ପୁରୀ : ମାଉସୀ ମା’ଙ୍କ ପୋଡ଼ପିଠାର ମହାତ୍ମ୍ୟ ଅନେକ। କିନ୍ତୁ ଆଜି ମାଉସୀ ମା’ଙ୍କ ପୋଡ଼ପିଠାକୁ ନେଇ ବଡ଼ଦାଣ୍ଡରେ ଦୁଇ ପୂଜକ ପିଟାପିଟି, ଧସ୍ତାଧସ୍ତି ହୋଇଛନ୍ତି। ଫଳରେ ପୋଡ଼ ପିଠା ଭର୍ତ୍ତି କୁଡ଼ୁଆ ରାସ୍ତାରେ ପଡ଼ି ଭାଙ୍ଗିଯିବା ସହ ପୋଡ଼ପିଠା ଏଣେତେଣେ ବିଛାଡ଼ି ହୋଇ ପଡ଼ିଥିଲା। ବଡ଼ଦାଣ୍ଡରେ ମାଉସୀ ମା’ ମନ୍ଦିର ସମ୍ମୁଖରେ ମା’ ସୁଭଦ୍ରାଙ୍କ ଦେବଦଳନ ରଥ ଆଗରେ ଏଭଳି ଘଟଣା ଘଟିଥିବାବେଳେ ଏହି ଗଣ୍ଡଗୋଳ ଏବେ ଥାନାରେ ପହଞ୍ଚିଛି। ବଂଶାନୁକ୍ରମିକ ଭାବେ ମାଉସୀ ମା’ଙ୍କ ପୂଜକ ବୋଲି ଦାବି କରୁଥିବା ମନୋରଂଜନ ମିଶ୍ର ଏ ସମ୍ପର୍କରେ କୁମ୍ଭାରପଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେ‌ପଟେ ମାଉସୀ ମା’ଙ୍କ କିଏ ପ୍ରକୃତ ପୂଜକ, ତାକୁ ନେଇ ବିବାଦ ଚାଲିବା ସହ କୋର୍ଟରେ ମାମଲା ବିଚାରାଧୀନ ଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ ଏହି ବିବାଦରେ ଘିଅ ଢ଼ାଳିଥିବା ଅଭିଯୋଗ ହୋଇଛି। କୋର୍ଟରେ ମାମଲା ବିଚାରାଧୀନ ଥିଲେ ବି ଗୋଟିଏ ପକ୍ଷକୁ ପୋଡ଼ପିଠା ବାବଦ ଅର୍ଥ ରାଶି ପ୍ରଦାନ ପାଇଁ ଚିଠି କରି ଏଭଳି ବିବାଦକୁ ଆହୁରି ତୀବ୍ର କରିଥିବା ଅଭିଯୋଗ ହୋଇଛି।

Advertisment

publive-image

ମାଉସୀ ମା’ଙ୍କ ପୋଠପିଠାକୁ ନେଇ ମନୋରଂଜନ ମିଶ୍ର ଓ ବିଶ୍ବନାଥ ମିଶ୍ରଙ୍କ ଭିତରେ ବହୁଦିନରୁ ବିବାଦ ଲାଗି ରହିଛି। ମନୋରଂଜନ ନିଜକୁ ମାଉସୀ ମା’ଙ୍କ ବଂଶାନୁକ୍ରମିକ ପୂଜକ ଦାବି କରି ପୋଡ଼ପିଠା ଲାଗି ତାଙ୍କ ଅଧିକାରଭୁକ୍ତ ବୋଲି ଦାବି କରି ଆସୁଥିବା ବେଳେ ସମାନ ଦାବି କରିଛନ୍ତି ବିଶ୍ବନାଥ। ସେ ବି ମାଉସୀ ମା’ଙ୍କ ବଂଶାନୁକ୍ରମିକ ପୂଜକ ଓ ପୋଡ଼ପିଠା ଲାଗି ତାଙ୍କ ଅଧିକାରଭୁକ୍ତ ବୋଲି ଦାବି କରି ଆସୁଛନ୍ତି। ଏଣୁ ପ୍ରତିବର୍ଷ ବାହୁଡ଼ାଯାତ୍ରାରେ ପୋଡ଼ପିଠା ଲାଗି ବେଳେ ବିବାଦ ଦେଖାଦିଏ। କିନ୍ତୁ ଆଜି ଏହି ବିବାଦ ଅଧିକ ଉଗ୍ରରୂପ ନେଇଥିଲା। ବିଶ୍ବନାଥ ମାଉସୀ ମା’ ମନ୍ଦିର ସମ୍ମୁଖରେ ସପରିବାର ପୋଡ଼ପିଠା ଲାଗି ପାଇଁ ଛିଡ଼ା ହୋଇଥିବା ବେଳେ ମନୋରଂଜନ ମାଉସୀ ମା’ ମନ୍ଦିର ନିକଟରେ ପୋଡ଼ପିଠା ଲାଗି ପାଇଁ ସପରିବାର ଛିଡ଼ା ହୋଇଥିଲେ। ବଡ଼ ଠାକୁରଙ୍କୁ ପୋଡ଼ପିଠା ସମର୍ପଣ ପରେ ମା’ ସୁଭଦ୍ରାଙ୍କ ରଥକୁ ପୋଡ଼ପିଠା ସମର୍ପଣ ବେଳେ ଦୁଇପକ୍ଷ ଭିତରେ ବିବାଦ ଦେଖା ଦେଇଥିଲା। ଦୁଇପକ୍ଷ ଠେଲାପେଲା, ମାଡ଼ଗୋଳ ହୋଇଥିଲେ। ଧସ୍ତାଧସ୍ତିରେ ମନୋରଂଜନଙ୍କ ପୋଡ଼ପିଠା ଭର୍ତ୍ତି ହାଣ୍ଡି ତଳେ ପଡ଼ି ଭାଙ୍ଗି ଯାଇଥିଲା। ପରେ ପୁଲିସ ପହଞ୍ଚି ଦୁଇପକ୍ଷଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ପରେ ଏ ସମ୍ପର୍କରେ ମନୋରଂଜନ କୁମ୍ଭାରପଡ଼ା ଥାନାରେ ବିଶ୍ବନାଥ ଓ ତାଙ୍କ ପରିବାରଙ୍କ ନାମରେ ଅଭିଯୋଗ କରିଛନ୍ତି। ମାଡ଼ଗୋଳ ବେଳେ ତାଙ୍କ ସ୍ତ୍ରୀ ଓ ପିଲାଙ୍କ ସୁନା ଅଳଙ୍କାର ଚୋରି ହୋଇଯାଇଥିବା ମନୋରଂଜନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।