ପଞ୍ଚାୟତ ସ୍ତରରେ ସଙ୍ଗରୋଧ ବ୍ୟବସ୍ଥାକୁ ସୁବନ୍ଦୋବସ୍ତ କରାଯାଉ: ସମୀର ମହାନ୍ତି

ବ୍ଲକ୍‌ ସ୍ତରରେ କରାଯାଉ ମେଗା ସଙ୍ଗରୋଧ କେନ୍ଦ୍ର: କଂଗ୍ରେସ

ଭୁବନେଶ୍ବର : କରୋନା ମହାମାରୀ ସମୟରେ ଆମ ରାଜ୍ୟ ଓଡ଼ିଶାକୁ ସୁରକ୍ଷିତ ରଖିବା ପାଇଁ ସବୁ ସ୍ତରରେ ଉଦ୍ୟମ ଜାରି ରହିଛି। ଆମର ପ୍ରବାସୀ ଭାଇ ଓ ଭଉଣୀମାନେ ଆମ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇସାରିଛି। ଏହା ହିଁ ଆମ ସମସ୍ତଙ୍କ ପାଇଁ ବଡ଼ ଆହ୍ବାନ। ପଞ୍ଚାୟତ ସ୍ତରରେ ସେମାନଙ୍କ ସଙ୍ଗରୋଧ ବ୍ୟବସ୍ଥାକୁ ସୁବନ୍ଦୋବସ୍ତ କରାଗଲେ କରୋନା ବିରୋଧୀ ଯୁଦ୍ଧରେ ଆମର ବଡ଼ ସଫଳତା ହେବ ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ ରାଜ୍ୟର ସମସ୍ତ ପଞ୍ଚାୟତର ନିର୍ବାଚିତ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ‌େମମ୍ବରଙ୍କ ସମେତ ଜିଲ୍ଲା ପରିଷଦ ସଦସ୍ୟ, ଜିଲ୍ଲା ପରିଷଦ ସଭାପତି, ବ୍ଲକ୍ ଅଧ୍ୟକ୍ଷମାନେ ନିଜ ମୁଣ୍ଡ ଉପରକୁ ଦାୟିତ୍ବ ‌େନଇ ସୁଚାରୁରୂପେ କାମ କରିବାକୁ ପଡ଼ିବ। ସମୟର ଆହ୍ବାନକୁ ସ୍ବୀକାର କରି ଓଡ଼ିଶା ଫେରୁଥିବା ଓଡ଼ିଆମାନଙ୍କୁ ନିଜ ପରିବାରର ସଦସ୍ୟ ଭାବେ ଗ୍ରହଣ କରି ଯତ୍ନ ନେବାକୁ ପଡ଼ିବ। ଯଦି ଆଗାମୀ କିଛି ସପ୍ତାହ ଆମେ କଠିନ ପରିଶ୍ରମ କରିବା, ତେବେ ଓଡ଼ିଆ ଜାତିକୁ ମହାମାରୀ କବଳରୁ ରକ୍ଷା କରାଯାଇପାରିବ।

ଗତ ପଞ୍ଚାୟତ ନିର୍ବାଚନରେ ଓଡ଼ିଶାବାସୀ ବିଜେପି ଉପରେ ଅତୁଟ ବିଶ୍ବାସ ରଖିଥିଲେ। ଏହି ବିଶ୍ବାସକୁ ନିଷ୍ଠାର ସହ ପାଳନ କରି ଉତ୍ତରଦାୟିତ୍ବ ତୁଲାଇବାର ସମୟ ଆସିଛି। ବିଜେପିର ସମସ୍ତ ନିର୍ବାଚିତ ୱାର୍ଡମେମ୍ବରଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଠିକ୍ ଭାବେ ଦାୟିତ୍ବ ସମ୍ପାଦନ କରିବା ପାଇଁ ବିଜେପି ସଭାପତି ଅନୁରୋଧ କରିଛନ୍ତି।

ବ୍ଲକ୍‌ ସ୍ତରରେ କରାଯାଉ ମେଗା ସଙ୍ଗରୋଧ କେନ୍ଦ୍ର: କଂଗ୍ରେସ
ଭୁବନେଶ୍ବର : ପ୍ରବାସୀ ଓଡ଼ିଆମାନେ ରାଜ୍ୟକୁ ଫେରିବା ପରେ ସେମାନଙ୍କୁ ସୁପରିଚାଳନା କରିବାରେ ରାଜ୍ୟ ସରକାର ଫେଲ୍‌ ମାରିଛନ୍ତି। ଆହୁରି ୭ରୁ ୮ ଲକ୍ଷ ଲୋକ ଆସିବା ସମ୍ଭାବନା ରହିଛି। ପଞ୍ଚାୟତ ସ୍ତରରେ ଥିବା ସଙ୍ଗରୋଧ କେନ୍ଦ୍ରଗୁଡ଼ିକରେ ସୁବିଧାର ଅଭାବ ଯୋଗୁଁ ନାନାଦି ସମସ୍ୟା ଦେଖାଦେଉଛି। ଏପରି ଅଭିଯୋଗ ଉଠାଇଛନ୍ତି କଂଗ୍ରେସ ନେତା ନିଶିକାନ୍ତ ମିଶ୍ର। ଶ୍ରୀ ମିଶ୍ର କହିଛନ୍ତି, ଆଗକୁ ଅଧିକ ପ୍ରବାସୀ ଶ୍ରମିକ ରାଜ୍ୟକୁ ଫେରିବା ପୂର୍ବରୁ ବ୍ଲକ୍‌ ସ୍ତରରେ ମେଗା ସଙ୍ଗରୋଧ କେନ୍ଦ୍ର କରି ଗାଇଡଲାଇନ ଅନୁଯାୟୀ ସୁବିଧାସୁଯୋଗ ଯୋଗାଇଦିଆଯାଉ। ନଚେତ୍‌ ସ୍ଥିତି ଅସମ୍ଭାଳ ହେବ ବୋଲି ସେ ଚେତାଇଦେଇଛନ୍ତି।

ସମ୍ବନ୍ଧିତ ଖବର