ପୁରୀ : ପୁରୀ ପୌରାଞ୍ଚଳର ୨୦ ବର୍ଷର ନଳା। ୩୧ ନମ୍ବର ୱାର୍ଡ ସହ ଆଖପାଖ ଅଞ୍ଚଳର ବର୍ଷା ଓ ନାଳ ପାଣିକୁ ଏହା ନିଷ୍କାସନ କରି ଆସୁଥିଲା। କିନ୍ତୁ ରାସ୍ତାର ବିକାଶ ଆଳରେ ଏହି ନଳା ପୋତି ଦେଇଛି ପୂର୍ତ୍ତ ବିଭାଗ। ଫଳସ୍ବରୂପ ଏବେ ଯେଉଁ ନାଳପାଣି ଯାଉଛି, ତାହା ନିଷ୍କାସନ ନ ହୋଇପାରି, ଗୋଟିଏ ଜାଗାରେ ଠୁଳ ହୋଇ ରହୁଛି। ସେପଟେ ବର୍ଷା ଦିନ ଆସିଲେ, ବର୍ଷା ଜଳ ନିଷ୍କାସନ ନ ହୋଇ ବ୍ୟାଙ୍କ କଲୋନି ଓ ଆଖପାଖ ଅଞ୍ଚଳକୁ ବୁଡ଼ାଇବ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମହଲରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।

Advertisment

ପୁରୀ ପୌରାଞ୍ଚଳ ଅଧୀନ ୩୧ ନମ୍ବର ୱାର୍ଡ ବ୍ୟାଙ୍କ କଲୋନି-୧ର ବରିଷ୍ଠ ଆଇନଜୀବୀ ସୁବାସ ଚନ୍ଦ୍ର ପରିଡ଼ା କହିଛନ୍ତି ଯେବେଠୁ ପିକେଆରଆଇଟି-ଭୂଦାନ ରାସ୍ତା ହେଲାଣି, ସେବେଠୁ ଏହି ନାଳ ରହିଛି। ଏହା ବର୍ଷା ଜଳ ସହ ଆବର୍ଜନା ଜଳକୁ ନିଷ୍କାସନ କରି ଆସୁଛି। ପୂର୍ବରୁ ବ୍ୟାଙ୍କ କଲୋନି ଓ ଆଖପାଖ ଅଞ୍ଚଳର ବର୍ଷା ଜଳ ନିଷ୍କାସନ ବାଟ ନ ଥିଲା। ସାମାନ୍ୟ ବର୍ଷାରେ ଉବୁଟୁବୁ ହେଉଥିଲା। ଏହାକୁ ଦୃଷ୍ଟିରେ ରଖି ବ୍ୟାଙ୍କ କଲୋନି-୧ ଗଳି ସମ୍ମୁଖରେ ନାଳ ତିଆରି କରି ବର୍ଷାଜଳ ଓ ଆବର୍ଜନା ଜଳ ନିଷ୍କାସନର ବାଟ ତିଆରି କରାଯାଇଥିଲା। ୨୦ ବର୍ଷରୁ ଅଧିକ ହେବ, ଏହି ନାଳ ବ୍ୟାଙ୍କ କଲୋନି ଓ ଆଖପାଖ ଅଞ୍ଚଳରୁ ପାଣି ନିଷ୍କାସନ କରି ଆସୁଛି। ୩୧ ନମ୍ବର ୱାର୍ଡର ସିଂହଭାଗ ଅଞ୍ଚଳର ବର୍ଷା ଜଳ ଏହି ନାଳ ଦେଇ ନିଷ୍କାସନ ହେଉଛି। ଏବେ ପିକେଆର‌୍ଆଇଟି-ଭୂଦାନ ରାସ୍ତା ସଂପ୍ରସାରଣ ଚାଲିଛି। ରାସ୍ତାକୁ ଚଉଡ଼ା କରାଯାଉଛି। ଏହି ଆଳରେ ୨୦ବର୍ଷରୁ ଅଧିକ ପୁରୁଣା ଏହି ନାଳକୁ ପୋତି ଦିଆଯାଉଛି। ତୁରନ୍ତ ନାଳ ବାଟ ଉନ୍ମୁକ୍ତ ନ ‌କଲେ, ଅଞ୍ଚଳବାସୀ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିବେ ବୋଲି ଶ୍ରୀ ପରିଡ଼ା କହିଛନ୍ତି।