ସମସ୍ୟା ଘେରରେ ପୁଟୁପଡ଼ା ଗାଁ, ରାସ୍ତା ଖୋଳି ଗ୍ରାମବାସୀଙ୍କ ଅଭିନବ ବିକ୍ଷୋଭ

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଏନ୍‌ଏସି ଅନ୍ତର୍ଗତ ପୁଟୁପଡ଼ା ୱାର୍ଡ ନଂ୧୧ ଦୀର୍ଘ ବର୍ଷ ହେଲା ବିଭିନ୍ନ ସମସ୍ୟା ଦେଇ ଗତିକରୁଛି। ବହୁ ଅଭିଯୋଗ ପରେ ମଧ୍ୟ ଏନ୍‌ଏସି କର୍ତ୍ତୃପକ୍ଷ ସମସ୍ୟାର ସମାଧାନ ନେଇ କୌଣସି ଦୃଷ୍ଟି ଦେଉନଥିବାରୁ ଗ୍ରାମବାସୀ ଅଭିନବ ଉପାୟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମୁଖ୍ୟ ରାସ୍ତାରେ ଦୁଇ ଫୁଟ୍‌ ଗାତ ଖୋଳି ଗାଡ଼ିମଟର ଚଳାଚଳ ବନ୍ଦ କରିଛନ୍ତି। ସେଠାରେ ଭଙ୍ଗା ପ୍ଲାଷ୍ଟିକ ଚୌକି ଆଦି ମଡ଼ାଇ ଚପଲ ମାଳ କରି ବିଭାଗୀୟ ଅଧିକାରୀ ଆସିଲେ ପିନ୍ଧାଇବେ ବୋଲି ଆନ୍ଦୋଳନକାରୀ ପ୍ରକାଶ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ବିଗତ ତିନି ମାସ ପୂର୍ବରୁ ଗ୍ରାମର ବିଭିନ୍ନ ସମସ୍ୟା ନେଇ ଖଡ଼ିଆଳ ଏନ୍‌ଏସି କର୍ତ୍ତୃପକ୍ଷଙ୍କୁ ଗ୍ରାମବାସୀ ଲିଖିତ ଅଭିଯୋଗ କରିଥିଲେ। ବିଭାଗୀୟ ଅଧିକାରୀ ତିନି ମାସ ମଧ୍ୟରେ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ତିନି ମାସରୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ ସମାଧାନ ହୋଇପାରି ନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରି ରାସ୍ତା ଖୋଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଗ୍ରାମର ମୁଖ୍ୟ ରାସ୍ତା ଉପରେ ଗ୍ରାମବାସୀ, ମୋ‌ଡେଲ ମହାବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର, ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀ ନିର୍ଭର କରୁଛନ୍ତି। ହେଲେ ରାସ୍ତାଟି ଖାଲଖମାରେ ଭର୍ତ୍ତି ରହିଥିବା ବେଳେ ଅସରାଏ ବର୍ଷା ହେଲେ କାଦୁଅ ପଚ୍‌ପଚ୍ ହେଉଛି।

ଷ୍ଟ୍ରିଟ୍ ଲାଇଟ୍‌ ଲାଗିଛି, ହେଲେ ସେଗୁଡ଼ିକ ଜଳୁନଥିବା ଯୋଗୁ ବର୍ଷା ଦିନେ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଡ୍ରେନ୍‌ ସମସ୍ୟା ରହିଥିବାରୁ ଦୂଷିତ ପାଣି ରାସ୍ତାରେ ବହୁଛି। ପାଣି ଜମି ରହୁଥିବାରୁ ଦୁର୍ଗନ୍ଧରେ ନାକ ଫାଟୁଥିବା ବେଳେ ମଶା, ମାଛି ବୃଦ୍ଧି ପାଉଛି। ଆବର୍ଜନା ପିଙ୍ଗିବା ପାଇଁ କୌଣସି ସୁବିଧା କରାଯାଇ ନଥିବାରୁ ରାସ୍ତାରେ ତାହା ପଡ଼ିରହୁଛି। ଏହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରି ଶନିବାର ରାସ୍ତା ଖୋଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ରାସ୍ତା ଖୋଳାଯାଇଥିବାରୁ ଚାଉଳ ଗୋଦାମକୁ ଯିବାକୁଥିବା ୨୦ରୁ ଅଧିକ ଟ୍ରକ୍‌ ରାସ୍ତାରେ ଅଟକି ରହିଛି। ଯଦ୍ବାରା ଯିଆସିବାରେ ଅସୁବିଧା ହେଉଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଖଡ଼ିଆଳ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟଙ୍କୁ ପଚାରିବାରୁ ସମସ୍ୟା ଗୁଡ଼ିକର ସମାଧାନ କରାଯିବ ବୋଲି କହିବା ସହ ଆଗାମୀ ଦିନରେ ପିଡବ୍ଲୁଡି ବିଭାଗ ପକ୍ଷରୁ ସ୍ଥାୟୀ କାର୍ଯ୍ୟ କରାଯିବା ନେଇ ଜିଲ୍ଲା ସ୍ତରରେ ପ୍ରସ୍ତୁତି ହୋଇସାରିଛି ବୋଲି ପ୍ରକାଶ କରିଛନ୍ତି।

 

ସମ୍ବନ୍ଧିତ ଖବର