ପ୍ରବାସୀଙ୍କୁ ଖାଦ୍ୟ, ପରିଚାଳନାରେ ଖର୍ଚ୍ଚ ସରିଲାଣି ୫ କୋଟି

ଏବେ ବି ୨୨୦ ଟିଏମ୍‌ସିରେ କେହିନାହାନ୍ତି

କଟକ : କରୋନା ମୁକାବିଲା ପାଇଁ କଟକ ଜିଲ୍ଲାର ପ୍ରସ୍ତୁତ ହୋଇଛି ୬୦୭ଟି ସଂଗରୋଧ କେନ୍ଦ୍ର (ଟିଏମ୍‌ସି)। ଏହି ସଂଗରୋଧ କେନ୍ଦ୍ରରେ ପ୍ରବାସୀଙ୍କୁ ଖାଦ୍ୟ ଯୋଗାଣ ଓ ପରିଚାଳନା ବାବଦରେ ଖର୍ଚ୍ଚ ହେଲାଣି ୫ କୋଟିରୁ ଅଧିକ ଟଙ୍କା। କିନ୍ତୁ ତଥ୍ୟ ଅନୁଯାୟୀ ଜିଲ୍ଲାର ୬୦୭ କେନ୍ଦ୍ରରୁ ୨୨୦ ଟି କେନ୍ଦ୍ରରେ ଏଯାଏ ଜଣେ ବି ପ୍ରବାସୀ ରହିନାହାନ୍ତି। ଜିଲ୍ଲାକୁ ବର୍ତ୍ତମାନ ସୁଦ୍ଧା ୧୭ ହଜାର ପ୍ରବାସୀ ଫେରିଥିବା ବେଳେ ସେଥିରୁ ୮ହଜାର ୭୫୯ଜଣ ଟିଏମ୍‌ସିରେ କ୍ବାରାଣ୍ଟିନ୍‌ ଅବଧି ପୂରା କରିବା ସହ ହୋମ କ୍ବାରାଣ୍ଟିନ୍‌କୁ ଗଲେଣି। କିନ୍ତୁ ସରକାରଙ୍କ ଘୋଷଣା ଅନୁଯାୟୀ ମାତ୍ର ୭୧୨ ଜଣଙ୍କୁ ମିଳିଛି ୨ ହଜାର ଲେଖାଏ ଟଙ୍କା। ଅନ୍ୟପଟେ ଜିଲ୍ଲାରେ ଏତେ ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଉଥିଲେ ବି ଟିଏମ୍‌ସିଗୁଡିକ ଠିକ୍‌ ଭାବରେ ବି‌ଶୋଧନ ‌ନ ହେବା, ଠିକରେ ଖାଦ୍ୟ ନ ମିଳିବା, ସୁରକ୍ଷା କର୍ମୀ ନ ରହିବା ଭଳି ଅଭିଯୋଗ ସାମନାକୁ ଆସୁଥିବା ବେଳେ ଏହାର ପ୍ରତିବାଦରେ ବିଭିନ୍ନ ସ୍ଥାନରେ ରାସ୍ତାରୋକ ଯାଏ କଥା ଗଲାଣି।

