ଭୁବନେଶ୍ବର : ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଦଳକୁ ପୁଣି ଥରେ ଗ୍ରାସ କଲାଣି ଦଳୀୟ କନ୍ଦଳ। ଏଥର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ଶୃଙ୍ଖଳା କମିଟି ଅଧ୍ୟକ୍ଷ ହେମାନନ୍ଦ ବିଶ୍ୱାଳ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ମଧ୍ୟରେ ଅଭିଯୋଗ ପ୍ରତ୍ୟାଭିେଯାଗ ଚର୍ଚ୍ଚାର ବିଷୟ ହୋଇଛି।
ଆଜି ହେମାନନ୍ଦଙ୍କୁ ସମାଲୋଚନା କରି କାହ୍ନୁଚରଣ କହିଚନ୍ତି, ଶୃଙ୍ଖଳା କମିଟି ଅଧ୍ୟକ୍ଷ ନିଜେ ଦଳର ଶୃଙ୍ଖଳା ଭଙ୍ଗ କରିଛନ୍ତି। ସୁନ୍ଦରଗଡର ଲୋକସଭା ଟିକେଟ୍ ବଣ୍ଟନ ପ୍ରସଙ୍ଗ ଉଠାଇ ସେ କହିଲେ ଯେ ହେମାନନ୍ଦ ପ୍ରଥମେ ନିଜ ପାଇଁ ଟିକେଟ୍ ମାଗିଥିଲେ। ତାଙ୍କୁ ନ ମିଳିଲେ ତାଙ୍କ ବଡ ଝିଅଙ୍କୁ ଟିକେଟ୍ ଦେବାକୁ ହାଇକମାଣ୍ଡ ପାଖରେ ଦାବି କରିଥିଲେ। ତାଙ୍କର ଏଭଳି କାର୍ଯ୍ୟକଳାପ ନିନ୍ଦନୀୟ। ଏହାର ଜବାବରେ ହେମାନନ୍ଦ କହିଛନ୍ତି, କାହ୍ନୁ ଲେଙ୍କା ମିଛ କହୁଛନ୍ତି। ଝିଅର ଟିକେଟ ପାଇଁ କାହାକୁ ସେ ଅନୁରୋଧ କରି ନାହାଁନ୍ତି।
ଉଲ୍ଲେଖଯୋଗ୍ୟ, ବିଧାନସଭା ନିର୍ବାଚନରେ ମାତ୍ର ୯ଟି ବିଧାନସଭା ଆସନ ଓ ଗୋଟିଏ ଲୋକସଭା ଆସନରୁ ବିଜୟୀ ହୋଇଥିବା କଂଗ୍ରେସ ଦଳ ପରାଜୟର ସମୀକ୍ଷା କରୁଛି। ଗତ ୩୦ ତାରିଖରେ କଂଗ୍ରେସ ଭବନରେ ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ଉପସ୍ଥିତିରେ ଏ ନେଇ ମାନସ ମନ୍ଥନ ହୋଇଥିଲା। ସେପଟେ କଂଗ୍ରେସ ପରାଜୟର ସମୀକ୍ଷା ପାଇଁ ୨୧ ଜଣିଆ କମିଟି ଗଠନ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଏହି କମିଟିର ଅଧ୍ୟକ୍ଷ ରହିଛନ୍ତି ନରସିଂହ ମିଶ୍ର। ଏହିଭଳି ମୁହୂର୍ତରେ ଦଳ ସଂଗଠିତ ହୋଇ ଆଗାମୀ ଦିନରେ ମୁଣ୍ଡ ଟେକିବ କ’ଣ, ବରିଷ୍ଠ ନେତାମାନଙ୍କ ମଧ୍ୟରେ କଳି ଯୋଗୁଁ କଂଗ୍ରେସ ଦଳ ଆହୁରି ନିମ୍ନଗାମୀ ହେବାର ଆଶଙ୍କା ରହିଛି।