିଳିନାହିଁ। ମୁଁ ଦୁଃଖରେ ଭାଙ୍ଗିପଡ଼ିଲାଣି ବୋଲି ୨୬ ବର୍ଷୀୟା ପୂର୍ଣ୍ଣିମା ପ୍ରକାଶ କରିଥିଲେ। ଦୁଇ ଦିନ ତଳେ ନୂଆ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ବି ଭେଟି ଦୁଃଖ ଜଣାଇଛି। ଖେଳଠୁ ଏକାଗ୍ରତା ହରାଇ ଏସବୁ କାମରେ ଦୌଡ଼ିବାକୁ ମୋତେ ଭଲ ଲାଗୁନି ବୋଲି ପ୍ରକାଶ କରିଥିଲେ ପୂର୍ଣ୍ଣିମା।

ପୂର୍ଣ୍ଣିମାଙ୍କ ଭଳି ପରିପକ୍ବ ତଥା ସଫଳ କ୍ରୀଡ଼ାବିତର ଏସବୁ ଅଭିଯୋଗ ସରକାରଙ୍କ କ୍ରୀଡ଼ା ବିଭାଗ ଆଭିମୁଖ୍ୟ ଦିଶାହୀନ ଥିବା ପ୍ରମାଣିତ କରୁଛି। କେବଳ ସଫଳତା ପରେ ପୁରସ୍କାର ରାଶି ଅଜାଡ଼ି‌ ଦେଇ ବାହାବା ନେବାକୁ ସରକାର କ’ଣ ଆଗଭର? ବଡ଼ ବଡ଼ ପ୍ରତ‌ିଯୋଗିତା ଆୟୋଜନ କ’ଣ ଲୋକଦେଖାଣିଆ କି ବୋଲି ପ୍ରଶ୍ନ ଉଠୁଛି। ଆଦିବାସୀ, ଅସହାୟ ଏବଂ ଯୋଗାଯୋଗ କରିବାରେ ଅସୁବିଧାରେ ପଡ଼ୁଥିବାରୁ କ’ଣ ଅଧିକାରରୁ ବଞ୍ଚିତ ରହିବା ନିଶ୍ଚିତ ବୋଲି ଧରିନେବାକୁ ହେବ? ଜଣେ ସଫଳ ଅନ୍ତର୍ଜାତୀୟ କ୍ରୀଡ଼ାବିତ୍‌କୁ କ’ଣ ଏଭଳି ଢଙ୍ଗରେ ଚାକିରିଟିଏ ମାଗିବାକୁ ପଡ଼ିବ? ରାଜ୍ୟରେ କ୍ରୀଡ଼ାନୀତି ନଥିବାରୁ ଏହି ଅସୁବିଧା ହେଉଥିଲେ ମଧ୍ୟ ଅନ୍ୟ ଖେଳାଳିଙ୍କ ତୁଳନାରେ ଆଦିବାସୀଙ୍କ ପାଇଁ ସ୍ବତଃ ସ୍ବର ଉଠାଇବାକୁ କ’ଣ ସରକାର ଯଥେଷ୍ଟ ନୁହଁନ୍ତି?

ସୂଚନାଯୋଗ୍ୟ, ୨୦୧୬ ମସିହାରେ ରିଓ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ ପରେ ଦେଶର ଦୁଇ ଆଗଧାଡ଼ିର ଓଡ଼ିଆ ଧାବିକା ଦୂତି ଚାନ୍ଦ ଏବଂ ଶ୍ରାବଣୀ ନନ୍ଦଙ୍କୁ ରାଜ୍ୟ ସରକାର ଯଥାକ୍ରମେ ଓଏମ୍‌ସି ଏବଂ ଓଏଚ୍‌ପିସିରେ ସହକାରୀ ଓ କନିଷ୍ଠ ପ୍ରବଂଧକ ଭାବେ ନିଯୁକ୍ତି ଦେଇଥିଲେ। ସେହିଭଳି ଅନ୍ତର୍ଜାତୀୟ ସଫଳତା ପରେ ବିଭିନ୍ନ ଖେଳାଳିଙ୍କୁ ଡାକି ପୁଲିସ୍ ବିଭାଗରେ କନଷ୍ଟେବଳ, ଏସ୍‌ଆଇ ସହିତ ଭାରୋତ୍ତୋଳକ ରବି କୁମାରଙ୍କୁ ଡିଏସ୍‌ପି ପାହ୍ୟା ଦେଇଥିଲେ। କିନ୍ତୁ ପୂର୍ଣ୍ଣିମା କିଭଳି ଏତେ ବଡ଼ ବ୍ୟତିକ୍ରମ ହେଲେ ତାହା ସମସ୍ତଙ୍କ ପାଇଁ ଆଶ୍ଚର୍ଯ୍ୟ। ଅନ୍ତର୍ଜାତୀୟ ସଫଳ ଖେଳାଳିଙ୍କ ପାଇଁ ଯଦି ସରକାର ଏତେ ତତ୍ପର ତେବେ ସାଧାରଣ ଉଦୀୟମାନ ଖେଳାଳିଙ୍କ ପାଇଁ ସରକାରଙ୍କ ଦରଦ କେତେ ତାହା ଏଥିରୁ ସହଜରେ ଅନୁମେୟ।

ପୂର୍ଣ୍ଣିମାଙ୍କ ପଦକ ଯାତ୍ରା

ପ୍ରତିଯୋଗିତା            ସ୍ବର୍ଣ୍ଣ    ରୌପ୍ୟ    କାଂସ୍ୟ
ଅନ୍ତର୍ଜାତୀୟ/ଏସୀୟ     ୨       ୦          ୨
ଜାତୀୟ/ସର୍ବଭାରତୀୟ  ୧୭    ୫         ୫

ସମ୍ବନ୍ଧିତ ଖବର