ଛେଣ୍ଡିପଦା : କରୋନା ସଂକ୍ରମଣ ରୋକିବା ପାଇଁ ସରକାର ଯାହା କରୁଥିଲେ, ଛେଣ୍ଡିପଦା ବ୍ଲକ୍ ମାଛକୁଟା ଗାଁର ଅଧିବାସୀମାନେ ଏବେ ତାହା କରୁଛନ୍ତି। ସରକାରଙ୍କୁ ଅପେକ୍ଷା କରିନାହାନ୍ତି। ଗାଁର ଅବସରପ୍ରାପ୍ତ ଡାକ୍ତର ଶମ୍ଭୁନାଥ ଗଡ଼ନାୟକଙ୍କ ଉଦ୍ୟମରେ ସଂକ୍ରମିତଙ୍କୁ ସଙ୍ଗରୋଧରେ ରଖି ଖାଦ୍ୟ, ଔଷଧ ବ୍ୟବସ୍ଥା କରାଯାଇଛି।
କରୋନାର ଦ୍ବିତୀୟ ଲହର ସଂକ୍ରମଣ ବଢ଼ାଇ ଚାଲିଛି। ଏ ପରିସ୍ଥିତିରେ ପ୍ରଶାସନ ପକ୍ଷରୁ କରୋନା ପରୀକ୍ଷା, ସଂକ୍ରମିତଙ୍କୁ ଡାକ୍ତରଖାନାରେ ବେଡ଼୍ ବ୍ୟବସ୍ଥା ଆବଶ୍ୟକ ମୁତାବକ ହୋଇପାରୁନାହିଁ। ସଂକ୍ରମିତମାନେ ନିଜ ଘରେ ସଙ୍ଗରୋଧରେ ରହିବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଉଥିବାବେଳେ ଅନେକ ଲୋକଙ୍କର ଏଥିପାଇଁ ସୁବିଧା ନାହିଁ। ତେଣୁ ସଂକ୍ରମଣ ବଢ଼ିଚାଲିଛି। ଏପରିକି ଆବଶ୍ୟକ ଚିକିତ୍ସା ଅଭାବରୁ ଅକାଳରେ ଜୀବନ ବି ଯାଉଛି। ଅଂଚଳରେ ଲୋକମାନଙ୍କର ଏଭଳି ଦୟନୀୟ ସ୍ଥିତିକୁ ଦୃଷ୍ଟିରେ ରଖି ମାଛକୁଟା ଗ୍ରାମବାସୀମାନେ ନିଜ ଉଦ୍ୟମରେ ଏଥିପାଇଁ ପ୍ରତିକାର ବ୍ୟବସ୍ଥା ଆପଣେଇଛନ୍ତି। ଗାଁର ଅବସରପ୍ରାପ୍ତ ଡାକ୍ତର ଶମ୍ଭୁନାଥ ଗଡ଼ନାୟକ ଜଣେ ଶଲ୍ୟ ବିଶେଷଜ୍ଞ। ତାଙ୍କ ପରାମର୍ଶକ୍ରମେ ଗାଁ ଉ.ପ୍ରା. ବିଦ୍ୟାଳୟରେ ସଙ୍ଗରୋଧ ବ୍ୟବସ୍ଥା କରାଯାଇଛି। ଗତ ୪ ଦିନ ହେଲା ଗାଁର ସମସ୍ତ ସଂକ୍ରମିତଙ୍କୁ ଏହି ସ୍କୁଲ୍ କୋଠରିରେ ରଖି ଚିକିତ୍ସା କରାଯାଉଛି। ଆଜିସୁଦ୍ଧା ଗାଁର ୩୬ ଜଣ ସଂକ୍ରମିତଙ୍କୁ ଏଠାରେ ରଖାଯାଇଛି। ଗାଁର ନେତାଜୀ କ୍ଲବ୍ର ସଦସ୍ୟ ଲିଙ୍ଗରାଜ ଗଡ଼ନାୟକ, ଟୁଲୁ ଗଡ଼ନାୟକ, ବସନ୍ତ ଗଡ଼ନାୟକ, ଦୋଳ ଗଡ଼ନାୟକ, ମାନସ ନାଏକ ପ୍ରମୁଖ ନିଜେ ଖାଦ୍ୟ ରାନ୍ଧି ରୋଗୀମାନଙ୍କୁ ରନ୍ଧାଖାଦ୍ୟ ଯୋଗାଉଛନ୍ତି।
ଏଥିପାଇଁ ଗ୍ରାମର ବଦାନ୍ୟ ବ୍ୟକ୍ତିମାନେ ସହାୟତା ପ୍ରଦାନ କରୁଛନ୍ତି। ଗ୍ରାମବାସୀମାନେ ଏସବୁର ପରିଚାଳନା ଦିଗରେ ପୂର୍ଣ୍ଣ ସହଯୋଗ କରୁଛନ୍ତି। ଜରୁରୀ କାର୍ଯ୍ୟ ନଥିଲେ ଗାଁରେ ବୁଲିଲେ, ଏପରିକି ଘରେ ଥାଇ ମାସ୍କ ବ୍ୟବହାର ନକଲେ ଏକ ହଜାର ଟଙ୍କା ଜରିମାନା ଦେବାକୁ ହେବ ବୋଲି ଗ୍ରାମବାସୀମାନେ ନିଷ୍ପତ୍ତି ନେଇଛନ୍ତି। ଗ୍ରାମର ସମସ୍ତ ବ୍ୟକ୍ତି କରୋନା ପରୀକ୍ଷା କରାଇବା ପାଇଁ ସଚେତନତା ସୃଷ୍ଟି କରାଯାଉଛି। ପ୍ରତିଦିନ କରୋନା ପରୀକ୍ଷା କରାଯାଇ ଚିହ୍ନଟ ସଂକ୍ରମିତଙ୍କୁ ଘରକୁ ଛାଡ଼ି ନଦେଇ ସ୍କୁଲ୍ରେ ରଖାଯାଉଛି। ଗ୍ରାମବାସୀଙ୍କର ଏଭଳି ଉଦ୍ୟମ ବିଭିନ୍ନ ମହଲରେ ପ୍ରଶଂସିତ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/chendipada.jpg)