ବାହାର ରାଜ୍ୟରୁ ମାଲକାନଗିରି ଫେରୁଥିଲେ ସଂଗରୋଧ ବାଧ୍ୟତାମୂଳକ, ସଂଗରୋଧରେ ରହିବେ ୭ ଦିନ

ମାଲକାନଗିରି: କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲା ପ୍ରଶାସନ କଟକଣା ଜାରି କରିଛି। ବାହାର ରାଜ୍ୟରୁ ମାଲକାନଗିରି ଫେରୁଥିଲେ ସଙ୍ଗରୋଧ ବାଧ୍ୟତାମୂଳକ ବୋଲି କହିଛି । ବାହାର ରାଜ୍ୟ ଫେରନ୍ତାଙ୍କୁ ୭ ଦିନିଆ ବାଧ୍ୟତାମୂଳକ ସଂଗରୋଧରେ ରହିବାକୁ ହେବ ।  

ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକା ଅନୁସାରେ ଛୁଟିରେ ଗଲେ ଜିଲ୍ଲାସ୍ତରୀୟ ଅଧିକାରୀ ଗସ୍ତସୂଚୀ ଦେବେ। ଏନଫୋର୍ସମେଣ୍ଟ କଡାକଡି ପାଇଁ ତହସିଲଦାର, ବିଡିଓଙ୍କୁ ନିର୍ଦ୍ଦେଶ ହୋଇଛି । ସ୍ୱତନ୍ତ୍ର ଫିଭର କ୍ଲିନିକ ଖୋଲିବାକୁ ସିଡିଏମଓଙ୍କୁ ନିର୍ଦ୍ଦେଶ ହୋଇଛି। ମାଲକାନଗିରି, ମାଥିଲି, କାଲିମେଳା ଠାରେ ସ୍ୱତନ୍ତ୍ର ଫିଭର କ୍ଲିନିକ ଖୋଲାଯିବ। ବଡ କଥା ହେଉଛି ବିବାହ, ଶ୍ରାଦ୍ଧ, ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଆଉ ଅଧିକ ଲୋକଙ୍କୁ ଅନୁମତି ନାହିଁ । ଉତ୍ସବ ପାଇଁ ମାତ୍ର ୨୦୦ ଲୋକଙ୍କୁ ଅନୁମତି ମିଳିବ ।

ମାଲକାନଗିରିରେ ଆଜିଠାରୁ ନାଇଟ କର୍ଫ୍ୟୁ ଲାଗୁ ହୋଇଛି। ନାଇଟ କର୍ଫ୍ୟୁ ଲାଗୁ କରିବାକୁ ସୋମବାର ଘୋଷଣା କରିଥିଲା ଜିଲ୍ଲା ପ୍ରଶାସନ । ଜିଲ୍ଲାରେ କୌଣସି ସକ୍ରିୟ ମାମଲା ନଥିବାବେଳେ ବଡଯାତ୍ରାକୁ ଦୃଷ୍ଟିରେ ରଖି ଆଜି ରାତି ୯ଟାରୁ  ମାର୍ଚ୍ଚ ୩୧ ତାରିଖ  ମଧ୍ୟରାତ୍ରି ଯାଏଁ ଏହି ନାଇଟ କର୍ଫ୍ୟୁ ବଳବତ୍ତର ରହିବ । ରାତି ୯ଟାରୁ ସକାଳ ୬ଟା ଯାଏଁ ନାଇଟ କର୍ଫ୍ୟୁ ଜାରି କରାଯାଇଛି ।

 

ସମ୍ବନ୍ଧିତ ଖବର