କ୍ୟୁ ନେଟ୍ ଠକେଇ: ୩ ଅଭିଯୁକ୍ତଙ୍କ ଜାମିନ ଖାରଜ

କଟକ : କ୍ୟୁ ନେଟ୍ ଠକେଇ ମାମଲାରେ ଗିରଫ ହୋଇଥିବା ତିନି ଅଭିଯୁକ୍ତଙ୍କ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଛି। ଜଷ୍ଟିସ ବି.ପି ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ସଂସ୍ଥାର ପ୍ରମୋଟର ତଥା ସିନିୟର ପାର୍ଟନର୍‌ ଶରତ କୁମାର ପରିଡ଼ା, ଦେବବ୍ରତ ହରିଚନ୍ଦନ ଓ ଚନ୍ଦନ ମହାଳିକଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ, କ୍ୟୁ ନେଟ୍ ଏକ ମଲ୍ଟି ଲେଭଲ ସଂସ୍ଥା ହୋଇଥିବାବେଳେ ୨୧ବର୍ଷ ତଳେ ହଂକଂରେ ପ୍ରତିଷ୍ଠା ହୋଇଥିଲା। ଭାରତରେ ପ୍ରାୟ ୭ବର୍ଷ ତଳେ ବିହାନ ଡାଇରେକ୍ଟ ସେଲିଂ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ନାଁରେ ଏକ ଫ୍ରାଞ୍ଚାଇଜ ସଂସ୍ଥା ଖୋଲି ଦେଶରେ ସ୍ୱପ୍ନ ବିକ୍ରି କରି ଲୋକଙ୍କଠାରୁ କୋଟି କୋଟି ଟଙ୍କା ସଂଗ୍ରହ କରିଥିଲା। ଓଡ଼ିଶାରେ ଏହି ସଂସ୍ଥା ୫ବର୍ଷ ତଳେ ଶାଖା ଖୋଲି ପ୍ରାୟ ୫୦ କୋଟି ଟଙ୍କା ଠକେଇ କରିବା ନେଇ ଅଭିଯୋଗ ହୋଇଥିଲା। କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଏହି ସଂସ୍ଥାର ପ୍ରମୋଟର ତଥା ସିନିୟର ପାର୍ଟନର ବ୍ରହ୍ମେଶ୍ୱରପାଟନାର ଶରତ କୁମାର ପରିଡ଼ା, ଚନ୍ଦ୍ରଶେଖରପୁର ଅଞ୍ଚଳର ଦେବବ୍ରତ ହରିଚନ୍ଦନ ଓ ଜଗନ୍ନାଥବିହାର ଅଞ୍ଚଳର ଚନ୍ଦନ ମହାଳିକଙ୍କୁ ଗିରଫ କରି ୨୦୧୯ ଅକ୍ଟୋବର ୧ରେ କୋର୍ଟଚାଲାଣ କରିଥିଲା। ତିନି ଅଭିଯୁକ୍ତଙ୍କ ବିରୋଧରେ ଇଓଡବ୍ଲୁ ଏହି ମାମଲାରେ ତଦନ୍ତ କରି ଅଦାଲତରେ ଚାର୍ଜସିଟ ଦାଖଲ କରିଥିଲା। ପୂର୍ବରୁ ମଧ୍ୟ ହାଇକୋର୍ଟରେ ଏହି ଅଭିଯୁକ୍ତଙ୍କ ଜାମିନ ଖାରଜ ହୋଇଥିଲା। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଭାବେ ନିଯୁକ୍ତ ଆଇନଜୀବୀ ବିବେକାନନ୍ଦ ଭୂୟାଁ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର