ଉମରକୋଟ : ଏଲ୍‌ପିଜି, ରାସ୍ତା ନିର୍ମାଣରେ ବ୍ୟବହାର ହେଉଥିବା ତେଲ ଓ ରନ୍ଧନ କୋଇଲା ଉତ୍ପାଦନ କ୍ଷେତ୍ରରେ ନୂଆ ଉପଲବ୍ଧି ହାସଲ କରିଛି ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକ୍‌। ଦେଶର ପ୍ରଥମ ମୋବାଇଲ ପାଇରୋଲାଇଜର ପ୍ଲାଣ୍ଟ୍‌ ସ୍ଥାନୀୟ କୃଷି ବିଭାଗ ଫାର୍ମରେ ଆଜି ଉଦ୍‌ଘାଟିତ ହୋଇଛି।

Advertisment

ସୂଚନା ଅନୁସାରେ, ଉତ୍ତରପ୍ରଦେଶ, ପଞ୍ଜାବ ଏବଂ ହରିୟାଣାର ଚାଷୀ ବାୟୋମାସ୍‌ ପେଲିଟାଇଜର ମେସିନ୍‌ ବ୍ୟବହାର କରି ସାରିଲେଣି। ତେବେ ପ୍ରଥମଥର ପାଇଁ ଦେଶରେ ପାଇରୋଲାଇଜର ମେସିନ୍‌ ଉମରକୋଟରେ ବ୍ୟବହାର ହେବାକୁ ଯାଉଛି। ଶସ୍ୟ ଅମଳ ପରେ ବାହାରୁଥିବା ବର୍ଜ୍ୟକୁ ସାଧାରଣତଃ ଚାଷୀ ଫୋପାଡ଼ି ଦେଇଥାନ୍ତି କିମ୍ବା ପୋଡ଼ି ଦେଉଛନ୍ତି। କିନ୍ତୁ, ଉପରୋକ୍ତ ମେସିନ୍‌ ସ୍ଥାପନ ହେବାପରେ ତାହାକୁ ବ୍ୟବହାର କରାଯାଇ ପାରିବ। ନଡ଼ା, କାଠି ସହ ଅନ୍ୟ ବର୍ଜ୍ୟକୁ ବାୟୋମାସ୍‌ ପେଲିଟାଇଜରରେ ଗୁଣ୍ଡ କରି ସେଥିରେ ପାଣି ମିଶାଇ ପେଲେଟରେ ପରିଣତ କରାଯିବ। ଏହାପରେ ପାଇରୋଲାଇଜର ମେସିନ୍‌ରେ ସେହି ପେଲେଟ୍‌ ଗୁଡ଼ିକୁ କଞ୍ଚାମାଲ ଭାବେ ବ୍ୟବହାର କରି ଏଲ୍‌ପିଜି ଏବଂ ରାସ୍ତା ନିର୍ମାଣରେ ବ୍ୟବହାର ହେଉଥିବା ତେଲ ବାହାର କରାଯିବ। ପରବର୍ତ୍ତୀ ସମୟରେ ଉକ୍ତ ପେଲେଟ ଗୁଡ଼ିକୁ କୋଇଲା ଭଳି ଇନ୍ଧନ ରୂପେ ବ୍ୟବହାର କରିହେବ ବୋଲି ଜଣାପଡ଼ିଛି। ସେହିପରି, ବାୟୋସାର ଭାବେ ଜମିରେ ବ୍ୟବହାର କଲେ ଜମିରେ ଜଳଧାରଣ କ୍ଷମତା ବଢ଼ିବ ବୋଲି ବୈଜ୍ଞାନିକ ଡ. ମନୀଷ କୁମାର ସୂଚନା ଦେଇଛନ୍ତି।