ଅନୁଗୁଳ: ଅନୁଗୁଳ‌ ଜିଲ୍ଲାର ବିଭିନ୍ନ ବନଖଣ୍ଡରେ ମାତିଛନ୍ତି ଚୋରା କାଠମାଫିଆ। ସଂରକ୍ଷିତ ଜଙ୍ଗଲକୁ ବି ସେମାନେ ଛାଡ଼ୁନାହାନ୍ତି। ଗ୍ରାମ୍ୟ ଜଙ୍ଗଲ, ରାଜସ୍ବ ଜଙ୍ଗଲ ପଦା ହେବାକୁ ବସିଲାଣି। ବନବିଭାଗର କଟକଣା ଯେମିତି ମାଫିଆ ମାନିବାକୁ ରାଜି ନାହାନ୍ତି। ମୂଲ୍ୟବାନ ଗଛ କାଟି ଚୋରାଚାଲାଣ ‌ହେଉଥିଲାବେଳେ ବନବିଭାଗ ଆଖିଦୃଶିଆ ପଦକ୍ଷେପ ନେଇପାରୁନି। ଏପରିକି ଗାଁ ଗହଳିରୁ ତାଳଗଛ ବି ମୂଳପୋଛ ହେଲାଣି। ସ୍ଥାନୀୟ ଅଞ୍ଚଳର କାଠ ବେପାରୀଙ୍କ ସହ ମାଫିଆଙ୍କ ମଧୁଚନ୍ଦ୍ରିକା ଯୋଗୁ କିଛି ବର୍ଷ ଭିତରେ ଜଙ୍ଗଲ ନିଶ୍ଚିହ୍ନ ହେବା ଥୟ। ବନ କର୍ମଚାରୀଙ୍କ ପରୋକ୍ଷ ସହଯୋଗ, ପାଟ୍ରୋଲିଂ ଅଭାବ କାଠମାଫିଆଙ୍କ ବିଶାଳ ସାମ୍ରାଜ୍ୟ ଛିଡ଼ା କରିଛି। ଲାଗୁଛି ଯେମିତି ଜିଲ୍ଲାରେ ମାଳମାଳ ପୁଷ୍ପା ମାତିଛନ୍ତି। ‌ଯେଉଁମାନେ ଆଖି ପିଛୁଳାକେ କାଟି ନେଉଛନ୍ତି ମୂଲ୍ୟବାନ ଗଛ।

Advertisment

ବିଧାନସଭାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ଦେଇଥିବା ତଥ୍ୟରେ ଅନୁଗୁଳରେ କାଠଚୋରି ସାମ୍ରାଜ୍ୟର ଗୁମର ଫିଟିଛି। ତଥ୍ୟ ମୁତାବକ, ଅନୁଗୁଳ ସର୍କଲ୍‌ର ଅନୁଗୁଳ ଡିଭିଜନ୍‌‌ରେ ୨୦୧୯ରେ ୩.୪୭୦୧ ଘନଫୁଟ୍‌ କାଠ ଜବତ ହୋଇଛି। ୨୦୨୦ରେ ୧୦୯.୯୬୧ ଘନଫୁଟ୍‌, ୨୦୨୧ରେ ୧୨.୮୪୪୯ ଘନଫୁଟ୍‌, ୨୦୨୨ରେ ୩୫.୪୩୩୯ ଘନଫୁଟ୍‌ କାଠ ଜବତ କରିଛି ବନବିଭାଗ। ଗତବର୍ଷ ୫.୦୯୬୧ ଘନଫୁଟ୍‌ ଓ ୨୦୨୪ ଆରମ୍ଭରୁ ଜୁନ ମାସ ଭିତରେ ୦.୭୩୨୫ ଘନଫୁଟ୍‌ କାଠ ଜବତ ହୋଇଥିବା ଜଣାପଡ଼ିଛି। ସେହିପରି ୨୦୧୯ରେ ଆଠମଲ୍ଲିକ ଡିଭିଜନ୍‌ରେ ୪.୫୫୬୧ ଘନଫୁଟ୍‌, ୨୦୨୦ରେ ୪.୪୦୩୮ ଘନଫୁଟ୍‌, ୨୦୨୧ରେ ୫.୩୯୫୬ ଘନଫୁଟ୍‌, ୨୦୨୨ରେ ୬.୫୦୬୩ ଘନଫୁଟ୍‌ ଓ ୨୦୨୩ ମସିହାରେ ୩.୨୧୪୭ ଘନଫୁଟ୍‌ କାଠ ଜବତ ହୋଇଛି। ସାତକୋଶିଆ ଡିଭିଜନ୍‌ରେ ୨୦୧୯ ମସିହାରେ ୦.୩୬୩୪ ଘନଫୁଟ୍‌, ୨୦୨୦ରେ ୨.୧୭୫୮ ଘନଫୁଟ୍‌, ୨୦୨୧ରେ ୨.୧୭୩ ଘନଫୁଟ୍‌, ୨୦୨୨ରେ ୦.୫୫୯୩ ଘନଫୁଟ୍‌ ଓ ୨୦୨୩ରେ ୦.୨୫୨୨ ଘନଫୁଟ୍‌ କାଠ ବନବିଭାଗ ଦ୍ବାରା ଜବତ ହୋଇଛି। ୨୦୨୪ ଆରମ୍ଭରୁ ଜୁନ ଭିତରେ ୦.୫୧୧୨ ଘନଫୁଟ୍‌ କାଠ ଜବତ ହୋଇଥିବା ଉକ୍ତ ତଥ୍ୟରୁ ଜଣାପଡ଼ିଛି।

