ବାରିପଦା : କେଉଁଠି ରହିବେ ମୟୂରଭଞ୍ଜ ଫେରିବାକୁ ଥିବା ପ୍ରବାସୀ ଓଡ଼ିଆ। ପଞ୍ଜିକରଣ ଆରମ୍ଭ ହେବା ଦିନରୁ ଆଜି ପର୍ଯ୍ୟନ୍ତ ୩୫ହଜାରରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆ ଜିଲ୍ଲାକୁ ଫେରିବାକୁ ପଞ୍ଜିକରଣ କରିସାରିଲେଣି। ଏହି ସଂଖ୍ୟା ଆହୁରି ବଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ ଏହି ସଂଖ୍ୟା ମଧ୍ୟରୁ ପ୍ରାୟ ୧୬ହଜାରରୁ ଊର୍ଦ୍ଧ୍ୱ ସଂଖ୍ୟା କାୟମ ରହିବା ନେଇ ଜଣାପଡ଼ିଛି। ମାତ୍ର ଜିଲ୍ଲାର ୨୬ଟି ବ୍ଲକ୍ର ୪୦୪ ଗ୍ରାମପଞ୍ଚାୟତରେ ହୋଇଥିବା ଅସ୍ଥାୟୀ ମେଡିକାଲ୍ କେନ୍ଦ୍ର (ଟିଏମ୍ସି)ରେ ୪ହଜାର୨୯୧ ଏବଂ ୪ଟି ପୌରାଞ୍ଚଳର ୭୦ଟି ୱାର୍ଡରେ ୬୫୪ଟି ଶଯ୍ୟା ପ୍ରସ୍ତୁତ ହୋଇଛି। ମୋଟ ଉପରେ କହିବାକୁ ଗଲେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ସଙ୍ଗରୋଧ ନିମନ୍ତେ ଅସ୍ଥାୟୀ ମେଡିକାଲ୍ କେନ୍ଦ୍ରରେ ୪ହଜାର ୯୪୫ ଶଯ୍ୟା ପ୍ରସ୍ତୁତ କରାଯାଇପାରିଛି। ଯାହାକି ଜିଲ୍ଲାକୁ ଫେରିବାକୁ ଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ପର୍ଯ୍ୟାପ୍ତ ନୁହେଁ ବୋଲି କୁହାଯାଉଛି।
/sambad/media/post_attachments/wp-content/uploads/2020/05/mayurbhanj-Quarantine-Centre-f-300x224.jpg)
ଜିଲ୍ଲାକୁ ଫେରୁଥିବା ବାସୀମାନଙ୍କୁ ସଙ୍ଗରୋଧ ଗୃହରେ ରଖାଯିବ । ଜିଲ୍ଲାକୁ ଫେରୁଥିବା ପ୍ରବାସୀଙ୍କୁ ପଞ୍ଚାୟତ ଓ ସହରାଞ୍ଚଳଗୁଡ଼ିକରେ ପ୍ରସ୍ତୁତ ହୋଇଥିବା ଟିଏମ୍ସିରେ ରଖାଯିବ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଜିଲ୍ଲାପାଳ ଭାବେ ସ୍ୱତନ୍ତ୍ର କ୍ଷମତାପ୍ରାପ୍ତ ସ୍ଥାନୀୟ ସରପଞ୍ଚଙ୍କ ତତ୍ୱାବଧାନରେ ଏକ ୯ ଜଣିଆ କମିଟି ଗଠନ କରାଯାଇଛି। ଆଶା, ଅଙ୍ଗନବାଡି କର୍ମୀଙ୍କ ସହ ସ୍ଥାନୀୟ ଶିକ୍ଷକମାନଙ୍କୁ ପରିଚାଳନା ଦାୟିତ୍ୱ ଦିଆଯାଇଛି । ଜଣେ ନୋଡାଲ୍ ଅଫିସର ଏହାର ସର୍ବେକ୍ଷଣ ଦାୟିତ୍ୱରେ ରହିଛନ୍ତି । ଏକାନ୍ତଗୃହର ପରିସରର ସମ୍ପୂର୍ଣ୍ଣ ଭାବେ ଆଇସୋଲେଟେଡ୍ ହେବା ସାଙ୍ଗକୁ ୨୪ ଘଣ୍ଟିଆ ବିଜୁଳି, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଉତ୍ତମ ଶୌଚାଳୟ, ଫ୍ୟାନ୍, ଲାଇଟ୍, ଇନଭର୍ଟର ବ୍ୟବସ୍ଥା ରହିବ। ସେହିପରି ଖଟ, ବିଛଣା ଚଦର, ତକିଆ, ବାଲ୍ଟି, ମଗ ସହିତ ଟୁଥବ୍ରସଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟକର ସକାଳ ଜଳଖିଆ, ମଧ୍ୟାହ୍ନ ଓ ରାତି ଭୋଜନ ଆଦି ସରକାରଙ୍କ ପକ୍ଷରୁ ମାଗଣାରେ ଅନ୍ତେବାସୀମାନଙ୍କୁ ଯୋଗାଇ ଦିଆଯିବ । ତେବେ କେନ୍ଦ୍ର ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି କରିଥିବା ଗାଇଡ଼ ଲାଇନ ଜିଲ୍ଲା ପ୍ରଶାସନକୁ ଅଡ଼ୁଆ ମଧ୍ୟକୁ ଟାଣି ନେଇଛି । ଜିଲ୍ଲାର ସମସ୍ତ ଟିଏମ୍ସି ଗୁଡ଼ିକରେ ଉପଲବ୍ଧ ଶଯ୍ୟାରେ ଏତେସଂଖ୍ୟକ ପ୍ରବାସୀଙ୍କୁ ରଖାଯିବା ସମ୍ଭବ ହୋଇନପାରେ ବୋଲି ଚର୍ଚ୍ଚା ହେଉଛି। ଏନେଇ ଜିଲ୍ଲାପ୍ରଶାସନ ଆଗୁଆ ପ୍ରସ୍ତୁତ ହେବା ନିମନ୍ତେ ସାଧାରଣରେ ଦାବି ହୋଇଛି। କାରଣ ଦିନ ବଢ଼ିବା ସାଙ୍ଗକୁ ପ୍ରବାସୀଙ୍କ ପଞ୍ଜିକରଣ ମଧ୍ୟ ବଢ଼ିବାରେ ଲାଗିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/mayurbhanj-Quarantine-Centre-1.jpg)