ସରକାରଙ୍କ ବିରୋଧରେ ବିଭିନ୍ନ ବ୍ଲକ୍ ସାମ୍ନାରେ ପ୍ରତିବାଦ
ଥାନାରେ ବିଜେପିର ଏତଲା, ଗାଁରେ ବିରୋଧ ପାଇଁ ଆହ୍ବାନ
ଭୁବନେଶ୍ବର : ‘‘ଦୀର୍ଘ ୨୧ ବର୍ଷ ଧରି ରାଜ୍ୟରେ ଦୁର୍ନୀତି ଓ ଭ୍ରଷ୍ଟାଚାରର ଶାସନ ଚାଲିଛି। ୨୦୧୯ ମସିହାରେ ୨୭ ଲକ୍ଷ ଗ୍ରାମୀଣ ଲୋକଙ୍କ କଚ୍ଚା ଘରକୁ ପକ୍କା ଘର କରିବା ପାଇଁ ରାଜ୍ୟ ସରକାର ବିଧାନସଭାରେ କହିଥିଲେ। କିନ୍ତୁ ଏ ଯାବତ୍ ସେ ପ୍ରତିଶ୍ରୁତି ପୂରଣ ହୋଇପାରିଲା ନାହିଁ। ଆଉ ଏବେ ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା’ର ଫଳକରେ ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା’ ଲେଖି ଷ୍ଟିକର ମାରୁଛନ୍ତି ଏବଂ ତଳେ ବିଜୁ ବାବୁଙ୍କ ଫଟୋ ସହ ‘ବିଜୁ ପକ୍କା ଘର ଯୋଜନା’ ଲେଖାଯାଉଛି।
ଏଭଳି ଅଭିଯୋଗ ଆଣି ଆଜି ବିଜେପି ସାରା ରାଜ୍ୟରେ ଆନ୍ଦୋଳନ ଆରମ୍ଭ କରିଛି। ଦଳ କହିଛି ଯେ କେନ୍ଦ୍ରୀୟ ଯୋଜନାକୁ ହଡ଼ପ କରିବା ଏବଂ ଖୋଦ୍ ମୁଖ୍ୟମନ୍ତ୍ରୀ ହିତାଧିକାରୀଙ୍କୁ ବିଜୁ ବାବୁଙ୍କ ସ୍ୱପ୍ନ ପୂରଣ ହୋଇଛି ଦର୍ଶାଇ ହିତାଧିକାରୀଙ୍କୁ ଚିଠି ଲେଖାଯିବା ଦୁର୍ଭାଗ୍ୟଜନକ। ଏହା ବିରୋଧରେ ରାଜ୍ୟର ବିଭିନ୍ନ ବ୍ଲକ୍ ସମ୍ମୁଖରେ ବିଜେପି କାର୍ଯ୍ୟକର୍ତା ମୁଖ୍ୟମନ୍ତ୍ରୀଙ୍କ ‘ପ୍ରବଞ୍ଚନାପୂର୍ଣ୍ଣ ଚିଠି’କୁ ଚିରିଛନ୍ତି ଓ ସେଥିରେ ନିଆଁ ଲଗାଇଛନ୍ତି।
ବିଜେପି କହିଛି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେନ୍ଦ୍ର ସରକାରଙ୍କର ଏକ ବହୁମୁଖୀ ଯୋଜନା। ଏହି ଯୋଜନାରେ ବ୍ୟାପକ ଅର୍ଥ କେନ୍ଦ୍ରସରକାର ରାଜ୍ୟକୁ ପଠାଉଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡେ ପାଇବାକୁ ହେଲେ ଶାସକ ଦଳର ନେତାମାନଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ଦେବାକୁ ପଡୁଛି। କିନ୍ତୁ ରାଜ୍ୟ ସରକାର ଏଠି କେନ୍ଦ୍ରୀୟ ଯୋଜନାକୁ ହଡ଼ପ କରିବା ପାଇଁ ଷଡ଼୍ଯନ୍ତ୍ର ଚଳାଇଛନ୍ତି।
