ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୂଷ୍ୟାଭିଷେକ ନୀତି: ସୁନାବେଶରେ ମହାପ୍ରଭୁ

ପୁରୀ :‌ ଶ୍ରୀମନ୍ଦିରରେ ସୋମବାର ଦିନ ପୌଷ ପୂର୍ଣ୍ଣିମା ଅବସରରେ ପବିତ୍ର ଦେବାଭିଷେକ ତଥା ପୂଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଯାଇଛି। ମହାପ୍ରଭୁ ରତ୍ନ ସିଂହାସନ ଉପରେ ସୁବର୍ଣ୍ଣ ଅଳଙ୍କାର ପରିଧାନ କରି ସୁନାବେଶ ହୋଇଥି‌ଲେ ମଧ୍ୟ ଭକ୍ତ ମହାପ୍ରଭୁଙ୍କ ଏହି ବିରଳ ବେଶ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। ଏ ନେଇ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହୋଇଛି। ପ୍ରଭୁ ଶ୍ରୀ ରାମଚନ୍ଦ୍ର ୧୪ ବର୍ଷ ବନବାସ ପରେ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରି ପୌଷ ପୂର୍ଣ୍ଣିମା ତିଥିରେ ରାଜସିଂହାସନରେ ଅଧିଷ୍ଠିତ ହୋଇଥିଲେ। ଏହି ସ୍ମୃତିରେ ପ୍ରତିବର୍ଷ ପୌଷ ପୂର୍ଣ୍ଣିମା ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅଭିଷେକ ଉତ୍ସବ ପାରମ୍ପରିକ ରୀତିନୀତି ଅନୁଯାୟୀ ପାଳିତ ହୋଇଆସୁଛି।

ବିଧି ଅନୁଯାୟୀ, ରବିବାର ରାତିରେ ଚନ୍ଦନଲାଗି ବଢ଼ିବା ପରେ ଭୋଗମଣ୍ଡପ ଘର ଆଗରୁ ଧୋପଖାଳ ହୋଇ ଚାନ୍ଦ ବନ୍ଧା ଯାଇଥିଲା ଓ ଅଧିବାସ ନୀତି ଅନୁଷ୍ଠିତ ହୋଇଥିଲା। ସୋମବାର ସକାଳ ଧୂପ ସମୟରେ ପୁରୋହିତ ଓ ବ୍ରାହ୍ମଣମାନେ ହୋମକାର୍ଯ୍ୟ ସଂପାଦନ କରିଥିଲେ। ସକାଳଧୂପ ସରିବା ପରେ ମହାପ୍ରଭୁଙ୍କ ମଇଲମ ନୀତି ଅନୁଷ୍ଠିତ ହୋଇଥିଲା। ପରେ ଶ୍ରୀମନ୍ଦିର ଭିତରେ ପାଣି ପଡ଼ି ମହାପ୍ରଭୁଙ୍କ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା। ଗତକାଲି ଅଧିବାସ ହୋଇଥିବା ଘିଅ, ଶୀତଳଭୋଗ ଆଦି ଆସିବା ପରେ ପୂଜାକାର୍ଯ୍ୟ ଆରମ୍ଭ ହୋଇଥିଲା। ଶୁଦ୍ଧ ସୁଆର ସେବକ, ପଢ଼ିଆରୀ ସେବକ, ପୂଜାପଣ୍ଡା, ଦେଉଳ ପୁରୋହିତ ପ୍ରମୁଖ ପୂଜାକାର୍ଯ୍ୟ, ଭୋଗଲାଗି ନୀତି ସଂପାଦନ କରିଥିଲେ। ପଶୁପାଳକ ସେବକମାନେ ମଇଲମ କରି ମହାପ୍ରଭୁଙ୍କୁ ନୂଆଲୁଗା ଲାଗି ପରିବା ପରେ ପୂଜାପଣ୍ଡା, ପତି, ମୁଦିରସ୍ତ ସେବକମାନେ ଚନ୍ଦନ ସର୍ବାଙ୍ଗ ନୀତି ସଂପାଦନ କରିଥିଲେ।

Facebook

ମହାପ୍ରଭୁଙ୍କ ଆଜ୍ଞାମାଳ ମିଳିବା ପରେ ମହାଜନ ସେବକମାନେ ମହାଲକ୍ଷ୍ମୀଙ୍କୁ ସାତପାହାଚଠାରେ ଥିବା ପାଲିଙ୍କିରେ ବିଜେ କରାଇଥିଲେ। ବିମାନବଡ଼ୁ ସେବକମାନେ ମହାଲକ୍ଷ୍ମୀ ବିଜେ ହୋଇଥିବା ବିମାନକୁ ଜଗମୋହନକୁ ନେବା ପରେ ସେଠାରେ ମହାଲକ୍ଷ୍ମୀଙ୍କୁ ଜଗମୋହନ ‌ଖଟ ଉପରେ ବିଜେ କରାଇଥିଲେ। ପରେ ମାଜଣା ହୋଇ ବନକଲାଗି ନୀତି ଅନୁଷ୍ଠିତ ହୋଇଥିଲା। ଏହାପରେ ମହାପ୍ରଭୁଙ୍କ ଅଭିଷେକ ନୀତି ଅନୁଷ୍ଠିତ ହୋଇଥିଲା। ମହାପ୍ରଭୁଙ୍କୁ ସୁବର୍ଣ୍ଣ ଅଳଙ୍କାର ଲାଗି କରାଯାଇଥିଲା। ପୂଷ୍ୟାଭିଷେକ ନୀତି ଶେଷ ପରେ ମହାଲକ୍ଷ୍ମୀ ପାଲିଙ୍କିରେ ବାହୁଡ଼ା ବିଜେ କରିଥିଲେ। ମହାଲକ୍ଷ୍ମୀଙ୍କ ବାହୁଡ଼ା ବିଜେ ପରେ ମହାପ୍ରଭୁ ସୁନାବେଶରେ ଦର୍ଶନ ଦେଇଥିଲେ।

ସୂଚନାଯୋଗ୍ୟ, ପୂଷ୍ୟାଭିଷେକ ଉତ୍ସବ ମହାପ୍ରଭୁଙ୍କ ଦ୍ବାଦଶ ଯାତ୍ରା ଭିତରେ ଅନ୍ୟତମ। ବର୍ଷକ ମଧ୍ୟରେ ମହାପ୍ରଭୁ ୫ଥର ସୁନାବେଶରେ ଭକ୍ତକ୍ତୁ ଦର୍ଶନ ଦିଅନ୍ତି। ଏ ମଧ୍ୟରେ ପୌଷ ପୂର୍ଣ୍ଣିମା ସୁନାବେଶ ଅନ୍ୟତମ।

ସମ୍ବନ୍ଧିତ ଖବର