ବାଲେଶ୍ବର: ଓଡ଼ିଶା ୧୫ ବର୍ଷରୁ କମ୍ ମହିଳା କ୍ରିକେଟ୍ ଦଳରେ ସ୍ଥାନ ପାଇଛନ୍ତି ବାଲେଶ୍ବରର ଖେଳାଳି ପୂର୍ଣ୍ଣିମା ବେହେରା (୧୪)। ରାଜ୍ୟର ବଛା ବଛା ୪୦ ଜଣ ଖେଳାଳିଙ୍କ ମଧ୍ୟରୁ ୧୫ ଜଣ ଖେଳାଳିଙ୍କୁ ଦଳ ପାଇଁ ମନୋନୀତ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ପୂର୍ଣ୍ଣିମା ଅଛନ୍ତି। ଏହି ମନୋନୟନ ପ୍ରକ୍ରିୟା ନଭେମ୍ବର ୨୪ ତାରିଖରୁୁ କଟକ ବାରବାଟୀ ଷ୍ଟାଡିୟମ୍ରେ ଆରମ୍ଭ ହୋଇଥିଲା। ଏଥିରେ ପୂର୍ଣ୍ଣିମା ଦମ୍ଦାର ଦ୍ରୁତ ବୋଲିଂ କରି ମନୋନୟନ କମିଟିର ଦୃଷ୍ଟି ଆକର୍ଷଣ କରିଥିଲେ।
ଆସନ୍ତା ୨୬ ତାରିଖରୁ ଛତିଶଗଡ଼ଠାରେ ଜାତୀୟସ୍ତରୀୟ ମହିଳା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଦଳ ଭାଗନେବ ବୋଲି ଜଣାପଡ଼ିଛି। ଏହି ସଫଳତା ପାଇଁ ପୂର୍ଣ୍ଣିମାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଯାଇଛି। ବାଲେଶ୍ବର ସଦର ବ୍ଲକ୍ ଇଶାଣି ଅଞ୍ଚଳର ବାପା ରଂଜିତ ବେହେରା ଓ ମା’ ମଞ୍ଜୁଲତା ବେହେରାଙ୍କ ବଡ଼ଝିଅ ହେଉଛନ୍ତି ପୂର୍ଣ୍ଣିମା। ସେ ସାରଗାଁ ଶ୍ରୀମା ଶ୍ରୀ ଅରବିନ୍ଦ ଉଚ୍ଚ ବିଦ୍ୟାପୀଠରେ ନବମ ଶ୍ରେଣୀରେ ପଢ଼ୁଛନ୍ତି। ପୂର୍ଣ୍ଣିମାଙ୍କୁ ମେଘଡ଼ମ୍ବରୁ ଅଞ୍ଚଳର କୋଚ୍ ଦିଲ୍ଲୀପ କୁମାର ଦାସ ପ୍ରଶିକ୍ଷଣ ଦେଉଛନ୍ତି।