ତେଲକୋଇ : କେନ୍ଦୁଝର ଜିଲ୍ଲାର ଉପାନ୍ତ ତେଲକୋଇ ବ୍ଲକ ଅନ୍ତର୍ଗତ ଶିବନାରାୟଣପୁରଗୋଡ଼ା ପଞ୍ଚାୟତ ଅନ୍ତର୍ଗତ କଳାପାଟ ସଂରକ୍ଷିତ ଜଙ୍ଗଲରେ ପୁଟୁଘର ଜଳପ୍ରପାତ ଅବସ୍ଥିତ। ନୈସର୍ଗିକ ସୌନ୍ଦର୍ଯ୍ୟରେ ଭରପୂର ଏହି ଜଳପ୍ରପାତ ଲୋକଙ୍କ ଦୃଷ୍ଟି ଆଢ଼ୁଆଳରେ ରହି ଯାଇଛି। କଳାପାଟ ସଂରକ୍ଷିତ ଜଙ୍ଗଲ ବାରହାଗଡ ଅଞ୍ଚଳର ଖେଣ୍ଡେରା ପାହାଡ଼ରୁ ଝରି ଆସୁଥିବା ପାହାଡ଼ି ଝରଣା ଗୋଡ଼ା ଗାଁ ନିକଟରେ ଏକ ସୁନ୍ଦର ଜଳପ୍ରପାତ ସୃଷ୍ଟି କରିଛି। ୭୦ ଫୁଟ ଉଚ୍ଚରୁ ଝରି ଆସୁଥିବା ସ୍ବଚ୍ଛ ଜଳରାଶି ବିଚ୍ଛୁରିତ ହୋଇ ଶୀତଳ ଜଳ କଣିକା ପର୍ଯ୍ୟଟକଙ୍କ ଦେହରେ ସିଞ୍ଚନ କରିଥାଏ। ତେଲକୋଇ ବନାଞ୍ଚଳ କଳାପାଟ ସଂରକ୍ଷିତ ଜଙ୍ଗଲ ନିକଟ ଏହି ଅଖ୍ୟାତ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ସ୍ଥାନଟି ପ୍ରଚାରପ୍ରସାର ଅଭାବରୁ ଦୃଷ୍ଟି ଆଢ଼ୁଆଳରେ ରହି ଯାଇଛି। ଜଳପ୍ରପାତ ସହିତ ବିଶାଳ ପଥର ଚଟାଣ ରହିଛି।

Advertisment

publive-image

ସେଠାରେ ଆକାଶର କଳା ମେଘକୁ ଦେଖି ମୟୂରମାନେ ନାଚ କରୁଥିବାରୁ ତାହାର ନାମ ମୟୂର ନାଚୁଣୀ ଓ ଅନତି ଦୂରରେ ସୁନ୍ଦର ରଣାଗୁମ୍ପା ରହିଛି। ଏଥିସହିତ ନାନା ପ୍ରଜାତିର ବିରଳ ବୃକ୍ଷରାଜି ଓ ଆକାଶଛୁଆଁ ଧାଡ଼ିଧାଡ଼ି ଶାଳ ଗଛର ଶୋଭା ପର୍ଯ୍ୟଟକଙ୍କ ମନମୋହି ନେଇଥାଏ। ଝରି ଆସୁଥିବା ପାହାଡ଼ି ଝରଣାଟି ମୁଖ୍ୟ ଜଳପ୍ରପାତ ପରେ ତଳକୁ ତଳ ଆହୁରି ୩ ଗୋଟି ଜଳପ୍ରପାତ ସୃଷ୍ଟି କରିଛି। ଯାହାକି ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରି ଦେଇଛି। ଏହି ସ୍ଥାନର ବିକାଶ ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ବେଳେ ଏହାକୁ ଜିଲ୍ଲା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବାକୁ ପୁଟୁଘର ଜଳପ୍ରପାତ ବିକାଶ ସଭାପତି ଖଗେଶ୍ବର ମହାନ୍ତ ଦାବି କରିଛନ୍ତି।