ପ୍ରାଥମିକ ଶିକ୍ଷକଙ୍କ ମୂଳ ଯୋଗ୍ୟତା ବଢ଼ିଲା : ୩ ବର୍ଷ ପରେ କନିଷ୍ଠ ଶିକ୍ଷକ ମାନ୍ୟତା

ଭୁବନେଶ୍ୱର : ପ୍ରାଥମିକ ଶିକ୍ଷକ ଓ ଶିକ୍ଷା ସହାୟକଙ୍କ ସର୍ବନିମ୍ନ ଯୋଗ୍ୟତା ମାଟ୍ରିକ୍‌ ଓ ସିଟି ପରିବର୍ତେ ଯୁକ୍ତ୨ ଓ ସିଟିକୁ ପରିବର୍ତନ କରାଯାଇଛି। ଏଥିସହ ସଫଳତା ସହ ତିନି ବର୍ଷ କାର୍ଯ୍ୟ କରିଥିବା ଶିକ୍ଷା ସହାୟକଙ୍କୁ କନିଷ୍ଠ ଶିକ୍ଷକ ଏବଂ ୬ ବର୍ଷ ପରେ ନିୟମିତ ଶିକ୍ଷକ ହେବେ। କାର୍ଯ୍ୟ କରୁଥିବା ସମୟରେ ଯଦି କୌଣସି ଶିକ୍ଷା ସହାୟକଙ୍କ ମୃତ୍ୟୁ ଘଟିବ ତାଙ୍କୁ ଦୁଇ ଲକ୍ଷ ଟଙ୍କାର ସହାୟତା ଦିଆଯିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି।

ସରକାରଙ୍କ ଏହି ନିଷ୍ପତ୍ତିକୁ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ(ନୂତନ ପେନ୍‌ସନ ଯୋଜନାଭୁକ୍ତ) ଏବଂ ଓଡ଼ିଶା ଶିକ୍ଷା ସହାୟକ ସଂଘ ପକ୍ଷରୁ ସ୍ୱାଗତ କରାଯାଇଛି। ଶିକ୍ଷା ସହାୟକ ସଂଘ ସଭାପତି ମଳୟ କୁମାର ଜେନା, ଉପଦେଷ୍ଟା ସୁନିଲ୍‌ କୁମାର ପ୍ରଧାନ, ଯୁଧିଷ୍ଠୀର ସାହୁ, ଜ୍ୟୋତି ରଞ୍ଜନ ଦାଶ ପ୍ରମୁଖ ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ପ୍ରାଥମିକ ଶିକ୍ଷକ ସଂଘ ସଭାପତି ରାଜେଶ ମହାନ୍ତି, ସାଧାରଣ ସମ୍ପାଦକ ଖଗେନ୍ଦ୍ରନାଥ ପାଲ୍‌, ମହାସଚିବ ବିକ୍ରମ ରଥ, ଦୋଳଗୋବିନ୍ଦ ପଣ୍ଡା, କାର୍ଯ୍ୟକାରୀ ସଭାପତି ସହସ୍ରାଂଶୁ ଶେଖର ମହାନ୍ତି, ପୂର୍ଣ୍ଣାନନ୍ଦ ଆଚାର୍ଯ୍ୟ ପ୍ରମୁଖ ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ, ବିଭାଗୀୟ ସଚିବଙ୍କୁ ଅନ୍ତରିକ ଧନ୍ୟବାଦ ଦେଇଛନ୍ତି। ଏଥିସହ ଯୁକ୍ତ୨ ଓ ସିଟି ଯୋଗ୍ୟତାର ନୂଆ ଦରମା ୨୦୧୮ ଜାନୁଆରି ପହିଲାରୁ ଦେବା ପାଇଁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି। ସୂଚନାଯୋଗ୍ୟ ଯେ ଗତ ଏକ ମାସ ହେଲା ଉଭୟ ସଂଘ ପକ୍ଷରୁ ଏନେଇ ବାରମ୍ବାର ଦାବି କରାଯାଇଥିଲା। ସରକାରଙ୍କ ଦ୍ୱାରା ଗଠିତ ବିଭାଗୀୟ କମିଟି, ଉଚ୍ଚକ୍ଷମତା ସମ୍ପର୍ଣ୍ଣ କମିଟି ସହ ଉଭୟ ସଙ୍ଗଠନ ୩ ଥର ଆଲୋଚନା ହୋଇଥିଲା।

ସମ୍ବନ୍ଧିତ ଖବର