ପାଣିରେ ଭାସି ଯାଉଥିବା ଶିଶୁକୁ ଉଦ୍ଧାର କଲେ ପୁରୁଷୋତ୍ତମ

ଏସ୍‌. ରାମପୁର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍‌ ରାମପୁର ଅରିଗାଁ ମୁଖ୍ୟ ରାସ୍ତା କଡ଼ରେ ଯାଇଥିବା କେନାଲ ମଧ୍ୟରେ ଗୋଟେ ଦୁଇ ବର୍ଷର ଛୋଟ ଶିଶୁ କେନାଲ ପାଣିରେ ଭାସି ଯାଉଥିଲା। ସ୍ଥାନୀୟ ଯୁବକ ପୁରୁଷୋତ୍ତମ ନାଏକ କେନାଲ ମଧ୍ୟକୁ ଡେଇଁ ଛୁଆଟିକୁ ଉଦ୍ଧାର କରିଥିଲେ। ପୁରୁଷୋତ୍ତମଙ୍କ ଏହି କାର୍ଯ୍ୟକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।

ରବିବାର ସକାଳେ ରାମପୁର କେନାଲଖଣ୍ଡି ପଡ଼ାରେ ରହୁଥିବା ରାଜ ଓ କଲ୍ୟାଣୀ ବଗର୍ତ୍ତୀଙ୍କ ୨ ବର୍ଷର ଶିଶୁ ପୁତ୍ର ଅନ୍ୟ ଜଣେ ଶିଶୁ ସହ ଖେଳୁଥିବା ବେଳେ କେନାଲରେ ପଡ଼ି ଯାଇଥିଲେ। ସେ ପ୍ରାୟ ୫୦ ମିଟର ଭାସିଯିବା ପରେ କେନାଲ ହିଡ଼ରେ ଥିବା ସ୍ଥାନୀୟ ଯୁବକ ପୁରୁଷୋତ୍ତମଙ୍କ ନଜର ପଡ଼ିଥିଲା। ସେ କାଳ ବିଳମ୍ବ ନକରି କେନାଲ ମଧ୍ୟକୁ ଡେଇଁ ଶିଶୁଟିକୁ ଉଦ୍ଧାର କରିଥିଲେ। ତେବେ ଗୁରୁତର ଅବସ୍ଥାରେ ସେ ଶିଶୁଟିକୁ ସଙ୍ଗେସଙ୍ଗେ ରାମପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ମଧ୍ୟ ଉକ୍ତ ଶିଶୁର ଚେତା ନଫେରିବା ଓ ତା’ର ଅବସ୍ଥା ଗୁରୁତର ଅନୁଭବ କରି ଡାକ୍ତର ତାଙ୍କୁ ବରଗଡ଼ ରେଫର କରି ଦେଇଥିଲେ। ତେବେ ଶିଶୁଟି ବର୍ତ୍ତମାନ ବରଗଡ଼ର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ହେଉଥିବା ସୂଚନା ମିଳିଛି। ତେବେ ପୁରୁଷୋତ୍ତମର ଉପସ୍ଥିତ ବୁଦ୍ଧି ଯୋଗୁଁ ଶିଶୁଟି ନୂଆ ଜୀବନ ପାଇଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି। ଏହା ପୂର୍ବରୁ ମଧ୍ୟ କେନାଲ୍ ପାଣିରେ ବୁଡ଼ି ଯାଉଥିବା ଜଣେ ବୃଦ୍ଧାଙ୍କୁ ପୁରୁଷୋତ୍ତମ ଉଦ୍ଧାର କରିଥିଲେ।

ସମ୍ବନ୍ଧିତ ଖବର