ସ୍ମାର୍ଟକ୍ଲାସ୍‌ ମାଧ୍ୟମରେ ଗୁଣାତ୍ମକ ଶିକ୍ଷା, ଦକ୍ଷତା ବିକାଶ ସମ୍ଭବ: ଗଣଶିକ୍ଷା ମନ୍ତ୍ରୀ

ଛତ୍ରପୁର : ଛତ୍ରପୁର ବ୍ଲକ କାଳିପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସ୍ମାର୍ଟକ୍ଲାସ୍‌ ଓ କମ୍ପ୍ୟୁଟର ଶିକ୍ଷା ଶ୍ରେଣୀଗୃହ ଉଦ୍‌ଘାଟିତ ହୋଇଯାଇଛି। ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦ୍‌ଘାଟନ କରିଥିଲେ। ନିଜ ବକ୍ତବ୍ୟରେ ଶ୍ରୀ ଦାଶ କହିଥିଲେ, ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ବାସ ବୃଦ୍ଧି ସହ ଗୁଣାତ୍ମକ ଶିକ୍ଷାର ବିକାଶ ଏବଂ ଶିକ୍ଷକଶିକ୍ଷୟିତ୍ରୀଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆଣିବାକୁ ନାନା ଅଭିନବ ପ୍ରୟାସ ହାତକୁ ନିଆଯାଇଛି। ବିଶେଷ କରି ଗ୍ରାମା‌ଞ୍ଚଳ ବିଦ୍ୟାଳୟ ଗୁଡ଼ିକରେ ପିଲାଙ୍କୁ ଗୁଣାତ୍ମକ ଶିକ୍ଷାଦାନକୁ ଅଧିକ ଗୁରୁତ୍ବ ଦିଆଯାଉଛି। ଏଥିପାଇଁ ସରକାର ସରକାରୀ ବିଦ୍ୟାଳୟ ଗୁଡ଼ିକରେ ସ୍ମାର୍ଟକ୍ଲାସରୁମ୍ ଓ କମ୍ପ୍ୟୁଟର ଶିକ୍ଷା ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଏହାଦ୍ବାରା ଗୁଣାତ୍ମକ ଶିକ୍ଷାର ବିକାଶ ସହ ଦକ୍ଷତା ବିକାଶ ବି ସମ୍ଭବପର ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି।

ସେହିପରି ସରକାରୀ ବିଦ୍ୟାଳୟରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମ‌ରେ ସଂରକ୍ଷଣ ବ୍ୟବସ୍ଥା ସରକାରଙ୍କ ଏକ ଯୁଗାନ୍ତକାରୀ ନିଷ୍ପତ୍ତି। ‌ସରକାରୀ ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀ ମାନେ କୌଣସି ଗୁଣରେ କମ୍ ନୁହନ୍ତି। ବର୍ତ୍ତମାନ ସେମାନେ ନିଜ ଦକ୍ଷତାକୁ ପ୍ରତିପାଦିତ କରି ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ଆସ୍ଥାଭାଜନ ହେବାର ସମୟ ଆସିଛି। ଅନ୍ୟପକ୍ଷରେ ଡିଜିଟାଲ୍ ପାଠପଢ଼ା ଲାଗି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ନୂତନ ଭାବେ ବିକଶିତ ହୋଇଥିବା ସ୍ବତନ୍ତ୍ର ‘ମଧୁ ଆପ୍’ କରୋନା ସମୟରେ ବେଶ୍ ଉପାଦେୟ ସାବ୍ୟସ୍ତ ହୋଇଥିଲା।ବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମି ବିକାଶ ଲାଗି ‘ମୋ ସ୍କୁଲ’ ଅଭିଯାନ ହାତକୁ ନିଆଯାଇଥିଲା। ଏହି ଅଭିଯାନରେ ୩୦ କୋଟି ଟଙ୍କାର ସହାୟତା ମିଳିଛି। ଏହାଛଡ଼ା ସରକାରଙ୍କ ଦୁଇଗୁଣା ଅନୁଦାନରେ ଶିକ୍ଷାର ବିକାଶ ପାଇଁ ଉଦ୍ୟମ ଜାରି ରହିଛି ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି। ଆମେରିକାନ୍ ଇଣ୍ତିଆ ଫାଉଣ୍ଡେସନ୍ ସଂସ୍ଥା ପକ୍ଷରୁ ସ୍ମାର୍ଟକ୍ଲାସ୍‌ ଓ କମ୍ପ୍ୟୁଟର ଶିକ୍ଷା ନିମନ୍ତେ ସମସ୍ତ ପ୍ରକାର ସହାୟତା ଯୋଗାଇଥିବାରୁ ମନ୍ତ୍ରୀ କୃତଜ୍ଞତା ଜଣାଇଥିଲେ।

ଛତ୍ରପୁର ବ୍ଲକର ବାକି ୧୭ଟି ପଞ୍ଚାୟତର ୧୭ଟି ସ୍କୁଲରେ ସ୍ମାର୍ଟକ୍ଲାସ୍‌ ଓ କମ୍ପୁଟର୍ ଶିକ୍ଷା ନିମନ୍ତେ ପଦକ୍ଷେପ ନିଆଯାଉଛି। ବୋଲି ଆମେରିକା ଇଣ୍ତିଆ ଫାଉଣ୍ଡେସନ୍ ସଂସ୍ଥାର ଆ‌ଞ୍ଚଳିକ ମୁଖ୍ୟ ସୁବ୍ରତ ସରକାର ସୂଚନା ଦେଇଛନ୍ତି। ବିଡିଓ ଅମ୍ବିକା ପ୍ରସାଦ ଦାଶଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ରାଜ୍ୟ କୃଷି ବିପଣନ ନିଗରମ ଉପଦେଷ୍ଟା ତଥା ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ତା, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ, ବ୍ଲକ ଅଧ୍ୟକ୍ଷ ଏମ୍.ଧନଞ୍ଜୟ ରେଡ୍ଡି, ଉପାଧ୍ୟକ୍ଷା ଅମିତା ସାହୁ, ସଂସ୍ଥାର ରାଜ୍ୟ ସଂଯୋଜକ ସଞ୍ଜୟ ବିଶ୍ବାଳ, ଜିଲ୍ଲା ସଂଯୋଜକ ବୈଦ୍ୟନାଥ ବେହେରା, କାଳିପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସୁନିତା ଭୂୟାଁ, ଗ୍ରାମ୍ୟ କମିଟିର ସଭାପତି ପି.ୱର୍ଦ୍ଦରାଜୁଲୁ ରେଡ୍ଡି ଓ ବି.ଚନ୍ଦ୍ରମଣି ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। କାଳିପଲ୍ଲୀ ସରପ‌ଞ୍ଚ ଶ୍ରୀରାମଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର