ଶିକ୍ଷାର ମାନଦଣ୍ଡରେ ରୁଗ୍‌ଣ ଚିତ୍ର : ଭିତ୍ତିଭୂମି ଅଭାବ ଯୋଗୁଁ ବୌଦ୍ଧ ଜିଲ୍ଲାରେ ଖସୁଛି ଶିକ୍ଷାର ଗୁଣବତ୍ତା

ବୌଦ୍ଧ : ବୌଦ୍ଧ ଜିଲ୍ଳାରେ ଉଚ୍ଚଶିକ୍ଷାର ମାନଦଣ୍ଡ ଖସିବାରେ ଲାଗିଛି। ପ୍ରତି ବର୍ଷ ଯେତିକି ପିଲା ମାଟ୍ରିକ ପରୀକ୍ଷା ଦେଉଛନ୍ତି ତାହାର ପ୍ରାୟ ୪୦ପ୍ରତିଶତ ପିଲା ଫେଲ୍ ହେଉଛନ୍ତି। ୬୦ ପ୍ରତିଶତ ମାର୍କ ରଖୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା କ୍ରମଶଃ କମିବାରେ ଲାଗିଛି। ଫଳରେ ରାଜ୍ୟର ଭଲ କଲେଜମାନଙ୍କରେ ପଢ଼ିବା ପାଇଁ ରଖାଯାଉଥିବା କଟଅଫ୍ ମାର୍କକୁ ବୌଦ୍ଧ ଜିଲ୍ଲାର ଅଧିକାଂଶ ପିଲା ଛୁଇଁ ମଧ୍ୟ ପାରୁ ନାହାନ୍ତି। ଜିଲ୍ଲାରେ ଉଚ୍ଚଶିକ୍ଷାର ଭିତ୍ତିଭୂମି ଅଭାବ ଯୋଗୁଁ ଶିକ୍ଷାର ମାନଦଣ୍ଡରେ ରୁଗ୍‌ଣ ଚିତ୍ର ଦେଖିବାକୁ ମିଳୁଛି।

ଚଳିତ ଶିକ୍ଷାବର୍ଷରେ ଜିଲ୍ଲାରେ ଥିବା ମୋଟ୍‌ ୭୫ଟି ହାଇସ୍କୁଲ‌ରେ ପଢୁଥିବା ମୋଟ୍‌ ୫୫୫୮ଜଣ ପରୀକ୍ଷା ଦେଇଥିବା ବେଳେ ୪୩୬୮ଜଣ ପାସ୍‌ କରିଛନ୍ତି। ସେମାନଙ୍କ ମଧ୍ୟରୁ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି ମାତ୍ର ୨ଜଣ। ମୋଟ୍‌ ୧୧୯୮ଜଣ ଛାତ୍ରଛାତ୍ରୀ ଫେଲ ହୋଇଛନ୍ତି। ଜିଲ୍ଲାରୁ ପାସ୍‌ ପିଲାଙ୍କ ମଧ୍ୟରୁ ପ୍ରାୟ ୭ଶହ ପିଲା ୬୦ପ୍ରତିଶତରୁ ଅଧିକ ପାଇଛନ୍ତି। ଅର୍ଥାତ ମୋଟ୍‌ ଛାତ୍ରଛାତ୍ରୀଙ୍କ ୧୦ ପ୍ରତିଶତ ହେବ। ସମ୍ବଲପୁର ଜିଏମ୍ କଲେଜ, ବଲାଙ୍ଗୀର ରାଜେନ୍ଦ୍ର କଲେଜ ଭଳି ଅନ୍ୟାନ୍ୟ ଭଲ କଲେଜଗୁଡ଼ିକରେ କଟଅଫ୍ ମାର୍କ ପ୍ରାୟ ୮୫ ପ୍ରତିଶତରୁ ଅଧିକ ରଖାଯାଉଛି। ଏହି ହିସାବରେ ଜିଲ୍ଲାର ୯୫ ପ୍ରତିଶତ ପିଲାଙ୍କୁ ପଶ୍ଚିମ ଓଡ଼ିଶାର ଭଲ କଲେଜଗୁଡ଼ିକରେ ଦାଖିଲା ମିଳିବା ଆଶା ନାହିଁ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ବୌଦ୍ଧ ଜିଲ୍ଳାରେ ଉଚ୍ଚଶିକ୍ଷା ପାଇଁ ଭିତ୍ତିଭୂମିର ଘୋର ଅଭାବ ରହିଛି। ‌ମାଟ୍ରିକ ପାସ କରୁଥିବା ପିଲାଙ୍କ ପଢ଼ିବା ପାଇଁ କଲେଜ ନାହିଁ। ଆର୍ଥିକ ସ୍ବଚ୍ଛଳ ବର୍ଗ ଅଧିକ ଫିଜ୍ ଦେଇ ଘରୋଇ କଲେଜରେ ନାମ ଲେଖାଉଛନ୍ତି ନହେଲେ ଅବିଭାବକ ବାହାର ଜିଲ୍ଲାକୁ ପଢ଼ିବା ପାଇଁ ଛାଡୁଛନ୍ତି। ଗରିବ ଶ୍ରେଣୀ ପରିବାରର ପିଲାଙ୍କ କ୍ଷେତ୍ରରେ ବ୍ୟତିକ୍ରମ ହେଉଛି। ସମ୍ବଳ ଅଭାବରୁ ବାହାରକୁ ଯାଇପାରୁ ନାହାନ୍ତି। ବାଧ୍ୟ ହୋଇ ସ୍ଥାନୀୟ କଲେଜରେ ନାମ ଲେଖାଉଛନ୍ତି। ଯୁକ୍ତ ତିନି ପଢିବା ବେଳକୁ ଜିଲ୍ଲାରେ ଡ୍ରପ୍ ଆଉଟ ଛାତ୍ରଛାତ୍ରୀ ସଂଖ୍ୟା ବଢ଼ିବାରେ ଲାଗିଛି।

businesstoday.in

ବୌଦ୍ଧରେ ଉଚ୍ଚଶିକ୍ଷା ପାଇଁ ସଂପୂର୍ଣ୍ଣ ସରକାରୀ ମାନ୍ୟତା କହିଲେ ଏକ ମାତ୍ର ମଡେଲ ଡିଗ୍ରି କଲେଜ। ସେଠି ମଧ୍ୟ ଭିତ୍ତିଭୂମି ଓ ଅଧ୍ୟାପକଙ୍କ ଅଭାବ। ଜିଲ୍ଲାରେ ଗୋଟିଏ ବି ସମ୍ପୂର୍ଣ୍ଣ ସରକାରୀ କଲେଜ ନାହିଁ। ଯୁକ୍ତ ଦୁଇ ବିଜ୍ଞାନ ପଢ଼ିବା ପାଇଁ ମାତ୍ର ଦୁଇଟି କଲେଜ ବୌଦ୍ଧ ପଞ୍ଚାୟତ କଲେଜ ଓ କଣ୍ଟାମାଳ କଲେଜ ରହିଛି। ପଞ୍ଚାୟତ କଲେଜରେ ବିଜ୍ଞାନରେ ୧୨୮ଟି ଓ କଣ୍ଟାମାଳ କଲେଜରେ ୬୪ଟି ସିଟ ରହିଛି। ଯୁକ୍ତ ଦୁଇ କଳା ପଢ଼ିବା ପାଇଁ ଜିଲ୍ଲାରେ ବୌଦ୍ଧ ପଞ୍ଚାୟତ କଲେଜ, ମହିଳା କଲେଜ, ଜହ୍ନାପଙ୍କ, ବାଉଁଶୁଣି, ପଲସାଗୋରା, କଣ୍ଟାମାଳ ଓ ଘଣ୍ଟାପଡ଼ା ଏମିତି ମୋଟ୍‌ ୧୧ଟି ସରକାରୀ ଆଡେଡ୍ କଲେଜ ରହିଛି। କଲେଜ ଅଛି ମାତ୍ର ସେଠି ପଢାଇବାକୁ ଆବଶ୍ୟକ ଅନୁସାରେ ଶିକ୍ଷକ ନାହାନ୍ତି। ସିଟ୍‌ ସଂଖ୍ୟା ଦୃଷ୍ଟିରେ ହିସାବ କରା ଗଲେ ଚଳିତ ବର୍ଷ ମାଟ୍ରିକ୍‌ ପାସ କରିଥିବା ୪୩୬୮ଜଣ ପିଲାଙ୍କ ପାଇଁ ଜିଲ୍ଲାରେ ମାତ୍ର ୨ ହଜାର ସିଟ୍‌। ତାହା ମଧ୍ୟ କେବଳ ଯୁକ୍ତ ଦୁଇ କଳା। ପଞ୍ଚାୟତ କଲେଜର ୬୪ ବାଣିଜ୍ୟ ସିଟ୍‌କୁ ଛାଡିଲେ ଜିଲ୍ଲାରେ ଯୁକ୍ତ ଦୁଇ ବାଣିଜ୍ୟ ପଢିବା ପାଇଁ କଲେଜ ନାହିଁ। ବୌଦ୍ଧର ଏକମାତ୍ର ମହିଳା କଲେଜ ସମ୍ପୂର୍ଣ୍ଣ ଅଣଦେଖା ହୋଇ ରହିଯାଉଛି। ଭିତ୍ତିଭୂମି ମଧ୍ୟ ନାହିଁ। ରାଜ୍ୟ ସରକାରଙ୍କ ଅଣଦେଖା କାରଣରୁ ଏହି କଲେଜରେ ପଢୁଥିବା ଛାତ୍ରଛାତ୍ରୀଙ୍କ ସମସ୍ୟା ଯେତିକି ପଢାଉଥିବା ଅଧ୍ୟାପକଙ୍କ ସମସ୍ୟା ସେତିକି। ସରକାରୀ ମାନ୍ୟତା ତ ଦୂରର କଥା କଲେଜର ଭିତ୍ତିଭୂମି ସଜାଡ଼ିବା ଦିଗରେ ମଧ୍ୟ ଆଦୌ ସରକାରୀ ତତ୍ପରତା ଦେଖାଯାଉ ନାହିଁ। ଅପରପକ୍ଷେ ବୌଦ୍ଧ ଜିଲ୍ଲାରେ ଉଚ୍ଚଶିକ୍ଷା ତଦାରଖ କରାଯିବା ଦୃଷ୍ଟିରୁ ଦେଖିବାକୁ ଗଲେ ମାଧ୍ୟମିକ ଆଞ୍ଚଳିକ ବୋର୍ଡ ଓ କାଉନସିଲ ବ୍ରହ୍ମପୁରରେ ରହିଥିବା ବେଳେ ଡିଗ୍ରି କଲେଜର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ସମ୍ବଲପୁର। ଏଭଳି ସ୍ଥିତି ଜିଲ୍ଲାର ଉଚ୍ଚଶିକ୍ଷାର ମାନଦଣ୍ଡ ବୃଦ୍ଧିରେ ବାଧକ ହେଉଥିବା ବେଳେ ପିଲାଙ୍କ ଭବିଷ୍ୟତ ମଧ୍ୟ ଅନ୍ଧାରକୁ ଠେଲି ହୋଇଯାଉଛି।

ସମ୍ବନ୍ଧିତ ଖବର