ସରଳ ଜୀବନଚର୍ଯ୍ୟାର ନିଆରା ଦୃଷ୍ଟାନ୍ତ ‘ପୂର୍ଣ୍ଣିମାଦିବ୍ୟା’, କେକ୍ କାଟି ୧୦୫ତମ ଜନ୍ମଦିନ ପାଳିଲେ

ଭଣ୍ତାରିପୋଖରୀ-୧: ଆଜି ବି ଆମ ସମାଜରେ ଏମିତି କିଛି ବ୍ୟକ୍ତି ଅଛନ୍ତି, ଯିଏ ୧୦୦ ବର୍ଷ ଅତିକ୍ରାନ୍ତ କରି ସାରିଥିଲେ ମଧ୍ୟ ସୁସ୍ଥ ଓ ନିରୋଗ ଜୀବନ ଅତିବାହିତ କରୁଛନ୍ତି। କଥାଟି ଶୁଣିଲେ ଯେତିକି ଆଶ୍ଚର୍ଯ୍ୟ ଲାଗୁଛି, ମନରେ ସେତିକି ଉତ୍କଣ୍ଠା ମଧ୍ୟ ହେଉଛି।

ଭଦ୍ରକ ଜିଲ୍ଲା ଭଣ୍ତାରିପୋଖରୀ ମେଡିକାଲ ଛକରେ ରହୁଥିବା ଏହି ଧର୍ମପରାୟଣା ତଥା ଶତାୟୁ ମହିଳାଜଣକ ହେଲେ ପୂର୍ଣ୍ଣିମାଦିବ୍ୟା ପତି। ରବିବାର ରାକ୍ଷୀପୂର୍ଣ୍ଣିମା ଦିନ ସେ ତାଙ୍କର ୧୦୫ତମ ଜନ୍ମଦିନ ପାଳନ କରିଛନ୍ତି। ପୂର୍ଣ୍ଣିମାଦିବ୍ୟାଙ୍କ ସ୍ବାମୀ କୃପାସିନ୍ଧୁ ପତି ୧୯୮୦ ମସିହାରୁ ଇହଧ୍ୟାମ ତ୍ୟାଗ କରିଥିବା ବେଳେ ତାଙ୍କର ୨ ପୁଅ ଏବଂ ୪ ଝିଅ ଅଛନ୍ତି। ବଡ଼ଝିଅ ଶଶୀପ୍ରଭାଙ୍କୁ ୮୦ ବର୍ଷ, ବଡ଼ପୁଅ କବିରଞ୍ଜନଙ୍କୁ ୭୫ ବର୍ଷ ଓ ସାନପୁଅ ରଞ୍ଜନ ପତିଙ୍କୁ ୫୬ ବର୍ଷ ହେଲାଣି। ପୂର୍ଣ୍ଣିମାଦିବ୍ୟା‌ଙ୍କର ୧୧ ଜଣ ନାତିନାତୁଣୀ ଓ ୬ ଜଣ ଅଣ ନାତିନାତୁଣୀ ଅଛନ୍ତି। ସେ ଏବେ ସାନପୁଅ ରଞ୍ଜନଙ୍କ ପାଖରେ ରହୁଛନ୍ତି। ବୟସାଧିକ କାରଣରୁ କାଁଭାଁ ଗୋଡ଼ହାତ ବିନ୍ଧାକୁ ବାଦ ଦେଲେ ବିନା ଓୗଷଧରେ ସେ ୧୦୫ ବର୍ଷ ଅତିକ୍ରମ କରି ସାରିଲେଣି। ଖାଦ୍ୟପେୟରେ ସଂଯମତା, ସରଳ ଜୀବନଯାପନ ଓ ଆଧ୍ୟାତ୍ମିକ ବିଶ୍ବାସ ଯୋଗୁଁ ଆଜି ସେ ସୁସ୍ଥ ରହିଥିବା କହିଛନ୍ତି। ତାଙ୍କର ସୁସ୍ଥ ନିରାମୟ ଜୀବନ ପାଇଁ ପରିବାରବର୍ଗ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

ସମ୍ବନ୍ଧିତ ଖବର