ବଲାଙ୍ଗୀରରେ ଏମଏସଏମଇ ଶିଳ୍ପ ପାଇଁ ପ୍ରସ୍ତୁତ ହେବ ଭିତ୍ତିଭୂମି: ମନ୍ତ୍ରୀ
କୃଷି ଭିତ୍ତିକ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପକୁ ଗୁରୁତ୍ବ ଦିଆଯାଉ
ଶିଳ୍ପ ବିଭାଗ ଓ ଏମଏସଏମଇ ବିଭାଗ ଖର୍ଚ୍ଚ ଦାବି ଗୃହୀତ
ଭୁବନେଶ୍ବର : ପୋସ୍କୋ ଓ ମିତ୍ତଲ ପରି ବୃହତ୍ତ ଶିଳ୍ପ ସ୍ବପ୍ନ ଦେଖାଇ ଓଡ଼ିଶାବାସୀଙ୍କୁ ଭଣ୍ଡାଇଲେ। ଏବେ ମୁଖ୍ୟମନ୍ତ୍ରୀ ରାଜ୍ୟକୁ ଏକ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ କରିବାକୁ ରାଜ୍ୟବାସୀଙ୍କୁ ସ୍ବପ୍ନ ଦେଖାଉଛନ୍ତି। ଗତ ୧୦ ତାରିଖରେ ରାଜ୍ୟରେ ଶିଳ୍ପାନୁଷ୍ଠାନର ସମ୍ଭାବନା ନେଇ ଜେଏସଡବ୍ଲ୍ୟୁ ଓ ପିଡବ୍ଲ୍ୟୁସି ଇଣ୍ଡିଆ କମ୍ପାନି ଦ୍ବାରା ପ୍ରସ୍ତୁତ ଓଡ଼ିଶାର ଆର୍ଥିକ ସମ୍ଭାବନା ନେଇ ମୁଖ୍ୟମନ୍ତ୍ରୀ ଯେଉଁ ଭିଜନ ରିପୋର୍ଟ ଉନ୍ମୋଚନ କରିଛନ୍ତି ତାହା କେବଳ ଘୋଷଣା ସର୍ବସ୍ବ। ବିଧାନସଭାରେ ଶିଳ୍ପ ଓ ଏମଏସଏମଇ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଅଭିଯୋଗ କରିଛନ୍ତି ପିଡବ୍ଲ୍ୟୁସି ଇଣ୍ଡିଆ ଗୋଟିଏ କଳା ତାଲିକାଭୁକ୍ତ କମ୍ପାନି। ସେହିପରି ଅନୁଗୁଳରେ ଜିନ୍ଦଲ କମ୍ପାନୀ ନନ୍ଦିରା ନାଳ ପୋତି କିପରି କମ୍ପାନି ପ୍ରତିଷ୍ଠା କରିଛି ସେ ନେଇ ନେଇ ଅଭିଯୋଗ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରିସିଂହ ମିଶ୍ର। ଉତ୍ତରରେ ମନ୍ତ୍ରୀ କହିଥିଲେ, ବଲାଙ୍ଗୀରରେ ଏମଏସଏମଇ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ଏହାସହିତ ବେକାରୀ ସମସ୍ୟାକୁ ଦୃଷ୍ଟିରେ ରଖି ଏମଏସଏମଇ ଶିଳ୍ପ ପାଇଁ ଅଧିକ ପ୍ରୋତ୍ସାହନ ଦେବାକୁ ସରକାର ନୀତି ପ୍ରଣୟନ କରିଛନ୍ତି।
ଶନିବାର ବିଧାନସଭାରେ ଶିଳ୍ପ ଓ ଏମଏସଏମଇ ବିଭାଗର ଖର୍ଚ୍ଚ ଦାବି ଆଲୋଚନାରେ ଭାଗ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ବିଭିନ୍ନ ସମୟରେ ଅଣଓଡ଼ିଆମାନେ ଏ ରାଜ୍ୟକୁ ଆସି ଅବାଧରେ ଲୁଣ୍ଠନ କରିଚାଲିଛନ୍ତି। ସେମାନଙ୍କୁ ରୋକିବାକୁ ସରକାର କିଛି ବି କରନ୍ତି ନାହିଁ। ସିଏଜି ରିପୋର୍ଟ ଆଧାରରେ ଶ୍ରୀ ମିଶ୍ର କହିଥିଲେ, ୨୦୦୧ରେ ସରକାରଙ୍କ ଶିଳ୍ପ ନୀତିରେ କ୍ୟାପଟିଭ ପାଵାର ପ୍ଲାଣ୍ଟକୁ ଶତ ପ୍ରତିଶତ ବିଦ୍ୟୁତ ଶୁଳ୍କ ଛାଡ଼ କରିବାକୁ ବ୍ୟବସ୍ଥା ଥିଲା। କୌଣସି ପାଵାର ପ୍ଲାଣ୍ଟ ତ ହେଲାନି କିନ୍ତୁ ୩ଟି କମ୍ପାନି ୩୫୦ କୋଟି ଟଙ୍କାର ବିଦ୍ୟୁତ ଶୁଳ୍କ ଛାଡ଼ ପାଇଲେ। ୨୦୦୭ ଶିଳ୍ପ ନୀତିରେ କ୍ୟାପଟିଭ ପାଵାର ପ୍ଲାଣ୍ଟ ପାଇଁ ପୁଣି ଥରେ ସରକାର ୫୦% ବିଦ୍ୟୁତ ଶୁଳ୍କ ଛାଡ଼ କରିବାକୁ ବ୍ୟବସ୍ଥା କଲେ। ସେଥିରେ ବି ସରକାରଙ୍କ ସହ ବୁଝାମଣା କରିଥିବା କମ୍ପାନି ଠକିଚାଲିଲେ। ତଥାପି ସରକାର କିଛି ବି ଶିଖିଲେନି। ଅନୁଗୁଳରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାଵାର କମ୍ପାନି ପ୍ରାକୃତିକ ନନ୍ଦିରା ନାଳକୁ ପୋତି କମ୍ପାନି ପ୍ରତିଷ୍ଠା କରିଥିବା ନେଇ ଶ୍ରୀ ମିଶ୍ର ଅଭିଯୋଗ କରିଥିଲେ।
କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଅଭିଯୋଗ କରିଥିଲେ କୋରାପୁଟ କୋଟପାଡ଼ରୁ ଛତିଶଗଡ଼ରେ ଏନଏମଡିସି ନିର୍ମାଣ ପାଇଁ ସରକାର ପାଣି ଯୋଗାଇବାକୁ ସବୁ ବ୍ୟବସ୍ଥା କରିଦେଇଛନ୍ତି। କୋରାପୁଟରେ ଉତ୍କଳ ଆଲୁମିନା ଓ ଅନ୍ୟ କମ୍ପାନି ଗୁଡ଼ିକରେ ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳୁନି। ଅଥଚ ଏ ସବୁ କମ୍ପାନି ଏ ରାଜ୍ୟରେ ଖଣି ଖାଦାନ ବ୍ୟବହାର କରି କୋଟି କୋଟି ଟଙ୍କାର ଲାଭବାନ ହେଉଛନ୍ତି। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଅଭିଯୋଗ କରି କହିଥିଲେ, କେନ୍ଦୁଝରରେ ଡିଏମଏଫ ପାଣ୍ଠି ତଦାରଖ ଦାୟିତ୍ବ ଗୁରୁଗାଓଁର ଯେଉଁ ପିଡବ୍ଲ୍ୟୁସି ଇଣ୍ଡିଆ କମ୍ପାନିକୁ ଦିଆଯାଇଛି ସେ କଳା ତାଲିକା ଭୁକ୍ତ ହୋଇଛି। ଡିଏମଏଫ ପାଣ୍ଠି ଖର୍ଚ୍ଚ ନ ହୋଇ ପଡ଼ି ରହିଥିବାବେଳେ ଏବେ ଡିଏମଏଫ ପାଣ୍ଠି ଆତ୍ମସାତ କରିବାକୁ ସରକାର ସବୁ ପ୍ରକାର ବ୍ୟବସ୍ଥା କରିଦେଇଛନ୍ତି।
ଶାସକ ଦଳ ବିଧାୟକ ଅମର ପ୍ରସାଦ ଶତପଥୀ ସରକାରଙ୍କୁ ପ୍ରସ୍ତାବ ଦେଇ କହିଥିଲେ, ରାଜ୍ୟରେ କୃଷି ଭିତ୍ତିକ ଶିଳ୍ପର ଅଭାବ ରହିଛି। ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ଅଭାବ ଯୋଗୁଁ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରୁନି। ଏଥିପାଇଁ ମନ୍ତ୍ରୀ ପଦକ୍ଷେପ ନେବା ଦରକାର।
ଆଲୋଚନା ଶେଷରେ ଶିଳ୍ପ ଓ ଏମଏସଏମଇ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଉତ୍ତର ରଖି କହିଥିଲେ, ଅନୁଗୁଳରେ ଜିନ୍ଦର ପ୍ରତିଷ୍ଠା କରିଥିବା କମ୍ପାନି ପାଇଁ ଇଡକୋ ତରଫରୁ ଜମି ଯୋଗାଇ ଦିଆଯାଇଛି। ନନ୍ଦିରା ନାଳର ଦିଗ ବଦଳାଇ କମ୍ପାନି ପ୍ରତିଷ୍ଠା କରିବାକୁ ଜଳ ସମ୍ପଦ ବିଭାଗ ଅନୁମତି ଦେଇଥିଲା। ରାଜ୍ୟରେ ବେକାରି ସମସ୍ୟା ଦୂର କରିବା ପାଇଁ ସରକାର ଏବେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉପରେ ଗୁରୁତ୍ବ ଦେଉଛନ୍ତି। ମନ୍ତ୍ରୀଙ୍କ ଉତ୍ତର ପରେ ୨୦୧୯-୨୦ ପାଇଁ ଶିଳ୍ପ ବିଭାଗର ୨୬୨ କୋଟି ୨୫ ଲକ୍ଷ ୧୩ ହଜାର ଟଙ୍କା ଓ ଏମଏସଏମଇ ବିଭାଗର ୧୯୩ କୋଟି ୪୭ ଲକ୍ଷ ୭ ହଜାର ଟଙ୍କାର ଖର୍ଚ୍ଚ ଦାବି ଗୃହର ଅନୁମୋଦନ ଲାଭ କରିଥିଲା।
ଆଲୋଚନାରେ ଅନ୍ୟ ବିଧାୟକମାନଙ୍କ ଭିତରେ ପ୍ରଫୁଲ୍ଲ ସାମଲ, ମୀନାକ୍ଷି ମହନ୍ତ, ଅଶ୍ବିନୀ କୁମାର ପାତ୍ର, ପ୍ରୀତମ ପାଢ଼ୀ, ଦେବେଶ ଆଚାର୍ଯ୍ୟ, ନବ ଚରଣ ମାଝୀ, ମକରନ୍ଦ ମୁଦୁଲି, ସନ୍ତୋଷ ସିଂହ ସାଲୁଜା ପ୍ରମୁଖ ଭାଗ ନେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)