ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ରର ସୁବର୍ଣ୍ଣ ଯୁଗ ଫେରିବା ନେଇ ଆଶାବାଦୀ ଥିବା ଓଡ଼ିଆଙ୍କ ପାଇଁ ଆଉ ଏକ ଖୁସି ଖବର। ଆଜି ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଥିବା ବେଳେ ବାଜିମାତ୍ କରିଛି ଓଡ଼ିଆ ସିନେମା ‘ପୁଷ୍କରା’। ୨୦୨୩ ମସିହାର ଶ୍ରେଷ୍ଠ ଓଡ଼ିଆ ଫିଚର୍ ସିନେମା ଭାବେ ‘ପୁଷ୍କରା’ ମନୋନୀତ ହୋଇଛି। ତରଙ୍ଗ ସିନେ ପ୍ରଡକ୍ସନ୍ସ ବ୍ୟାନର୍ରେ ପ୍ରସ୍ତୁତ ‘ପୁଷ୍କରା’ର ନିର୍ଦ୍ଦେଶନା ଶୁଭ୍ରାଂଶୁ ଦାଶ ଦେଇଥିଲେ ଓ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ ଅଭିନେତା ସବ୍ୟସାଚୀ ମିଶ୍ର। ଚଳଚ୍ଚିତ୍ରର ଅନ୍ୟାନ୍ୟ ଭୂମିକାରେ ସୁପ୍ରିୟା ନାୟକଙ୍କ ସହ ଚୌଧୁରୀ ବିକାଶ ଦାସ, ଅଶ୍ରୁମୋଚନ ମହାନ୍ତି, ତ୍ରିଭୁବନ ପଣ୍ଡା, ଅଳକା ଶତପଥୀ, ରବି ମିଶ୍ର ଓ ଶଙ୍କର ପ୍ରଧାନ ଅଭିନୟ କରିଛନ୍ତି।
ଚଳଚ୍ଚିତ୍ରର କାହାଣୀ ଲେଖକ ଶଙ୍କର ତ୍ରିପାଠୀଙ୍କ ଦ୍ୱାରା ୨୦୦୪ ମସିହାରେ ରଚିତ ଉପନ୍ୟାସ ‘ନାଦବିନ୍ଦୁ’ ଉପରେ ଆଧାରିତ ହୋଇଛି ‘ପୁଷ୍କରା’। ଏଥିରେ ‘ପୁଷ୍କରା’ ପରମ୍ପରାକୁ ବଡ଼ ପରଦାରେ ପ୍ରଦର୍ଶିତ
କରାଯାଇଥିଲା। ପୁରୀର ଜାଗାଘର, ସାହିଯାତ ଓ ଡଙ୍ଗାଭସା ଭଳି ମୌଳିକ ପରମ୍ପରାକୁ ପରଦାରେ ନିଖୁଣ ଶୈଳୀରେ ଉପସ୍ଥାପିତ କରାଯାଇଛି। ଉପନ୍ୟାସ ‘ନାଦବିନ୍ଦୁ’ ଆଧାରରେ ନିର୍ମିତ ଏହି ଚଳଚ୍ଚିତ୍ର ପୁଣିଥରେ ଓଡ଼ିଆ ସିନେମା ଓ ସାହିତ୍ୟରେ ହଜିଯାଇଥିବା ସମ୍ପର୍କକୁ ଫେରାଇ ଆଣିବାରେ ସକ୍ଷମ ହୋଇଛି। ଏଥିସହ ହିମାଂଶୁ ଶେଖର ଖଟୁଆଙ୍କ ନିର୍ଦ୍ଦେଶିତ ‘ସି ଆଣ୍ଡ ସେଭେନ୍ ଭିଲେଜେସ୍’ ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ର ୨୦୨୩ ବର୍ଷ ପାଇଁ ‘ଅଣଫିଚର ଫିଲ୍ମ ବର୍ଗ’ରେ ପୁରସ୍କାର ହାସଲ କରିଛି। କାଦମ୍ବିନୀ ମିଡିଆ ପ୍ରଯୋଜିତ ଏହି ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ର ଜଳବାୟୁ ପରିବର୍ତ୍ତନ ଓ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ତହସିଲ ଅନ୍ତର୍ଗତ ସାତଭାୟା ଉପରେ ପର୍ଯ୍ୟବେସିତ। ପୂର୍ବରୁ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମାନ ଲାଭ କରିଥିବା ଏହି ଚଳଚ୍ଚିତ୍ରଟି ଖ୍ୟାତିସମ୍ପନ୍ନ ନିର୍ଦ୍ଦେଶକ ଶ୍ରୀ ଖଟୁଆଙ୍କ ଗବେଷଣା ଆଧାରିତ। ଏଥିରେ ସାତଭାୟା ଗାଁର ବାସିନ୍ଦାଙ୍କ ଜୀବନ ଓ ସଂଘର୍ଷ ଚିତ୍ରିତ ହୋଇଛି। ଏହାର ପ୍ରଯୋଜନା କରିଛନ୍ତି ଇତି ସାମନ୍ତ। ସୂଚନାଥାଉକି, ଏକଦା ସାତୋଟି ଗାଁର ଏକ ମିଳିତ ଅଞ୍ଚଳ ଥିଲା ସାତଭାୟ। ଜଳବାୟୁ ପରିବର୍ତ୍ତନ ଯୋଗୁ ସେଥିମଧ୍ୟରୁ ପାଞ୍ଚଟି ଗାଁ ସମୁଦ୍ର ଭିତରେ ଲୀନ ହୋଇ ଯାଇଛି। ଏହି ଡକ୍ୟୁମେଣ୍ଟାରି ପାଇଁ ପ୍ରଶାନ୍ତନୁ ମହାପାତ୍ର ଶ୍ରେଷ୍ଠ କ୍ୟାମେରାମ୍ୟାନ୍ ଭାବେ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।
ଏହି ଦୁଇ ଚଳଚ୍ଚିତ୍ରର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚଳଚ୍ଚିତ୍ରର ନିର୍ମାତା, ନିର୍ଦ୍ଦେଶକ, କଳାକାର ତଥା ଏହାସହ ଜଡ଼ିତ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ଓଡ଼ିଆ ଚଳଚ୍ଚିତ୍ର ଜଗତ ନୂତନ ପ୍ରୟାସ ଓ ପ୍ରୟୋଗ ସହ ଏହିପରି ଆହୁରି ଅନେକ ସଫଳତା ପ୍ରାପ୍ତ କରୁ ବୋଲି ସେ କାମନା କରିଛନ୍ତି। ପ୍ରକାଶଥାଉକି, ୧୯୫୪ ମସିହାଠାରୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଉଥିବା ବେଳେ ୮ମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପୂର୍ବରୁ ଓଡ଼ିଆ ସିନେମାକୁ ବିଚାରକୁ ନିଆଯାଉନଥିଲା। ୧୯୬୧ ମସିହାରେ ପ୍ରଫୁଲ୍ଲ କୁମାର ସେନଗୁପ୍ତାଙ୍କ ଦ୍ବାରା ନିର୍ଦ୍ଦେଶିତ ୧୯୬୦ ମସିହାର ଚଳଚ୍ଚିତ୍ର ‘ଶ୍ରୀଲୋକନାଥ’କୁ ପ୍ରଥମ ଥର ପାଇଁ ‘ଶ୍ରେଷ୍ଠ ଓଡ଼ିଆ ଫିଚର୍ ସିନେମା’ ଭାବେ ପୁରସ୍କୃତ କରାଯାଇଥିଲା। ବିଭିନ୍ନ ସମୟରେ ଓଡ଼ିଶାର ସିନେମା ଏହିଭଳି ଭାବେ ଜାତୀୟ ସ୍ତରରେ ନିଜ ଦବ୍ଦବା ଜାହିର କରିଥିବା ବେଳେ ଦୁର୍ଭାଗ୍ୟକୁ ୨୦୦୭ରୁ ୨୦୧୩ ମସିହା ଯାଏଁ ଓଡ଼ିଆ ସିନେପ୍ରେମୀଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଲଗାତାର ୭ ବର୍ଷ ଧରି ଓଡ଼ିଶାର କୌଣସି ଚଳଚ୍ଚିତ୍ର ଏହି ବର୍ଗରେ ପୁରସ୍କୃତ ହୋଇପାରି ନଥିଲା। ଏହାପରେ ୨୦୧୪ରେ ‘ଆଦିମ ବିଚାର’, ୨୦୧୫ରେ ‘ପାହାଡ଼ର ଲୁହ’, ୨୦୧୭ରେ ‘ହେଲୋ ଆର୍ସି’, ୨୦୧୯ରେ ‘ଶଲା ବୁଢ଼ାର ବଦ୍ଲା’ ଓ ‘କାଲିର ଅତୀତ’, ୨୦୨୧ରେ ‘ପ୍ରତୀକ୍ଷା’ ଏବଂ ୨୦୨୨ ମସିହାରେ ‘ଦମନ’ ଆଦି ସିନେମାକୁ ‘ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର’ ଭାବେ ପୁରସ୍କୃତ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/08/02/dgdgdvvcv-2025-08-02-03-18-37.jpg)