ଅନୁଗୁଳରେ ସାତ‌କୋଶିଆ ସଂରକ୍ଷିତ ଜଙ୍ଗଲ ସହିତ ଆଠମଲ୍ଲିକ ଓ ଅନୁଗୁଳ ବନଖଣ୍ଡରେ ବହୁ ସଂଖ୍ୟାରେ ଛୋଟମୋଟ ଜଙ୍ଗଲ ରହିଛି। ଗ୍ରାମ୍ୟ ଜଙ୍ଗଲ ଓ ରାଜସ୍ବ ଜଙ୍ଗଲରେ ବି ମୂଲ୍ୟବାନ ଗଛମାନ ରହିଛି। ପୂର୍ବରୁ ଅନୁଗୁଳ ଜିଲ୍ଲାକୁ ସବୁଜ ଜଙ୍ଗଲ ଘେରି ରହିଥିଲା। ହେଲେ ଖଣିଖାଦାନ, କାରଖାନା ଓ ଶିଳ୍ପ ପ୍ରତିଷ୍ଠା ନାଁରେ ସେସବୁ ପଦା ‌ହୋଇଗଲା। ବାକି ଯାହା ଥିଲା, ତା’ ଉପରେ ପଡ଼ିଲା କାଠମାଫିଆଙ୍କ ନଜର। ସେହିପରି କୁଇଓ, ଗୁରଙ୍ଗ, ମନ୍ଦରଗିରି, କୁମୁଣ୍ଡା, ବଡ଼କନ୍ତକୂଳ, କଞ୍ଜା, କରାବିରାଖୋଲ ଆଦି ଜଙ୍ଗଲ ଅନୁଗୁଳ ବନଖଣ୍ଡରେ ରହିଛି। କିନ୍ତୁ କାଠ‌ମାଫିଆଙ୍କ ଚୋରାଚାଲାଣ ଯୋଗୁ ଗଛସଂଖ୍ୟା କମି ଆସିଲାଣି। ଏହାର ସିଧାସଳଖ ପ୍ରଭାବ ବନ୍ୟଜନ୍ତୁଙ୍କ ଉପରେ ପଡ଼ିଛି। ହାତୀ, ବାଘ, ଭାଲୁ, ହରିଣ, ବାର୍‌ହା ଆଦି ବନ୍ୟଜନ୍ତୁ ଆଉ ଜଙ୍ଗଲରେ ନ ରହି ସହର ଓ ଜନବସତିମୁହାଁ ହେଉଛନ୍ତି। ଏପରିକି ଅଜଗର, ଅହିରାଜ ବି ସହରର ଗଳିକନ୍ଦିରେ ପଶିଲେଣି। ସେହିପରି ଜଙ୍ଗଲ ଉପରେ ନିର୍ଭରଶୀଳ ଆଦିବାସୀମାନଙ୍କ ଜୀବିକା ବି ବେଶ୍‌ ପ୍ରଭାବିତ ହୋଇଛି।

ସୂଚନାଯୋଗ୍ୟ, ଗତ ୫ବର୍ଷରେ ଅନୁଗୁଳ ଜିଲ୍ଲାର ୩ ବନଖଣ୍ଡରେ ବିପୁଳ ପରିମାଣର କାଠ ଓ କେନ୍ଦୁପତ୍ର ଜବତ ହୋଇଛି। ଏଥିସହ ମାମଲାରେ ସମ୍ପୃକ୍ତି ଅଭିଯୋଗରେ ୨୦୧୯ ମସିହାରେ ୮୫ଜଣ, ୨୦୨୦ରେ ୭୦ଜଣ, ୨୦୨୧ରେ ୯୨ଜଣ, ୨୦୨୨ରେ ୧୨୬ ଜଣ ଓ ୨୦୨୩ରେ ୬୧ ଜଣ ଓ ୨୦୨୪ ଜାନୁଆରିରୁ ଜୁନ ମାସ ମଧ୍ୟରେ ୨୦ଜଜଣଙ୍କ ନାଁରେ ବନବିଭାଗ ମାମଲା ରୁଜୁ କରିଛି। ତେବେ ସେମାନଙ୍କ ମଧ୍ୟରୁ ଏଯାଏଁ ଜଣଙ୍କୁ ବି ଦୋଷୀସାବ୍ୟସ୍ତ କରାଯାଇନାହିଁ କିମ୍ବା ଅଦାଲତ ଦଣ୍ଡବିଧାନ କରିନାହାନ୍ତି।