ପୂର୍ବରୁ ୧୦୮ ଆମ୍ବୁଲାନ୍ସକୁ ନିଜ ଯୋଜନା କହି ବ୍ରାଣ୍ଡିଂ କରିଥିବା ରାଜ୍ୟ ସରକାର ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହଡ଼ପ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ବିଜେପି ନେତାମାନେ ଗର୍ଜିଛନ୍ତି। ଦଳ କହିଛି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୦୧୭-୧୮ରେ କେନ୍ଦ୍ର ସରକାର ୬୨୧୮ କୋଟି ଟଙ୍କା ଦେଇଥିବାବେଳେ ବିଜୁ ପକ୍କା ଘର ଯୋଜନାରେ ମାତ୍ର ୬୬୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି ଯାହାକି ମାତ୍ର ୧୦ ପ୍ରତିଶତ ଥିଲା। ୨୦୧୮-୧୯ରେ କେନ୍ଦ୍ର ସରକାର ୪୯୨୫ କୋଟି ଦେଇଥିବାବେଳେ ରାଜ୍ୟ ସରକାର ୮୩୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ଯାହାକି ମାତ୍ର ୧୫ ପ୍ରତିଶତ। ୨୦୧୯-୨୦ରେ କେନ୍ଦ୍ର ସରକାର ୨୭୬୫ କୋଟି ଟଙ୍କା ଅନୁଦାନ ପଠାଇଥିବା ସମୟରେ ରାଜ୍ୟ ସରକାର ୨୦୮ କୋଟି ଯାହା ମାତ୍ର ୭ ପ୍ରତିଶତ।
ବିଜେପି ନେତାମାନେ ଆହୁରି କହିଛନ୍ତି ଯେ ଘର ନିର୍ମାଣ ହୋଇଥିବା ସମସ୍ତ ଗରିବ ଲୋକଙ୍କର ସୂଚନା ସଂଗ୍ରହ କରାଯାଉଛି। ଏହି ଫର୍ମରେ ଘର ଠିକଣାଠୁ ଆରମ୍ଭ କରି ବ୍ୟାଙ୍କ ଆକାଉଣ୍ଟ ନମ୍ବର, ଆଇଏଫ୍ଏସ୍ସି କୋର୍ଡ ଇତ୍ୟାଦି ତଥ୍ୟ ସଂଗ୍ରହ କରାଯାଇ କୁହାଯାଉଛି ଯେ, ପଂଚାୟତ ନିର୍ବାଚନ ପୂର୍ବରୁ ତୁମ ଘର ମରାମତି ପାଇଁ ନବୀନ ବାବୁ ୧୦ ହଜାର ଟଙ୍କା ପଠାଇବେ। ଏପରି ଲୋକଙ୍କୁ ଭୁଆଁ ବୁଲାଇ ଆଗାମୀ ନିର୍ବାଚନ ଜିତିବା ପାଇଁ ଅପଚେଷ୍ଟା କରିବା ବିରୋଧରେ ଓଡ଼ିଶାର ଜନତା ଜବାବ ଦେବେ।
ଉଲ୍ଲେଖଥାଉକି, ୨୦୨୨ ସୁଦ୍ଧା ଓଡ଼ିଶାର ପ୍ରତିଟି ଯୋଗ୍ୟ ହିତାଧିକାରୀକୁ ପକ୍କା ଘର ଯୋଗାଇବାର ଲକ୍ଷ୍ୟ ଦିଗରେ ବିଜେପି କାର୍ଯ୍ୟ କରିବ ବୋଲି ନେତାମାନେ ଏହି ଅବସରରେ ସୂଚନା ଦେଇଛନ୍ତି। କେବଳ ସେତିକି ନୁହେଁ, ହିତାଧିକାରୀଙ୍କୁ ଘର ନମିଳିବା ପର୍ଯ୍ୟନ୍ତ ଷ୍ଟିକର ମରା ବା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ବ୍ୟାଙ୍କ ଆକାଉଣ୍ଟ ସୂଚନା ସଂଗ୍ରାହକମାନଙ୍କୁ ଗାଁରେ ପୂରାଇ ନଦେବାକୁ ଦଳ ତରଫରୁ ଆହ୍ୱାନ ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ନେତୃବୃନ୍ଦ, ବିଧାୟକଙ୍କ ସମେତ ସ୍ଥାନୀୟ ନେତାମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/pm-awas.jpg)