କ୍ୱାରାଣ୍ଟିନ୍‌ରେ ୨୨୩ ସୁରତ ଫେରନ୍ତା, ସ୍ୱାବ୍ ଟେଷ୍ଟ୍ ପାଇଁ ୨୨ଜଣଙ୍କ ନମୁନା ସଂଗ୍ରହ, ରାତାରାତି ସମସ୍ତଙ୍କ ହେଲା ଥର୍ମାଲ୍ ସ୍କ୍ରିନିଂ

ଆଉ ୧୮ ବସ୍‌ ସୁରତ ଛାଡ଼ିଲା, ଅନୁମତି ଅପେକ୍ଷାରେ ୭୦ ବସ୍‌

ସକାଳେ ସ୍ବାସ୍ଥ୍ୟପରୀକ୍ଷା ପାଇଁ ଡାକିଲେ ବି ଆସିଲେନି
ପର୍ଯ୍ୟାୟ କ୍ରମେ ସମସ୍ତଙ୍କ ସ୍ବାବ୍ ପରୀକ୍ଷା ହେବ: ସିଡିଏମ୍‌ଓ

ଭଞ୍ଜନଗର/ଶେରଗଡ଼/ଧରାକୋଟ : ଗୁଜରାଟର ସୁରତରୁ ୨୨୩ ଶ୍ରମିକଙ୍କୁ ନେଇ ଫେରିଥିବା ୪ଟି ବସ୍ ଗତକାଲି ବିଳମ୍ବିତ ରାତିରେ ଗଞ୍ଜାମରେ ପହଞ୍ଚିବା ପରେ ସମସ୍ତଙ୍କୁ ୨ଟି କ୍ବାରାଣ୍ଟିନ୍ ହୋମ୍‌ରେ ରଖାଯାଇଛି। ସେମାନଙ୍କ ମଧ୍ୟରୁ ୨୨ଜଣ ଅସୁସ୍ଥ ଥିବାରୁ ସେମାନଙ୍କ ସ୍ବାବ୍ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ସୁରତରୁ ଆହୁରି ଅଧିକ ଓଡ଼ିଆ ଶ୍ରମିକ ବସ୍‌ ଯୋଗେ ଫେରୁଥିବାରୁ ଏହା ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ୍ ପାଲଟିଛି।

ବୁଧବାର ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ପୁଲିସ ଏସ୍‌କର୍ଟରେ ୨ଟି ବସ୍‌ ଶେରଗଡ଼ ଆଦର୍ଶ ବିଦ୍ୟାଳୟ ଏବଂ ୨ଟି ବସ୍ ଧରାକୋଟ କୁଶଗୁମା ଆଦର୍ଶ ବିଦ୍ୟାଳୟରେ ଲାଗିଥିଲା। ସେଠାରେ ପ୍ରାଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ସମସ୍ତଙ୍କ ଥର୍ମାଲ୍ ସ୍କ୍ରିନିଂ କରାଯାଇଥିଲା। ଏହାପରେ ୨୨ ଅସୁସ୍ଥଙ୍କୁ କୋଭିଡ୍‌ ଆମ୍ବୁଲାନ୍ସ୍ ଯୋଗେ ବ୍ରହ୍ମପୁରର ବିଜୁ ପଟ୍ଟନାୟକ ହୋମିଓପ୍ୟାଥିକ୍ କଲେଜସ୍ଥିତ ନମୁନା ସଂଗ୍ରହ କେନ୍ଦ୍ରକୁ ଅଣାଯାଇଥିଲା। ଶେରଗଡ଼ ଆଦର୍ଶ ବିଦ୍ୟାଳୟ ସଙ୍ଗରୋଧ ଗୃହରେ ଥିବା ୧୧୪ଜଣଙ୍କ ମଧ୍ୟରୁ ୭ଜଣ ଓ ଧରାକୋଟର କୁଶଗୁମା ଆଦର୍ଶ ବିଦ୍ୟାଳୟ ସଙ୍ଗରୋଧରେ ଥିବା ୧୦୯ ଜଣଙ୍କ ମଧ୍ୟରୁ ୧୫ଜଣଙ୍କ ସ୍ବାବ୍ ପରୀକ୍ଷା ପାଇଁ ପଠାଯାଇଥିଲା। ସମସ୍ତଙ୍କୁ ବର୍ତ୍ତମାନ ପୁଲିସ ସୁରକ୍ଷା ବଳୟରେ ସଙ୍ଗରୋଧ ଗୃହରେ ରଖାଯାଇଥିବା ବେଳେ କେବଳ ସେମାନଙ୍କ ଦେଖାଶୁଣା ଓ ଅନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଦାୟିତ୍ବରେ ଥିବା ପ୍ରାଶାସନିକ ଅଧିକାରୀଙ୍କୁ ପ୍ରବେଶ ଅନୁମତି ଦିଆଯାଇଛି। ପରିବାରବର୍ଗଙ୍କ ସମେତ ଅନ୍ୟ ବାହାର ବ୍ୟକ୍ତିଙ୍କ ପ୍ରବେଶକୁ କଡ଼ାକଡ଼ି ନିଷେଧ କରାଯାଇଥିବା ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ୍ କହିଛନ୍ତି।

