ପୂର୍ତ୍ତ ବିଭାଗର ରାସ୍ତା ନିର୍ମାଣ : ଅଧିକାରୀଙ୍କ କଥା ମାନୁନାହାନ୍ତି କି, କାମସାରୁ ନାହାନ୍ତି, ହାତବାନ୍ଧି ଚୁପ ବସିଛି ବିଭାଗ

ପାରଳାଖେମୁଣ୍ତି: ପାରଳା ସହରରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି ଏହି କଥା ଶୁଣିଶୁଣି ଥକି ଗଲେଣି ପାରଳା ସହର ବାସିନ୍ଦା। ଏହି ରାସ୍ତା ସହର ଫରେଷ୍ଟଗେଟ ଛକଠାରୁ ଆରମ୍ଭ କରି ଗୁମ୍ମା ନାଳ ପର୍ଯ୍ୟନ୍ତ ନିର୍ଦ୍ଧାରଣ ହୋଇଥିବା ବେଳେ ଏହି କାର୍ଯ୍ୟରେ ବିଭିନ୍ନ ତ୍ରୁଟି ରହିଥିବା ନଜରକୁ ଆସିଛି। ଏହି ତ୍ରୁଟି ଗୁଡିକ ତଦନ୍ତ କରିବା ପାଇଁ ଦାବି କରିଛନ୍ତି ପାରଳା ସହର ବାସିନ୍ଦା। ସହରର ପ୍ରଥମ ଅ˚ଶ ଯାହା ଫରେଷ୍ଟଗେଟ ଛକଠାରୁ ଆରମ୍ଭ କରି ପୋଲିସ ଷ୍ଟେସନଛକ ପର୍ଯ୍ୟନ୍ତ ୬୦ ଫୁଟରୁ ଅଧିକ ଓସାରିଆ ରାସ୍ତା ନିର୍ମାଣ ହୋଇଥିବା ବେଳେ ସହର ମଧ୍ୟ ଦେଇ ଏହା ୪୪ ଫୁଟ ଓସାରରେ ହେବ ବୋଲି ନିର୍ମାଣ ବେଳେ ସୂଚନା ଦେଇଥିଲା ପୂର୍ତ୍ତ ବିଭାଗ । କିନ୍ତୁ ସହର ମଧ୍ୟରେ ଯେଉଁ ରାସ୍ତା ଯାଇଛି ସେହି ରାସ୍ତାରେ ପାତରଅନ୍ତର ହୋଇଛି। ରାସ୍ତା ମଝିରୁ ୨୨ ଫୁଟ ଲେଖାଁଏ ଯିବ ବୋଲି କୁହାଯାଇଥିଲା କିନ୍ତୁ କିଛି ଚାପରେ ଆସି ପୂର୍ତ୍ତ ବିଭାଗ ନିଜ ଇଚ୍ଛା ମୁତାବକ କାର୍ଯ୍ୟ କରୁଛି। କେହି ଯଦି ଏହି ରାସ୍ତା ନିର୍ମାଣ ପାଇଁ ପାଟି କରୁଛି ତେବେ ସେଠାରେ ପାଖେଇଦେଇ ଅନ୍ୟ ଜାଗାରେ କାର୍ଯ୍ୟ କରୁଥିବା ନେଇ ଅଭିଯୋଗ ହେଉଛି। ସ୍ଥାନୀୟ ବାସିନ୍ଦାଙ୍କ ଏପରି ହୁଁକାର ଶୁଣିବା ପରେ ମଧ୍ୟ ପୂର୍ତ୍ତ ବିଭାଗ ଏହି କାର୍ଯ୍ୟ ନେଇ ଯେଉଁ ନକ୍ସା ପ୍ରସ୍ତୁତ କରିଛି ତାହା ମଧ୍ୟ ଲୋକଲୋଚନକୁ ଆସୁନାହିଁ କାହିଁକି ବୋଲି ବୁଦ୍ଧିଜୀବିମାନେ ମତବ୍ୟକ୍ତ କରିଛନ୍ତି ।

ଗତ ୨୦୧୭ ମସିହାରେ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏହି ୫ କିମି ରାସ୍ତା ନିର୍ମାଣ ୩ ବର୍ଷରୁ ଅଧିକ ସମୟ ନେଇଛି ପୂର୍ତ୍ତ ବିଭାଗ । ଏହି ରାସ୍ତା ନିର୍ମାଣରେ ବିଳମ୍ବ କାହିଁକି ହେଉଛି ସେ ସମ୍ପର୍କରେ କୌଣସି ଅଧିକାରୀ ପାଟିଖୋଲୁ ନାହାନ୍ତି କାହିଁକି ଏହା ସମ୍ପର୍କରେ ଆଜି ଅଧିକ ତଦନ୍ତ ବେଳେ କିଛି ସହଯୋଗୀ ନିଜ ନାମକୁ ଗୋପନ ରଖି କହିଥିଲେ କି ପୂର୍ତ୍ତ ବିଭାଗର କୌଣସି ଅଧିକାରୀ ନିର୍ଦ୍ଦେଶକୁ ମାନୁ ନାହାନ୍ତି। ରାସ୍ତାକୁ ନେଇ କୌଣସି ଜାଗାରେ ଅସୁବିଧା ଥିବା କହିଲେ ବ୍ୟସ୍ତ ହୁଅନ୍ତୁ ନାହିଁ ଏହାର ତଦାରଖ ଆମେ କରୁଛୁ ବୋଲି କହି ଖସୁଛନ୍ତି ଉକ୍ତ ଠିକା କମ୍ପାନୀର କର୍ମଚାରୀମାନେ । ଏହି ଠିକା କମ୍ପାନୀ ରାସ୍ତାର ଦୁଇ କଡରେ ନାଳ ନିର୍ମାଣ କରୁଥିବା ବେଳେ କୌଣସି ଜାଗାରେ ନାଳ ଲେବେଲ ନଥିବା ଏବ˚ ଏଥିରେ ଢାଙ୍କୁଣି ନଦେବାକୁ ନେଇଁ ନାନା ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏହି ଢାଙ୍କୁଣୀ ନକରିବା ଯୋଗୁଁ ପ୍ରତ୍ୟେକ ଦିନ ଏଠାରେ ଛୋଟ ବଡ ଦୁର୍ଘଟଣା ଘଟୁଥିବା ବେଳେ ଆଉ କେତେ ଦୁର୍ଘଟଣା ପରେ ଚେତିବ ବିଭାଗ ବୋଲି ପ୍ରଶ୍ନ ଉଠିଛି। ଏହି ରାସ୍ତା ଏବ˚ ନାଳ ନିର୍ମାଣ ସରିବ କେବେ ତାହା ସମ୍ପର୍କରେ କେହିଯାଣି ନଥିବା ବେଳେ ୨୦୨୧ ମସିହାରେ ମଧ୍ୟ ସମ୍ପୂର୍ଣ୍ଣ ହେବକି ନାହି ତାହା ମଧ୍ୟ ସନ୍ଦେହ ଘେରରେ।

ସମ୍ବନ୍ଧିତ ଖବର