ସମ୍ବଲପୁର: ଜିଲ୍ଲା ସଂସ୍କୃତି ପରିଷଦ ସମ୍ବଲପୁର ଏବଂ ଅଗ୍ରଣୀ ସାମାଜିକ ଶୈକ୍ଷିକ ସଂସ୍ଥା ସେତୁର ମିଳିତ ଆନୁକୁଲ୍ୟରେ ଶନିବାର ୨୩ତମ ସମ୍ବଲପୁର ପୁସ୍ତକ ମେଳା ଆରମ୍ଭ ହୋଇଯାଇଛି। ଭିସୁଟ୍‌ କୁଳପତି ପ୍ରଫେସର ବଂଶୀଧର ମାଝୀ, ତିରୁପତି କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଆଦିତ୍ୟ ପ୍ରସାଦ ପାଢୀ ଏବଂ ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି ଫିତାକାଟି ପୁସ୍ତକ ମେଳା ଉଦ୍‌ଘାଟନ କରିଥିଲେ। ‘ସେତୁ’ର ସଭାପତି ପ୍ରଫେସର ମୀନକେତନ ପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ ସଭାରେ ମୁଖ୍ୟ ଅତିଥି ପ୍ରଫେସର ମାଝୀ କହିଲେ, ସମ୍ବଲପୁରର ବରିଷ୍ଠ ନାଗରିକମାନେ ବିଭିନ୍ନ ଅନୁଷ୍ଠାନରେ ରହି ଅତ୍ୟନ୍ତ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି।

Advertisment

ବର୍ତ୍ତମାନର ଛାତ୍ରମାନେ ବହି ପଠନ ପରିବର୍ତ୍ତେ ଗୁଗୁଲ୍‌ ରିଡର୍ ସାଜୁଛନ୍ତି, ମାତ୍ର ସମୟ ଆସିବ ସେମାନେ ନିଶ୍ଚୟ ପୁସ୍ତକ ଅଧ୍ୟୟନର ଗୁରୁତ୍ବକୁ ହୃଦୟଙ୍ଗମ କରିବେ। ମୁଖ୍ୟବକ୍ତା ପ୍ରଫେସର ଶତପଥୀ କହିଲେ, ସମ୍ବଲପୁରର ପ୍ରାଚୀନ ନାମ ହେଉଛି ହୀରାଖଣ୍ଡ। କାରଣ ଏଠାରେ ପ୍ରତ୍ୟେକ ବ୍ୟକ୍ତି ଜଣେ ଜଣେ ହୀରା। ଉପକୂଳରେ ସୁବର୍ଣ୍ଣ ତ୍ରିଭୂଜ ଅଛି କିନ୍ତୁ ସୁବର୍ଣ୍ଣ ସବୁବେଳେ ହୀରାଠାରୁ ନ୍ୟୁନ୍। ସମ୍ବଲପୁର ଅଂଚଳରେ ପ୍ରକୃତ ଜୀବନାନନ୍ଦର ହୀରା ଅଛି। ଏହି ଭୂମି ହେଉଛି ପ୍ରତିଭାର ଭୂମି। ଆମକୁ ସେଇ ଅଦୃଶ୍ୟ ଶକ୍ତି ସହିତ ଯୋଡ଼ି ହେବାକୁ ପଡ଼ିବ ଏବଂ ସେଥିପାଇଁ ‘ସେତୁ’ର ଆବଶ୍ୟକ ରହିଛି, କାରଣ ସେତୁ ଯୋଡ଼ିବା କାର୍ଯ୍ୟ କରେ। ଯେଉଁଠି ସେତୁ ନାହିଁ ସେଠି ସାହିତ୍ୟ ନାହିଁ। ଏହି ମାଟିର ସନ୍ତାନ ଗଙ୍ଗାଧର ମେହେର ଏହାର ଏକ ଦୃଷ୍ଟାନ୍ତ ବୋଲି କହିଥିଲେ।

ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାନ୍ତି କହିଲେ ଯେ ପୁସ୍ତକର ଆଦର କେବେ କମି ନାହିଁ କିମ୍ବା କମିବ ନାହିଁ। କୋଭିଡ୍‌ ଦୁଇ ବର୍ଷ ପରେ ଆମେ ସମସ୍ତେ କର୍ମ ଚଂଚଳ ହୋଇପଡ଼ିଛୁ। ଏହାର ପ୍ରଭାବ ପ୍ରଶାସନ ଉପରେ ମଧ୍ୟ ପଡ଼ିଛି। ଗତ ଏକ ମାସ ଭିତରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବହୁ କାର୍ଯ୍ୟକ୍ରମକୁ ସଫଳତାର ସହ ସଂପାଦନ କରାଯାଇଛି। ଆସନ୍ତା ବର୍ଷରୁ ଅଧିକ ବ୍ୟବସ୍ଥିତ ଭାବରେ ଏହି ପୁସ୍ତକ ମେଳା ଆୟୋଜିତ କରିବା ପାଇଁ ପ୍ରସାଶନ ପକ୍ଷରୁ ପ୍ରୟାସ କରାଯିବ। ‘ସେତୁ’ ବରିଷ୍ଠ ସଦସ୍ୟ ହରିନାରାୟଣ ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିଲେ। ସଦସ୍ୟ ସଚ୍ଚିଦାନନ୍ଦ ମହାପାତ୍ର ଅତିଥି ପରିଚୟ ଏବଂ ଡ. ସିଦ୍ଧାର୍ଥ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଚଳିତ ବର୍ଷ ସମୁଦାୟ ୧୪୦ଟି ଷ୍ଟଲ ଏହି ପୁସ୍ତକ ମେଳାରେ ରହିଛି। ଏବର୍ଷ କିଛି ଖାଦ୍ୟ ଷ୍ଟଲ ମଧ୍ୟ ମେଳାରେ ରହିଛି।