ଅନ୍ୟପକ୍ଷରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ଉମାଶଙ୍କର ମିଶ୍ର କହିଛନ୍ତି, ପର୍ଯ୍ୟାୟ କ୍ରମେ ସମସ୍ତଙ୍କ ସ୍ବାବ୍ ନମୁନା ପରୀକ୍ଷା ହେବ। ଏହି ପ୍ରକ୍ରିୟା ଜାରି ରହିବ।

ଗତକାଲି ରାତି ୧୦ଟା ୪୫ ମିନିଟ୍‌ରେ ୪ଟି ବସ୍ ଗଞ୍ଜାମ ଜିଲ୍ଲାରେ ପ୍ରବେଶ କରିବା ପରେ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସୀମାନ୍ତ ଦୁର୍ଗାପ୍ରସାଦଠାରେ ସେମାନଙ୍କ ବିସ୍କୁଟ୍ ଓ ପାଣି ଦିଆଯାଇଥିଲା। ଏହାପରେ ପୁଲିସ ଏବଂ ଭଞ୍ଜନଗର ତହସିଲଦାର ଆଲୋକ କୁମାର ପ୍ରଧାନ ଏସ୍‌କର୍ଟ କରି ୪ଟି ବସ୍‌କୁ ଆସିକା କାଳଷଣ୍ଢପୁର ଛକରେ ଛାଡ଼ିଥିଲେ। ରାତି ପ୍ରାୟ ସାଢ଼େ ଗୋଟାଏରେ ୨ଟି ବସ୍ ଧରାକୋଟ ଓ ୨ଟି ଶେରଗଡ଼ରେ ପହଞ୍ଚିଥିଲା।