ସୂଚନା ଅନୁଯାୟୀ ଜିଲ୍ଲାର ୧୪ଟି ବ୍ଲକ୍‌ରେ ମୋଟ ୬୦୭ଟି ଟିଏମସି ପ୍ରସ୍ତୁତ ହୋଇଥିବା ବେଳେ ସେଥିରେ ମୋଟ ୨୩ହଜାର ୧୮୯ ଶଯ୍ୟା ବ୍ୟବସ୍ଥା କରାଯାଇଛି। ସରକାରୀ ରେକର୍ଡ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଜିଲ୍ଲାକୁ ପାଖାପାଖି ୧୭ହଜାର ପ୍ରବାସୀ ଫେରିସାରିଲେଣି। କିନ୍ତୁ ସେମାନେ ବିଭିନ୍ନ ସ୍ଥାନରେ ଥିବା ୩୮୭ ଟିଏମ୍‌ସିରେ ରହିଥିବା ବେଳେ ୨୨୦ଟି ଟିଏମସି ଏଯାଏ ବ୍ୟବହାର ହୋଇ ନାହିଁ। ବ୍ୟବହାର ହୋଇ ନଥିବା ଟିଏମସିରେ ୧୪ ହଜାର ୯୩୮ ବେଡ୍‌ ପ୍ରସ୍ତୁତ ହୋଇଛି। ଜିଲ୍ଲାର ସର୍ବାଧିକ ୩୧୮୫ଜଣ ପ୍ରବାସୀ ନରସିଂହପୁର ବ୍ଲକ୍‌କୁ ଫେରିଛନ୍ତି। ସେହି ବ୍ଲକ୍‌ରେ ୬୯ଟି ଟିଏମ୍‌ସି କରାଯାଇଥିବାବେଳେ ସେଥିରୁ ୩୭ଟି ଟିଏମ୍‌ସି ବ୍ୟବହାର ହୋଇଛି। ୧୮୪୭ଟି ବେଡ୍‌ରେ ଲୋକ ରହିଥିବା ସରକାରୀ ତଥ୍ୟ କହୁଛି। ଅନ୍ୟପଟେ ଟିମ୍‌ସି ଗୁଡିକରେ ଖାଦ୍ୟ ପାଇଁ ପ୍ରତିଦିନ ପ୍ରବାସୀଙ୍କ ପିଛା ୧୨୦ଟଙ୍କା ଖର୍ଚ୍ଚ କରାଯାଉଛି ବୋଲି ଦର୍ଶାଯାଉଥିବା ବେଳେ ଟିଏମ୍‌ସି ସାନିଟାଇଜେସନ୍‌, ସୁରକ୍ଷା କର୍ମୀ, ଜଣ ପିଛା ହାଇଜେନିକ୍‌ କିଟ୍‌ ପାଇଁ ୩ଶହ ଟଙ୍କା, ଅନ୍ୟ ଆନୁସଙ୍ଗିକ ଖର୍ଚ୍ଚ ବାବଦରେ ଦିନକୁ ମୋଟ ୨ହଜାର ଟଙ୍କା ଦିଆଯାଇଛି। ଗତମାସ ୧୭ତାରିଖ ସୁଦ୍ଧା ଟିଏମ୍‌ସି ପରିଚାଳନା ପାଇଁ ୧୪ଟି ବ୍ଲକ୍‌କୁ ଡିଆରଡିଏ ପକ୍ଷରୁ ୨କୋଟି ୧୧ଲକ୍ଷ ୭୫ହଜାର ଟଙ୍କା ଦିଆଯାଇଛି। ଅନ୍ୟପଟେ ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ମଧ୍ୟ ପ୍ରତି ପଂଚାୟତକୁ ଅନୁଦାନ ଯାଇଥିବା ଜଣାପଡିଛି। ଯେଉଁ ପ୍ରବାସୀ ଟିଏମ୍‌ସିରେ ସଙ୍ଗରୋଧରେ ରହିବେ ସେମାନଙ୍କୁ ୨ହଜାର ଟଙ୍କା ଦେବା ପାଇଁ ସରକାର ଘୋଷଣା କରିଥିବାରୁ ଡିଆରଡିଏ ପକ୍ଷରୁ ପ୍ରତି ବ୍ଲକ୍‌କୁ ୨କୋଟି ୩ଲକ୍ଷ ୫୦ ହଜାର ୨୫୪ ଟଙ୍କା ପ୍ରଦାନ କରାଯାଇଛି। ହେଲେ ଜିଲ୍ଲାରେ ସଙ୍ଗରୋଧ ସାରି ଟିଏମ୍‌ସିରୁ ଘରକୁ ୮୭୫୯ଜଣ ପ୍ରବାସୀ ଯାଇଥିଲେ ବି ସେଥିରୁ ମାତ୍ର ୭୧୨ଜଣ ପାଇଛନ୍ତି ୨ହଜାର ଟଙ୍କା। ଖୁବ୍‌ଶୀଘ୍ର ଅନ୍ୟ ପ୍ରବାସୀଙ୍କୁ ଆକାଉଣ୍ଟ ମାଧ୍ୟମରେ ଟଙ୍କା ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଉଥିଲେ ବି ଘରକୁ ଫେରିଥିବା ପ୍ରବାସୀଙ୍କ ବ୍ୟାଙ୍କ ଆକାଉଣ୍ଟ୍ ତଥ୍ୟ କିନ୍ତୁ ପ୍ରଶାସନ ନିକଟରେ ନାହିଁ। ୨କୋଟିରୁ ଅଧିକ ଟଙ୍କା ବ୍ଲକ୍‌କୁ ଯାଇଥିଲେ ବି ସେଥିରୁ ୧୪ଲକ୍ଷ ଟଙ୍କା ବଣ୍ଟନ ହୋଇଥିବା ସଂପର୍କରେ ବିନିଯୋଗ ପତ୍ର ଡିଆରଡିଏକୁ ଆସିଛି। ଜିଲ୍ଲାର ମାହାଙ୍ଗା ବ୍ଲକ୍‌ରେ ସର୍ବାଧିକ ୧୮୬୩ଜଣ ଟିଏମ୍‌ସିରୁ ହୋମ କ୍ବାରାଣ୍ଟିନ୍‌କୁ ଯାଇଥିବାବେଳେ, ନିଶ୍ଚିନ୍ତକୋଇଲିରୁ ୧୨୮୨, ସାଲେପୁରରୁ ୧୨୭୨, ଆଠଗଡରୁ ୨୫୯, ବଡମ୍ବାରୁ ୪୪୭, ବାଙ୍କୀ ୪୩୭, ଡମପଡା ୭୦୮, ବାରଙ୍ଗରୁ ୧୧୫, କଟକ ସଦର ୩୦୮, କଣ୍ଟାପଡା ୧୦୫, ନରସିଂହପୁରରୁ ୭୫୫, ନିଆଳି ୪୭୭, ଟାଙ୍ଗୀ-ଚୌଦ୍ବାର ୨୦୮, ତିଗିରିଆରୁ ୫୨୩ଜଣ ଟିଏମ୍‌ସିରେ ସଙ୍ଗରୋଧ ଅବଧି ସାରି ଘରକୁ ଯାଇସାରିଥିବା ପ୍ରଶାସନ ସୂତ୍ରରୁ ଜଣାପଡିଛି।

ସମ୍ବନ୍ଧିତ ଖବର