ଅମ୍ରିତଙ୍କୁ ନ୍ୟାୟ ଦାବିରେ ଲୋୟର ପିଏମ୍‌ଜିରେ ଗର୍ଜିଲା ପୁରୁଷ କମିସନ

ଭୁବନେଶ୍ବର : ଭଦ୍ରକ ଜିଲ୍ଲା କୋଦଣ୍ଡପୁର ଗ୍ରାମର ଅମ୍ରିତ ପୁହାଣଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ପୁରୁଷ କମିସନ ଲୋୟର ପିଏମ୍‌ଜିରେ ଗର୍ଜିଛି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହ ଅମ୍ରିତ ଓ ତାଙ୍କ ପରିବାରକୁ ନ୍ୟାୟ ଦିଆଯାଉ ବୋଲି ପୁରୁଷ କମିସନ ଦାବି କରିଛି। ଆଜି ଦିନ ପ୍ରାୟ ସାଢ଼େ ୧୧ଟାରେ କମିସନର ଶତାଧିକ କର୍ମୀ ମାଷ୍ଟର କ୍ୟାଣ୍ଟିନ୍‌ ଛକରୁ ଏକ ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍‌ଜିରେ ପହଞ୍ଚିଥିଲେ। ସେଠାରେ ଉତ୍ତ୍ୟକ୍ତ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅମ୍ରିତଙ୍କ ପରିବାରକୁ ନ୍ୟାୟ ଦିଆଯାଉ ବୋଲି ଦାବି କରିଥିଲେ।

କମିସନ ପକ୍ଷରୁ କୁହାଯାଇଛି ଯେ ଅମ୍ରିତ ବିରଞ୍ଚି ନାରାୟଣ ମାଧବାର୍ଜୁନ ମହାବିଦ୍ୟାଳୟର +୩ର ଛାତ୍ର। ସେ ଓ ତାଙ୍କର ଜଣେ ସହପାଠିନୀ ପରସ୍ପରକୁ ଭଲ ପାଉଥିଲେ। କିନ୍ତୁ ପରିବାର ଲୋକେ ବିରୋଧ କରିବାରୁ ପ୍ରେମୀଯୁଗଳ ଲୁଚି ମୁମ୍ବାଇ ଚାଲି ଯାଇଥିଲେ। ୪୩ ଦିନ ପରେ ମୁମ୍ବାଇ ସିଲ୍‌ଭାସା ଅଞ୍ଚଳରୁ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ଉଭୟଙ୍କୁ ଗିରଫ କରି ବିମାନ ଯୋଗେ କୋଲକାତା ଓ ସେଠାରୁ ଟ୍ରେନ୍‌ ଯୋଗେ ଭଦ୍ରକ ଆଣୁଥିଲା। କିନ୍ତୁ ବାଟରେ ଅମ୍ରିତଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିଲା। ଅମ୍ରିତ ଟ୍ରେନ୍‌ରୁ ଡେଇଁ ଆତ୍ମହତ୍ୟା କରିଥିବା ପୁଲିସ କହୁଥିଲେ ହେଁ ତାଙ୍କ ପରିବାର ଲୋକ ଏହାକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି। ପୁଲିସ ଅମ୍ରିତଙ୍କୁ ମାଡ଼ ମାରି ତାଙ୍କୁ ଟ୍ରେନ୍‌ରୁ ଠେଲି ହତ୍ୟା କରିଥିବା ପରିବାରଲୋକ ଅଭିଯୋଗ କରିଛନ୍ତି। ପୁଲିସ ହେପାଜତରେ ଅମ୍ରିତଙ୍କ ମୃତ୍ୟୁ ହୋଇଥିବାରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ କମିସନ ଆବାହକ ବ୍ୟୋମକେଶ୍ ତ୍ରିପାଠୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର