ଶ୍ରୀମନ୍ଦିରରେ ପୁଷ୍ୟାଭିଷେକ ନୀତି : ସୁନାବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ :‌ ପୌଷ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ପବିତ୍ର ଦେବାଭିଷେକ ତଥା ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଯାଇଛି। ମହାପ୍ରଭୁ ସୁବର୍ଣ୍ଣ ଅଳଙ୍କାର ପରିଧାନ କରି ଆଜି ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ହଜାର ହଜାର ଭକ୍ତ ଆଜି ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ବେଶକୁ ଦର୍ଶନ କରି କୋଟି ପୂଣ୍ୟ ଲାଭ କରିଛନ୍ତି। ଏହି ଉପଲ‌େକ୍ଷେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହୋଇଛି।

ପ୍ରଭୁ ଶ୍ରୀରାମଚନ୍ଦ୍ର ୧୪ ବର୍ଷ ବନବାସ ପରେ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରି ପୌଷ ପୂର୍ଣ୍ଣିମା ତିଥିରେ ରାଜ ସିଂହାସନରେ ଅଧିଷ୍ଠିତ ହୋଇଥିଲେ। ଏହି ସ୍ମୃତିରେ ପ୍ରତିବର୍ଷ ପୌଷ ପୂର୍ଣ୍ଣିମା ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅଭିଷେକ ଉତ୍ସବ ପାରମ୍ପରିକ ରୀତିନୀତି ଅନୁଯାୟୀ ପାଳିତ ହୋଇଆସୁଛି। ବିଧି ଅନୁଯାୟୀ, ଗତରାତିରେ ଚନ୍ଦନଲାଗି ବଢ଼ିବା ପରେ ଭୋଗମଣ୍ଡପ ଘର ଆଗରୁ ଧୋପଖାଳ ହୋଇ ଚାନ୍ଦୁଆ ବନ୍ଧା ଯାଇଥିଲା ଓ ଅଧିବାସ ନୀତି ଅନୁଷ୍ଠିତ ହୋଇଥିଲା। ଏକ ହାଣ୍ଡିରେ ଗୁଆଘିଅ ଓ ରୋଷ କୂଅରୁ ନୂଆ ହାଣ୍ଡିରେ ପାଣି ଅଣାଯାଇଥିଲା। ଘିଅକୁ ୨୧ ଗରାରେ ଓ ପାଣିକୁ ୮୭ ଗରାରେ ବିଭକ୍ତ କରାଯାଇ ଚାରି ପନ୍ତିରେ ଚାନ୍ଦୁଆ ତଳେ ଘୋଡ଼ାଯାଇ ଫୁଲ, ଚନ୍ଦନ ଦେଇ ଅଭିମନ୍ତ୍ରିତ କରାଯାଇଥିଲା। ମନ୍ତ୍ରପାଠ ପୂର୍ବକ ଅଧିବାସ ନୀତି ବଢ଼ିଥିଲା। ୮୭ ଗରା ଜଳରୁ ତିନି ବାଡ଼ରେ ୨୫ ଗରା ଲେଖାଏଁ ଓ ସୁଦର୍ଶନଙ୍କ ବାଡ଼ରେ ୧୨ ଗରା ରଖାଯାଇଥିଲା। ସେହି ଭଳି ଘିଅକୁ ତିନି ବାଡ଼ରେ ୬ ଗରା ଲେଖାଏଁ ୧୮ ଗରା ଓ ସୁଦର୍ଶନଙ୍କ ବାଡ଼ରେ ୩ ଗରା ରଖାଯାଇ ଅଧିବାସ ନୀତି ବଢ଼ିଥିଲା।

