ଭୁବନେଶ୍ବର : ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୨୭୬ଟି ଛାତ୍ରାବାସ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିସହ ୧୩ଟି ଶିକ୍ଷା ସୌଧ ଓ ୨୮ଟି ଛାତ୍ରାବାସର ଉଦ୍ଘାଟନ କରି ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ବାରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଦର୍ଶ ବିଦ୍ୟାଳୟର ଚମତ୍କାର ଭିତ୍ତିଭୂମି ଆମ ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷା ବିକାଶ ପାଇଁ ପଥ ପରିଷ୍କାର କରିବ। ଗ୍ରାମାଞ୍ଚଳର ପିଲାମାନଙ୍କୁ ଇଂରାଜୀ ମାଧ୍ୟମରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ଓଡ଼ିଶା ସାରା ଦେଶରେ ଆଦର୍ଶ ପାଲଟିଛି। ଏହା ଆରମ୍ଭ ହେବାଠାରୁ ଓଡ଼ିଶାର ସମସ୍ତ ୩୧୪ ବ୍ଲକ ଓ ଭୁବନେଶ୍ବରରେ ଆଇକନିକ୍ ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇଛି। ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ମୋ ସରକାରର ପ୍ରାଥମିକତା। ୫-ଟି କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାଳୟଗୁଡ଼ିକର ପରିବର୍ତ୍ତନ ହେଉଛି। ସିବିଏସ୍ଇ ଢାଞ୍ଚାରେ ବ୍ଲକସ୍ତରରେ ଦକ୍ଷ ଗ୍ରାମୀଣ ଏବଂ ଅର୍ଦ୍ଧସହରୀ ଛାତ୍ରଛାତ୍ରୀଙ୍କୁ ଉନ୍ନତ ଶିକ୍ଷା ପ୍ରଦାନ କରିବାକୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସମର୍ପିତ ହୋଇଛି। ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଅନେକ ଅଭିନବ ପଦକ୍ଷେପ ନିଆଯାଉଥିବା ସେ କହିଛନ୍ତି।
ଏହି ଅବସରରେ ସିବିଏସ୍ଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ସହ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଯୋଗଦେଇଥିବା ନୂତନ ଛାତ୍ରଛାତ୍ରୀଙ୍କୁ ସ୍ବାଗତ କରାଯାଇଥିଲା। ସମସ୍ତ ନୂତନ ପ୍ରବେଶକାରୀଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହ ନିଟ୍, ଜେଇଇ ଆଡଭାନ୍ସଡ୍ ଓ ଅନ୍ୟାନ୍ୟ ଜାତୀୟସ୍ତରୀୟ ପ୍ରତିଯୋଗିତା ପରୀକ୍ଷାରେ ଯୋଗ୍ୟତା ଅର୍ଜନ କରିଥିବା ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଏଥିସହ ଶିକ୍ଷକ, ଅଭିଭାବକ, ବିଦ୍ୟାଳୟ ପରିଚାଳନା ଓ ସ୍ଥାନୀୟ ସମ୍ପ୍ରଦାୟର ନିରନ୍ତର ଉଦ୍ୟମ ଆଦର୍ଶ ବିଦ୍ୟାଳୟକୁ ଆଗାମୀ ଦିନରେ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବ ବୋଲି ସେ ଆଶାପ୍ରକଟ କରିଛନ୍ତି।
ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା ଉପେନ୍ଦ୍ର ତ୍ରିପାଠୀ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ଗଣଶିକ୍ଷା ସଚିବ ଅଶ୍ବଥୀ ଏସ୍ ସ୍ବାଗତ ଭାଷଣ ଦେଇଥିଲେ।