ଆଉ ୧୮ ବସ୍‌ ସୁରତ ଛାଡ଼ିଲା, ଅନୁମତି ଅପେକ୍ଷାରେ ୭୦ ବସ୍‌
ବ୍ରହ୍ମପୁର : ଗୁଜରାଟର ସୁରତ ସୂତାକଳରେ କାମ କରୁଥିବା ଓଡ଼ିଆ ଶ୍ରମିକଙ୍କ ଘର ବାହୁଡ଼ା ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ସୁରତରୁ ୪ଟି ବସ୍‌ ଯୋଗେ ୨୨୩ଜଣ ଶ୍ରମିକ ଗଞ୍ଜାମକୁ ଫେରିବା ପରେ କ୍ବାରାଣ୍ଟିନ୍‌ରେ ରହିଛନ୍ତି। ଦ୍ବିତୀୟ ଦଫାରେ ଯେଉଁ ୪ଟି ବସ୍‌ ଛାଡ଼ିଥିଲା, ଯାହା ଶୁକ୍ରବାର ଭୋର୍‌ ସୁଦ୍ଧା ପହଞ୍ଚିବ। ଆଜି ପୁଣି ତୃତୀୟ ପର୍ଯ୍ୟାୟରେ ୧୮ଟି ବସ୍‌ ଓଡ଼ିଶା ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ସେଥିରୁ ୧୫ଟି ବସ୍‌ ଗଞ୍ଜାମ ଆସୁଥିବା ସୂଚନା ମିଳିଛି। ଆସନ୍ତା ଦିନେ ଦୁଇ ଦିନ ଭିତରେ ସୁରତ୍‌ରୁ ଆହୁରି ୭୦ଟି ବସ୍‌ ଓଡ଼ିଶା ଅଭିମୁଖେ ଛାଡ଼ିବ।

ଗତକାଲି ରାତିରେ ୩୬ଜଣ ଯାତ୍ରୀଙ୍କୁ ନେଇ ଏକ ବସ୍‌ ଭଦ୍ରକ ଅଭିମୁଖେ ବାହାରିଛି। ଆଜି ସନ୍ଧ୍ୟାରେ ଦୁଇଟି ବସ୍‌ ୫୭ଜଣ‌ ଲେଖାଏଁ ଯାତ୍ରୀ ନେଇ ତିହିଡ଼ି ବ୍ଲକ ଶ୍ୟାମସୁନ୍ଦର ପଞ୍ଚାୟତ ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ସୂଚନା ମିଳିଛି। ସେହିପରି ଆଉ ଏକ ବସ୍‌ ସୁରତ ଆମ୍ରୋଲି ଅଞ୍ଚଳରୁ ୫୭ ଜଣଙ୍କୁ ନେଇ ଗଞ୍ଜାମର ପୁରୁଷୋତ୍ତମପୁର ଅଭିମୁଖେ ଛାଡ଼ିଥିବା ସୂଚନା ମିଳିଛି।

ପ୍ରବାସୀ ଓଡ଼ିଆ ସମାଜ ଆନୁକୂଲ୍ୟରେ ୪ଟି ବସ୍‌ ସୁରତରୁ ଛାଡ଼ିଛି।

ସୁରତ୍‌ ଓଡ଼ିଆ ସମାଜର ଶ୍ରୀକାନ୍ତ ରାଉତଙ୍କ ତତ୍ତ୍ବାବଧାନରେ ଆଜି ରାତିରେ ୧୦ଟି ବସ୍‌ ଗଞ୍ଜାମ ଅଭିମୁଖେ ଛାଡ଼ିଛି। ସୁରତ୍‌ ପାଣ୍ଡେସରାରୁ କବିସୂର୍ଯ୍ୟନଗରକୁ ଗୋଟିଏ, ଶେରଗଡକୁ ୨ଟି, ଆସିକାକୁ ୩ଟି ଓ ପୁରୁଷୋତ୍ତମପୁରକୁ ଗୋଟିଏ ବସ୍‌ ଛାଡ଼ିଛି। ସେହିପରି ସୁରତ କେଡିଆରନଗର ଭଟାରରୁ ୨ଟି ଏବଂ ଡାଇମଣ୍ଡ୍‌ ନଗରରୁ ଛତ୍ରପୁରକୁ ଗୋଟିଏ ବସ୍‌ ଛାଡ଼ିଥିବା ଶ୍ରୀ ରାଉତ ସୂଚନା ଦେଇଛନ୍ତି। ଆଉ ୨୦ଟି ବସ୍‌କୁ ସୁରତ୍‌ ପ୍ରଶାସନ ପକ୍ଷରୁ ଅନୁମତି ମିଳିଥିବା ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର