ଭୁବନେଶ୍ବର : ରାଜ୍ୟ ସରକାରଙ୍କ ୫-ଟି ଆଧାରରେ ସହରାଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡ଼ିକ କିଭଳି ସଫଳ ରୂପାୟନ ଓ ତଦାରଖ ହୋଇପାରିବ ସେଥିପାଇଁ ରାଜ୍ୟସ୍ତରୀୟ ତୃତୀୟ ପକ୍ଷ ଗୁଣାତ୍ମକ ମାନ ନିର୍ଦ୍ଧାରଣ ଟିମ୍ ଗଠନ ହୋଇଛି। ରାଜ୍ୟସ୍ତରୀୟ ତୃତୀୟ ପକ୍ଷ ଗୁଣାତ୍ମକ ମାନ ନିର୍ଦ୍ଧାରଣ ଟିମ୍ ଦ୍ୱାରା ସହରାଞ୍ଚଳ ରାସ୍ତା ଭିତ୍ତିଭୂମି ନିର୍ମାଣ ପାଇଁ ସଠିକ୍ ପଦକ୍ଷେପ ନେବା ସାଙ୍ଗକୁ ପୌରସଂସ୍ଥାସ୍ତରରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି। ଏବେ ରାଜ୍ୟରେ ଥିବା ୧୧୪ଟି ପୌରାଞ୍ଚଳରେ ୭୦୦ କୋଟିରୁ ଅଧିକ ଟଙ୍କାର ସହରାଞ୍ଚଳ ରାସ୍ତା ଓ ଅନ୍ୟାନ୍ୟ ଭିତ୍ତିଭୂମି ନିର୍ମାଣ ନିମନ୍ତେ ପାଖାପାଖି ୫ହଜାର କାର୍ଯ୍ୟ ଚାଲୁ ରହିଛି।
ସହରାଞ୍ଚଳ ରାସ୍ତା ତଥା ଅନ୍ୟାନ୍ୟ ଭିତ୍ତିଭୂମି ନିର୍ମାଣ ପାଇଁ କାର୍ଯ୍ୟକାରୀ ହେଉଥିବା ସମସ୍ତ ଅଞ୍ଚଳକୁ କେନ୍ଦ୍ର ସରକାରଙ୍କ ଅନୁମୋଦିତ ଅନୁଷ୍ଠାନ ନ୍ୟାସନାଲ କାଉନସିଲ ଅଫ୍ ସିମେଣ୍ଟ ଆଣ୍ଡ ବିଲଡିଂ ମାଟେରିଆଲ୍ସ(ଏନ୍ସିବି) କର୍ତ୍ତୃପକ୍ଷ ବିଭିନ୍ନ ଅଞ୍ଚଳ ଗସ୍ତକରି ନମୁନା ସଂଗ୍ରହ କରି ନିଜର ତଥା ରାଜ୍ୟ ସରକାରଙ୍କ ପରୀକ୍ଷାଗାରରେ ପରୀକ୍ଷା କରିବାକୁ ଲକ୍ଷ୍ୟ ରହିଛି। ଏଭଳି ଯାଞ୍ଚ ବ୍ୟବସ୍ଥା ସାରା ଦେଶରେ ପ୍ରଥମ। ଏହି ଉଦ୍ୟମର ପରିକଳ୍ପନା କରିଥିବା ଏବଂ ‘କାର୍ଯ୍ୟକ୍ରମ ସଂଖ୍ୟା ଅପେକ୍ଷା କାର୍ଯ୍ୟକ୍ରମର ଗୁଣାତ୍ମକ ମାନ’ ଉପରେ ବିଶ୍ୱାସ ରଖୁଥିବା ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି.ମାଥିଭାଥନନଙ୍କ ନିର୍ଦ୍ଦେଶରେ ଠିକାଦାର ଓ ଯନ୍ତ୍ରୀଙ୍କୁ ନେଇ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପୌର ପ୍ରଶାସକ ସଂଗ୍ରାମଜିତ ନାୟକ ଏଥିରେ ପୌରୋହିତ୍ୟ କରି ସହରାଞ୍ଚଳ ରାସ୍ତା ତଥା ଅନ୍ୟାନ୍ୟ ଭିତ୍ତିଭୂମି ନିର୍ମାଣର ଗୁଣାତ୍ମକ ମାନ ଯାଞ୍ଚ ସହରାଞ୍ଚଳର ରାସ୍ତା ତଥା ଅନ୍ୟାନ୍ୟ ଭିତ୍ତିଭୂମି ବ୍ୟବସ୍ଥାକୁ ସୁଦୃଢ କରିବ ବୋଲି କହିଥିଲେ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମୁଖ୍ୟ ମନ୍ତ୍ରୀ ତଥା ଅତିରିକ୍ତ ଶାସନ ସଚିବ ଭକ୍ତ କବି ଦାଶଙ୍କୁ କାର୍ଯ୍ୟକ୍ରମର ସଠିକ ତଦାରଖ ପାଇଁ ବିଭାଗ ପକ୍ଷରୁ ଦାୟିତ୍ୱ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/swarage.jpg)