ସୋର(ଅଭୟ ପତ୍ରୀ): ଜଣେ ଆଦର୍ଶ ମହିଳା। ସ୍ବାଧୀନତା ସଂଗ୍ରାମୀ। ଅସହାୟାମାନଙ୍କୁ ସହାୟ ହୋଇଛନ୍ତି। ଅନେକଙ୍କୁ ଜିଇବାର ବାଟ ଦେଖାଇଛନ୍ତି। ସୋରରେ ଖୋଲିଛନ୍ତି କନ୍ୟାଶ୍ରମ। ସେ ହେଲେ ଦିବଂଗତ ପୁରୁବାଈ ବେନ୍‌। କିନ୍ତୁ ଦୁଃଖ ଓ ପରିତାପର ବିଷୟ; ଜଣେ ଅଣଓଡ଼ିଆ ମହିଳା ହୋଇ ମଧ୍ୟ ଓଡ଼ିଶାବାସୀଙ୍କ ପାଇଁ ପୁରୁବାଈ ଯେଉଁ ଅବଦାନ ଦେଇଯାଇଛନ୍ତି, ତା’ର ପ୍ରତିଦାନ ମିଳିନି। ପ୍ରଶାସନ କି ସରକାର; କେହି ବି ତାଙ୍କର ସ୍ମୃତିରକ୍ଷା ପାଇଁ ଆବଶ୍ୟକ ଉଦ୍ୟମ କରି ନାହାନ୍ତି।

Advertisment

ଗୁଜୁରାଟର ପୋରବନ୍ଦରରେ ଜନ୍ମଗ୍ରହଣ କରିଥିଲେ ପୁରୁବାଈ। ପ୍ରାୟ ୨୦ ବର୍ଷ ବୟସରେ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ ଏବଂ ସ୍ୱାଧୀନତା ସଂଗ୍ରାମର ଜଣେ ସେନାନୀ ସାଜିଥିଲେ। ସେ ଗାନ୍ଧିଜୀଙ୍କ ସାବରମତୀ ଆଶ୍ରମରେ ରହି ଇଂରେଜମାନଙ୍କ ବିରୋଧରେ ନିଜର ସଂଗ୍ରାମ ଜାରି ରଖିଥିଲେ। କେବଳ ସେତିକି ନୁହେଁ, ଅବହେଳିତ ଦେଶବାସୀଙ୍କ ସେବା କରୁଥିଲେ। ୧୯୨୮ ମସିହାରେ ମହାତ୍ମା ଗାନ୍ଧୀଙ୍କ ସହ ଈଶ୍ୱର ଲାଲ ବ୍ୟାସ, ଜୀବ ରାମଜୀ କୋଠରୀ ପ୍ରମୁଖ ଓଡ଼ିଶା ଗସ୍ତରେ ଆସିଥିଲେ। ସେମାନେ ଭଦ୍ରକସ୍ଥିତ ଗାନ୍ଧୀ ଓଡ଼ିଶା ବାଳାଶ୍ରମରେ ୩ ଦିନ ରହିଥିଲେ। ଏହି ସମୟରେ ଈଶ୍ୱର ଲାଲ ସୋର ଗସ୍ତ କରିଥିଲେ। ସେଠାରେ ସେ ମହିଳାମାନଙ୍କ ସାମାଜିକ ଦୁଃସ୍ଥିତି ଦେଖିଥିଲେ। ଫଳରେ ଗାନ୍ଧିଜୀଙ୍କ ସହ ଆଲୋଚନା ପରେ ଏକ କନ୍ୟାଶ୍ରମ ଖୋଲିବା ପାଇଁ ସିଦ୍ଧାନ୍ତ ହୋଇଥିଲା। ଏହି କାମ ପାଇଁ ଗାନ୍ଧିଜୀ ପୁରୁବାଈ ବେନ୍‌ଙ୍କୁ ଦାୟିତ୍ବ ଦେଇଥିଲେ। ୧୯୩୦ ମସିହାରେ କୌଣସି କାରଣରୁ ମତ୍ୟୁବରଣ କରିଥିବା ନିଜ ୭ ବର୍ଷ ବୟସ୍କ ଝିଅର ଶବ ସତ୍କାର କରି ପୁରୁବାଈ ବାଲେଶ୍ବର ଜିଲ୍ଲା ସୋର ପୌରାଞ୍ଚଳ ଅଧୀନ ରାଇପୁର ଅଭିମୁଖେ ବାହାରିଆସିଥିଲେ। ରାଇପୁରରେ ପହଞ୍ଚି ସେ ଏକ ଝାଟିମାଟି ଘରେ ୫ ଜଣ ଅସହାୟ ଝିଅଙ୍କୁ ନେଇ ଆରମ୍ଭ କରିଥିଲେ ‘ଗାନ୍ଧୀ ସେବାସଂଘ’ ନାମକ କନ୍ୟାଶ୍ରମ। ପରବର୍ତ୍ତୀ ସମୟରେ ସ୍ଥାନୀୟ ଅନେକ ସମାଜସେବୀ ତାଙ୍କ ସହ ଯୋଡ଼ି ହୋଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ଭଦ୍ରକ ଅଞ୍ଚଳର କପିଳ ଚରଣ ଦାସ। କାର୍ଯ୍ୟଦକ୍ଷତା ଦେଖି ପରବର୍ତ୍ତୀ ସମୟରେ ପୁରୁବାଈ ତାଙ୍କୁ କନ୍ୟାଶ୍ରମ ଦାୟିତ୍ୱ ଅର୍ପଣ କରିଥିଲେ। ୧୯୬୨ ମସିହାରେ ପୁରୁବାଇଙ୍କ ଶରୀର ଅସୁସ୍ଥ ହେଲା। ତାଙ୍କୁ କଲିକତାସ୍ଥିତ କୋଠାରୀ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ସେ ଆଖିବୁଜିଲେ।

୧୯୭୫ ମସିହାରେ ‘ଗାନ୍ଧୀ ସେବାସଂଘ’ ପଞ୍ଜିକୃତ ହେଲା ଏବଂ କନ୍ୟାଶ୍ରମର ନାମ ‘ପୁରୁବାଈ କନ୍ୟାଶ୍ରମ’ ରଖାଗଲା। ଯାହା ରାଜ୍ୟର ପ୍ରମୁଖ କନ୍ୟାଶ୍ରମଗୁଡ଼ିକ ମଧ୍ୟରୁ ଅନ୍ୟତମ। ଏହା କେବଳ କନ୍ୟାଶ୍ରମ ନୁହେଁ, ଅନେକ ମହିଳାଙ୍କୁ ପ୍ରଶିକ୍ଷଣ ମାଧ୍ୟମରେ ସ୍ବାବଲମ୍ବୀ କରି ଜିଇଁବାର ରାହା ମଧ୍ୟ ଦେଖାଇଛି। ହେଲେ ଦୁଃଖ ଓ ପରିତାପର ବିଷୟ; ଯିଏ ଓଡ଼ିଶାବାସୀଙ୍କ ପାଇଁ ଅତୁଳନୀୟ ଅବଦାନ ଦେଇଗଲେ, ତା’ର ପ୍ରତିଦାନ ତାଙ୍କୁ ମିଳିନି। ପ୍ରଶାସନ କି ସରକାର; କେହି ବି ସ୍ମୃତିରକ୍ଷା ପାଇଁ ଉଦ୍ୟମ କରି ନାହାନ୍ତି କି ପୁରୁବାଈ ଉଚିତ ସମ୍ମାନ ପାଇ ନାହାନ୍ତି। କେବଳ କନ୍ୟାଶ୍ରମର ନାମ ତାଙ୍କ ନାମ ଅନୁସାରେ ହୋଇଛି। ବର୍ତ୍ତମାନର କନ୍ୟଶ୍ରମ ପରିଚାଳିକା ସ୍ବର୍ଗତ କପିଳ ଚରଣ ଦାସଙ୍କ ପୁତ୍ରବଧୂ ସୁମତୀ ମହାନ୍ତି କହନ୍ତି, ‘ପୁରୁବାଈଙ୍କୁ ସମ୍ମାନ ପ୍ରଦାନ ଓ ସ୍ମୃତି ରକ୍ଷା ପାଇଁ ଆମେ ଅନେକ ଉଦ୍ୟମ କରିଛୁ। କନ୍ୟାଶ୍ରମରେ ଏକ ସ୍ମୃତି କକ୍ଷ, ପୁରୁବାଈଙ୍କ ପ୍ରତିମୂର୍ତ୍ତି ସ୍ଥାପନ, ପୁରୁବାଈଙ୍କ ନାମରେ ଥିବା ବୈଷୟିକ ଶିକ୍ଷାକେନ୍ଦ୍ର ଓ ପୁରୁବାଈ ସେବା ସଂସ୍ଥାନକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ସୋରବାସୀ ଅନେକଥର ଦାବି କରିଛନ୍ତି। ହେଲେ କେହି କିଛି ଶୁଣୁ ନାହାନ୍ତି।

ତେବେ ପୁରୁବାଈଙ୍କ ପରି ଜଣେ ମହାନ ତଥା ଆଦର୍ଶବାନ ମହିଳାଙ୍କୁ ଉଚିତ ସମ୍ମାନ ଜଣାଇବାର ଏବେ ବେଳ ଆସିଛି। ଆସନ୍ତାକାଲି ମହିଳା ଦିବସ ଅବସରରେ ସମସ୍ତେ ଏନେଇ ସଂକଳ୍ପ ନେବା ଉଚିତ। ସେହିପରି ସରକାର ମଧ୍ୟ କନ୍ୟାଶ୍ରମ ଓ ସୋରବାସୀଙ୍କ ପକ୍ଷରୁ ହୋଇଥିବା ଦାବି ପୂରଣ ପାଇଁ ଉଦ୍ୟମ କରିବା ଉଚିତ ବୋଲି ଶିଶିର କୁମାର ଦାସ, ସୀତାରାମ ପାତ୍ର, ରାଜେନ୍ଦ୍ର ମହାନ୍ତି, ଉଦ୍ଧବ ବିଶ୍ୱାଳ, ରମେଶ ଚନ୍ଦ୍ର ଲେଙ୍କା, ଅଜିତ ନାୟକ ପ୍ରମୁଖ ବୁଦ୍ଧିଜୀବୀ ମତ ରଖିଛନ୍ତି। ଆଶା ବିଳମ୍ବରେ ହେଲେ ମଧ୍ୟ ପୁରୁବାଈଙ୍କୁ ଅବିଳମ୍ବେ ଉଚିତ ସମ୍ମାନ ମିଳିବ।