ପୂର୍ତ୍ତ ବିଭାଗରେ ଟେଣ୍ଡର୍ ଘୋଟାଲା : ମାହାଙ୍ଗାରେ କୋଟିକୋଟି ଟଙ୍କାର ଦୁର୍ନୀତି

ଯାଜପୁର/କଟକ : କଟକ ପୂର୍ତ୍ତ ଡିଭିଜନ-୨ ଅନ୍ତର୍ଗତ ସାଲେପୁର ସବଡିଭିଜନର ମାହାଙ୍ଗା ସେକ୍ସନରେ କୋଟି କୋଟି ଟଙ୍କାର କେଳେଙ୍କାରୀ ଏବେ ପଦାକୁ ଆସିଛି। ଗୋଟିଏ ଗୋଟିଏ ରାସ୍ତାରେ ଖୋଲା ଟେଣ୍ଡର୍ ସହିତ ଶହଶହ ଗୁପ୍ତ ଟେଣ୍ଡର୍ ଜରିଆରେ କୋଟି କୋଟି ଟଙ୍କା ସରକାରୀ ଅନୁଦାନ ହରିଲୁଟ୍ ହୋଇଛି। ଲୋକପ୍ରତିନିଧିଙ୍କୁ ଅନ୍ଧାରରେ ରଖି କାଗଜପତ୍ରରେ ବାହାର ‌ଠିକାଦାରଙ୍କ ଜରିଆରେ ଶହଶହ ଗୁପ୍ତ ଟେଣ୍ଡର୍ କରାଯାଇଥିବ‌ା ଅନୁସନ୍ଧାନରୁ ଜଣାପଡ଼ିଛି।

ହସ୍ତଗତ ତଥ୍ୟରୁ ଜଣାପଡ଼ିଛି ଯେ, ୨୦୧୫-୧୬ ଆର୍ଥିକ ବର୍ଷରେ ଏହି ରାସ୍ତାରେ ୨୭ଟି ଗୁପ୍ତ ଟେଣ୍ଡର କରାଯାଇ ୬୪ ଲକ୍ଷ ୪୫ହଜାର ୩୯୫ ଟଙ୍କା ଘୋଟାଲା କରାଯାଇଛି। ସେହିପରି ୨୦୧୬-୧୭ ଆର୍ଥିକ ବର୍ଷରେ ୩୮ଟି ଗୁପ୍ତ ଟେଣ୍ଡରରେ ୧ କୋଟି ୫୫ ଲକ୍ଷ ୫୪ ହଜାର ୭୧୧ ଟଙ୍କା ହରିଲୁଟ୍ ହୋଇଛି। ୨୦୧୭-୧୮ ଆର୍ଥିକ ବର୍ଷରେ ୪୪ଟି ଗୁପ୍ତ ଟେଣ୍ଡରରେ ୧କୋଟି ୯୮ ଲକ୍ଷ ୮୮ ହଜାର ୭୪୪ ଟଙ୍କା ହଡ଼ପ କରାଯାଇଛି। ଏହିପରି ମୋଟ ୩ ବର୍ଷରେ ୧୦୯ ଟି ଗୁପ୍ତ ଟେଣ୍ଡରରେ ୪ କୋଟି ୧୮ ଲକ୍ଷ ୮୮ ହଜାର ୮୫୦ ଟଙ୍କା ହରିଲୁଟ ହୋଇଥିବାବେଳେ ୨୦୧୮-୧୯ରେ ମଧ୍ୟ ଅନେକ ଗୁପ୍ତ ଟେଣ୍ଡର କରି ସରକାରୀ ଅନୁଦାନ ‌େହରାଫେରି କରାଯାଇଛି ବୋଲି ଅଭିଯୋଗ ହୋଇଛି। ନାମକୁ ମାତ୍ର କାମ କରି ମିଥ୍ୟା ବିଲ୍ ଜରିଆରେ ଯନ୍ତ୍ରୀ-ଠିକାଦାର ସରକାରୀ ଅନୁଦାନକୁ ଚଳୁ କରିଚାଲିଛନ୍ତି। ୧୭କିମି ଏହି ରାସ୍ତାରେ ୧୦୯ଟି ଗୁ୍ପ୍ତ ଟେଣ୍ଡର ସହିତ ୨୦୧୫-୧୬ ଆର୍ଥିକ ବର୍ଷରେ ୩ କୋଟି ୯୩ ଲକ୍ଷ ୬୪ ହଜାର ୮୦୬ ଟଙ୍କା ଏବଂ ୧୭ ଲକ୍ଷ ୯୨ ହଜାର ୬୪୪ ଟଙ୍କାର ଖୋଲା ଟେଣ୍ଡର କରି ଅର୍ଥ ବ୍ୟୟ କରାଯାଇଛି। ଏହି ରାସ୍ତାରେ ନିର୍ଦ୍ଦିଷ୍ଟ ଆର୍ଥିକ ବର୍ଷରେ କେଉଁ ପରିସ୍ଥିତିରେ ଖୋଲା ଟେଣ୍ଡର ପରେ ଶତାଧିକ ଗୁପ୍ତ ଟେଣ୍ଡର ଜରିଆରେ ଅର୍ଥ ବ୍ୟୟ କରାଯାଇଛି? ସରକାରଙ୍କ ନୀତିନିୟମକୁ ମୋଡ଼ି ମକଚି ପୂର୍ତ୍ତ ବିଭାଗର ଅଧିକାରୀ ଗୁପ୍ତ ଟେଣ୍ଡର କଲେ କିପରି?

ସେହିପରି କୁଆଁପାଳ-ବାଲିଚନ୍ଦ୍ରପୁର ୭ କିଲୋମିଟର ରାସ୍ତାରେ ମଧ୍ୟ ଅଧିକାରୀ ବ୍ୟାପକ ଜାଲ ବିଲ୍ କରି କୋଟିକୋଟି ଟଙ୍କା ହରିଲୁଟ୍ କରିଛନ୍ତି। ଏହି ରାସ୍ତାରେ ୨୦୧୫-୧୬ ଆର୍ଥିକ ବର୍ଷରେ ରାଜ୍ୟ ଯୋଜନାରେ ୧ କୋଟି ୪୭ଲକ୍ଷ ୩୬୨ ଟଙ୍କା ବ୍ୟୟ ଅଟକଳରେ ଟେଣ୍ଡର ହୋଇଥିଲା। ପୁଣି ଏହି ରାସ୍ତାରେ ୨୦୧୮-୧୯ ଆର୍ଥିକ ବର୍ଷରେ ୬କୋଟି ୫୪ ଲକ୍ଷ ଟଙ୍କାର ଟେଣ୍ଡର ଡକାଯାଇ କାମ ସରିଲାଣି। ଯାହାକି ଅତି ନିମ୍ନମାନର ହୋଇଛି ବୋଲି ଅଭିଯୋଗ ହେଉଛି। ଏବେ ଏହି ରାସ୍ତା ଦବିବା ସହ ଫାଟି ଗଲାଣି। ଏହି ରାସ୍ତାରେ ୨୦୧୫ -୧୬ ଆର୍ଥିକ ବର୍ଷରେ ଠିକାଦାର କରିଥିବା କାମର ସଂପୂର୍ଣ୍ଣ ବିଲ୍ ପୂର୍ତ୍ତ ବିଭାଗ ପଇଠ କରିନଥିଲା ବେଳେ ୨୦୧୮-୧୯ ଆର୍ଥିକ ବର୍ଷରେ ରାସ୍ତା ନିର୍ମାଣ ପାଇଁ ବିଭାଗୀୟ ଅଧିକାରୀ ଟେଣ୍ଡର ଆହ୍ବାନ କଲେ କେମିତି ବୋଲି ପ୍ରଶ୍ନ ଉଠୁଛି। କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଥିବା ଏହି ରାସ୍ତାରେ ମରାମତି ଅବଧି ଶେଷ ହେବା ପୂର୍ବରୁ ପୁଣି ୬ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରାଗଲା। ଏଥିସହ ୨୦୧୫-୧୬ ଆର୍ଥିକ ବର୍ଷରେ ଟେଣ୍ଡର ହୋଇ ରାସ୍ତା କାମ ସଂପୂର୍ଣ୍ଣ ହେବା ପୂର୍ବରୁ ୪ କିଲୋମିଟର ପର୍ଯ୍ୟନ୍ତ ଠିକାଦାର ପୋତିଥିବା ୮ଲକ୍ଷ ଟଙ୍କାର ସିମେଣ୍ଟ ଗାର୍ଡପୋଷ୍ଟକୁ ସହକାରୀ ଯନ୍ତ୍ରୀ ଚିତ୍ତରଞ୍ଜନ ଜେନା କାହିଁକି ଭାଙ୍ଗିଦେଲେ ବୋଲି ପ୍ରଶ୍ନ ଉଠୁଛି। ଦୁଇ ଦୁଇଟି ଟେଣ୍ଡରରେ ରାସ୍ତା କାମ ହେଇଥିଲେ ମଧ୍ୟ ପୁଣି ଗୁପ୍ତ ଟେଣ୍ଡର କରି ଲକ୍ଷାଧିକ ଟଙ୍କା ହରିଲୁଟ କରାଯାଇଛି। ୨୦୧୫-୧୬ ଆର୍ଥିକ ବର୍ଷରେ ୧୪ଟି ଗୁପ୍ତ ଟେଣ୍ଡରରେ ୫୩ ଲକ୍ଷ ୩୮ ହଜାର ୬୪୪ ଟଙ୍କା ବ୍ୟୟ ଦର୍ଶାଯାଇଛି। ୨୦୧୬-୧୭ ଆର୍ଥିକ ବର୍ଷରେ ୨ଟି ଗୁପ୍ତ ଟେଣ୍ଡରରେ ୬ଲକ୍ଷ ୫ହଜାର ୭୩୧ ଟଙ୍କା ଘୋଟାଲା ହୋଇଛି। ସେହିପରି ୨୦୧୭-୧୮ଆର୍ଥିକ ବର୍ଷରେ ୫ଟି ଗୁପ୍ତ ଟେଣ୍ଡରରେ ୨୪ ଲକ୍ଷ ୩୩ ହଜାର ୯୭୨ ଟଙ୍କା ହରିଲୁଟ୍ ହୋଇଛି। ୪ ବର୍ଷରେ ମୋଟ ୨୧ ଟି ଗୁପ୍ତ ଟେଣ୍ଡରରେ ୮୩ଲକ୍ଷ ୭୮ ହଜାର ୩୪୭ ଟଙ୍କା କାହା ସ୍ବାର୍ଥରେ ବ୍ୟୟ ହୋଇଛି ବୋଲି ପ୍ରଶ୍ନ ଉଠୁଛି।

ସୂଚନା ଯୋଗ୍ୟ ଯେ, ଏହି ସେକ୍ସନର ପାଗା-ଗୋପୀନାଥପୁର-କୁଆଁପାଳ ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମତା ସହ ଆକଳନ ଅନୁଯାୟୀ କାମ ନହେବା, ନିମ୍ନମାନର ସାମଗ୍ରୀ ବ୍ୟବହୃତ ହେବା ଓ ବିଭାଗୀୟ ଅଧିକାରୀମାନେ ତଦାରଖ ନ କରିବା ଫଳରେ ରାସ୍ତା ତଳକୁ ଦବି ଫାଟିବା ଘଟଣାରେ ତନାଘନା ଚାଲିଛି। ତଦନ୍ତ କରୁଥିବା ଅଧିକାରୀମାନେ ସହକାରୀ ଯନ୍ତ୍ରୀ ଚିତ୍ତରଞ୍ଜନ ଜେନାଙ୍କ ଉପରେ ବର୍ଷିଛନ୍ତି। ଶହ ଶହ ଗୁପ୍ତ ଟେଣ୍ଡର ଜରିଆରେ କୋଟି କୋଟି ଟଙ୍କାର ସରକାରୀ ଅନୁଦାନ ହରିଲୁଟ ହେବା ପଦାରେ ପଡ଼ିବା ପରେ ବିଭିନ୍ନ ମହଲରେ ଏ ନେଇ ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧିତ ଖବର