ପୁରୀ: ଶ୍ରୀମନ୍ଦିରରେ ଦର୍ଶନ ବେଳେ ଆଜି ଦଳାଚକଟା ପରିସ୍ଥିତି ଉପୁଜିଛି। ଏଥିରେ ୧୫ରୁ ଅଧିକ ବରିଷ୍ଠ ନାଗରିକ ଆହତ ହୋଇଛନ୍ତି। ବଗଲା ଧର୍ମଶାଳା ହବିଷ୍ୟାଳି କେନ୍ଦ୍ରରେ ରହୁଥିବା କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁରର ମାଳତୀ ଦାସ(୫୬) ନାମକ ଜଣେ ହବିଷ୍ୟାଳି ଠେଲାପେଲାରେ ତଳେ ପଡ଼ିଯିବାରୁ ତାଙ୍କ ଗୋଡ଼ ଭାଙ୍ଗିଯାଇଛି। ଠେଲାପେଲା ଓ ଭିଡ଼ ଏତେ ଯନ୍ତ୍ରଣାଦାୟକ ଥିଲା ଯେ ତଳେ ପଡ଼ି ଚିତ୍କାର କରୁଥିବା ଏହି ବୃଦ୍ଧବୃଦ୍ଧା, ହବିଷ୍ୟାଳିମାନଙ୍କୁ ସ୍ବେଚ୍ଛାସେବୀମାନେ ଭିଡ଼ି ବାହାର କରିଥିଲେ।
ଆହତଙ୍କ ଭିତରୁ କିଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବାବେଳେ ବାକି ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରିଛନ୍ତି। ଆଉ କିଛି ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ତେବେ ଏହି ଘଟଣାକୁ ଖଣ୍ଡନ କରିଛନ୍ତି ପୁରୀ ଏସ୍ପି ଡା. କେ. ବିଶାଳ ସିଂହ। ଏସ୍ପି କହିଛନ୍ତି,
କୌଣସି ଦଳାଚକଟା ସ୍ଥିତି ଉପୁଜିନି। ଅତ୍ୟଧିକ ଭିଡ଼ ଥିଲା। ଏଣୁ ଠେଲାପେଲା ହୋଇଥିଲା। ଦୁଇ ତିନିଜଣ ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ଆମେ ସିସିଟିଭି ଯାଞ୍ଚ କରିବୁ। ଯେଉଁଠି ତ୍ରୁଟି ଥିବ, ସେ ଦିଗରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଶୃଙ୍ଖଳିତ ଦର୍ଶନ ପାଇଁ ଜିଲ୍ଲା ପୁଲିସ ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ଡା. ସିଂହ କହିଛନ୍ତି। ମିଳିଥିବା ସୂଚନା ମୁତାବକ, କାର୍ତ୍ତିକ ମାସ ଥିବାରୁ ଆଜି ସକାଳ ପ୍ରାୟ ୫ଟାରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତମାନେ ଭିଡ଼ ଲଗାଇଥିଲେ। ଏମାନଙ୍କ ସହ ଅପେକ୍ଷାରେ ଥିଲେ ହବିଷ୍ୟାଳି। ଆଜି ଦ୍ବାରଫିଟା ନୀତି ବିଳମ୍ବ ଯୋଗୁ ପରବର୍ତ୍ତୀ ନୀତି ବିଳମ୍ବ ହୋଇଥିଲା। ସକାଳ ପ୍ରାୟ ୬ଟା ୨୦ରେ ଦ୍ବାରଫିଟା ପରେ ୭ଟା ୧୦ରେ ମଙ୍ଗଳଆଳତି ସରିଥିଲା। ଏହା ପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଛଡ଼ାଯାଇଥିଲା। ଯେହେତୁ ଭକ୍ତମାନେ ସକାଳ ୫ଟାରୁ ଅପେକ୍ଷାରେ ଥିଲେ, ତେଣୁ ଦର୍ଶନ ପାଇଁ ଶ୍ରୀମନ୍ଦିର ସିଂହଦ୍ବାର ଓ ଶ୍ରୀମନ୍ଦିର ଭିତର ସାତପାହାଚ ନିକଟରେ ହଜାର ହଜାର ସଂଖ୍ୟାରେ ଜମା ହୋଇଯାଇଥିଲେ। ଭକ୍ତଙ୍କୁ ସାତପାହାଚ ପାଖରେ ଥିବା ବାରିକେଡ୍ରୁ ଗୋଟିଏ ପର୍ଯ୍ୟାୟ ଭକ୍ତଙ୍କୁ ଦର୍ଶନ ପାଇଁ ଛଡ଼ାଯାଇଥିଲା। ଭକ୍ତମାନେ ସାତପାହାଚ ଦେଇ ଦର୍ଶନ ପାଇଁ ଯିବାବେଳେ ଦଳଚକଟା ସ୍ଥିତି ଉପୁଜିଥିଲା। ନାଟମଣ୍ଡପ ପାର୍ଶ୍ବରୁ ହଠାତ୍ ଠେଲାପେଲା ଆରମ୍ଭ ହେବାରୁ ସାତପାହାଚ ପାଖରେ ଦର୍ଶନ ପାଇଁ ଯାଉଥିବା ବୃଦ୍ଧବୃଦ୍ଧା, ହବିଷ୍ୟାଳିଙ୍କ ସହ ଅନ୍ୟମାନେ ଉପରକୁ ଉପର ହୋଇ ତଳେ ପଡ଼ିଯାଇଥିଲା। ଏହି ସମୟରେ ଅନ୍ୟ ଭକ୍ତମାନେ ତାଙ୍କ ଉପରେ ଚଢ଼ିଯାଇଥିଲେ। ଭିଡ଼ ଭିତରେ ତଳେ ପଡ଼ି ଯାଇଥିବା ବୃଦ୍ଧବୃଦ୍ଧା, ହବିଷ୍ୟାଳିମାନଙ୍କୁ ସ୍ବେଚ୍ଛାସେବୀମାନେ ଭିଡ଼ି ବାହାର କରିଥିଲେ। ଏହି ଭିଡ଼ରେ ମାଳତୀଙ୍କ ଗୋଡ଼ ଭାଙ୍ଗି ଯାଇଥିଲା। ବ୍ରହ୍ମପୁର ଗାନ୍ଧୀନଗରରୁ ଦର୍ଶନ ପାଇଁ ଆସିଥିବା କବିତା ପାଣିଗ୍ରାହୀ(୫୯) ଅଣନିଃଶ୍ବାସୀ ହୋଇ ଚେତାଶୂନ୍ୟ ହୋଇପଡ଼ିଥିଲେ। ଏଭଳି ଅନେକ ମହିଳା, ବୃଦ୍ଧା ଭକ୍ତ ଆହତ ଓ ଅସୁସ୍ଥ ହେବାରୁ ଶ୍ରୀମନ୍ଦିର ଆମ୍ବୁଲାନ୍ସରେ ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଯେଉଁମାନେ ବାହାରୁ ଦର୍ଶନ ପାଇଁ ଆସିଥିଲେ, ସେମାନେ ଦୋଳମଣ୍ଡପସାହି ଓ ଅନ୍ୟାନ୍ୟ ସ୍ଥାନରେ ଥିବା ବେସରକାରୀ ଡାକ୍ତରଖାନରେ ଭର୍ତ୍ତି ହୋଇଥିଲେ।