ଆଜି ସକାଳ ଧୂପ ସମୟରେ ପୁରୋହିତ ଓ ବ୍ରାହ୍ମଣମାନେ ହୋମକାର୍ଯ୍ୟ ସଂପାଦନ କରିଥିଲେ। ସକାଳ ଧୂପ ସରିବା ପରେ ପାଣି ପଡ଼ି କେବଳ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମଇଲମ ନୀତି ଅନୁଷ୍ଠିତ ହୋଇଥିଲା ଓ ମହାପ୍ରଭୁ ତଡ଼ପ ଓ ଉତ୍ତରୀ ଲାଗି ହୋଇଥିଲେ। ପରେ ଶ୍ରୀମନ୍ଦିର ଭିତରେ ପାଣି ପଡ଼ି ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା। ଗତକାଲି ଅଧିବାସ ହୋଇଥିବା ଘିଅ, ଶୀତଳଭୋଗ ଆଦି ଆସିବା ପରେ ପୂଜାକାର୍ଯ୍ୟ ଆରମ୍ଭ ହୋଇଥିଲା। ଶୁଦ୍ଧ ସୁଆର ସେବକ, ପଢ଼ିଆରୀ ସେବକ, ପଣ୍ଡା, ଦେଉଳ ପୁରୋହିତ ପ୍ରମୁଖ ପୂଜାକାର୍ଯ୍ୟ, ଭୋଗଲାଗି ନୀତି ସଂପାଦନ କରିଥିଲେ। ମଇଲମ କରି ମହାପ୍ରଭୁଙ୍କୁ ନୂଆଲୁଗା ଲାଗି କରିବା ପରେ ପଣ୍ଡା, ପତି, ମୁଦିରସ୍ତ ସେବକମାନେ ଚନ୍ଦନ ସର୍ବାଙ୍ଗ ନୀତି ସଂପାଦନ କରିଥିଲେ। ମହାପ୍ରଭୁଙ୍କ ଆଜ୍ଞାମାଳ ମିଳିବା ପରେ ମହାଜନ ସେବକମାନେ ମହାଲକ୍ଷ୍ମୀଙ୍କ ପ୍ରତିରୂପ ଶ୍ରୀଦେବୀଙ୍କୁ ସାତପାହାଚ ଠାରେ ଥିବା ପାଲିଙ୍କିରେ ବିଜେ କରାଇଥିଲେ। ପରେ ବିମାନବଡ଼ୁ ସେବକମାନେ ଶ୍ରୀଦେବୀ ବିଜେ ହୋଇଥିବା ବିମାନକୁ ଜଗମୋହନକୁ ନେଇଥିଲେ ଓ ସେଠାରେ ମହାଲକ୍ଷ୍ମୀଙ୍କ ଜଗମୋହନ ‌ଖଟ ଉପରେ ବିଜେ କରାଇଥିଲେ। ପରେ ମାଜଣା ହୋଇ ବନକଲାଗି ନୀତି ଅନୁଷ୍ଠିତ ହୋଇଥିଲା। ଏହାପରେ ମହାପ୍ରଭୁଙ୍କ ଅଭିଷେକ ନୀତି ଅନୁଷ୍ଠିତ ହୋଇଥିଲା। ପରେପରେ ମହାପ୍ରଭୁଙ୍କୁ ସୁବର୍ଣ୍ଣ ଅଳଙ୍କାର ଲାଗି କରାଯାଇଥିଲା। ପୁଷ୍ୟାଭିଷେକ ନୀତି ଶେଷ ପରେ ମହାଲକ୍ଷ୍ମୀ ପାଲିଙ୍କିରେ ବାହୁଡ଼ା ବିଜେ କରିଥିଲେ। ମହାଲକ୍ଷ୍ମୀଙ୍କ ବାହୁଡ଼ା ବିଜେ ପରେ ମହାପ୍ରଭୁ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଇଥିଲେ। ସୂଚନାଯୋଗ୍ୟ, ପୁଷ୍ୟାଭିଷେକ ଉତ୍ସବ ମହାପ୍ରଭୁଙ୍କ ଦ୍ବାଦଶ ଯାତ୍ରା ଭିତରେ ଅନ୍ୟତମ। ବର୍ଷକ ମଧ୍ୟରେ ମହାପ୍ରଭୁ ୫ ଥର ସୁନାବେଶରେ ଭକ୍ତକ୍ତୁ ଦର୍ଶନ ଦିଅନ୍ତି। ଏ ମଧ୍ୟରେ ପୌଷ ପୂର୍ଣ୍ଣିମା ସୁନାବେଶ ଅନ୍ୟତମ।

ସମ୍ବନ୍ଧିତ ଖବର