ଅସନ୍ତୋଷ ପ୍ରକାଶ କଲେ ସୁରେଶ ଓ ସାଲୁଜା
ନରସିଂହ ଦୋହରାଇଲେ, ଐତିହାସିକ ସଫ​ଳତା

Advertisment

ଭୁବନେଶ୍ୱର : ପରୀ ହତ୍ୟା ପ୍ରସଙ୍ଗରେ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଏବଂ ସିବିଆଇ ତଦନ୍ତ ଦାବିରେ ବିଜେପି ନୟାଗଡରୁ ନୂଆଦିଲ୍ଲୀ ଯାଏ ଆନ୍ଦୋଳନ କାର୍ଯ୍ୟକ୍ରମ ହାତକୁ ନେଇଛି। ଏପଟେ ଏହି ଘଟଣାକୁ ନେଇ କଂଗ୍ରେସରେ କଳି ଲାଗିଲାଣି। କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ ଏବଂ ସନ୍ତୋଷ ସିଂହ ସାଲୁଜା ଦଳର ବିଧାନସଭା ରଣନୀତି ନେଇ ଗଣମାଧ୍ୟମ ସମ୍ମୁଖରେ ଅସନ୍ତୋଷ ରଖିଛନ୍ତି। ପରୀ ପ୍ରସଙ୍ଗରେ ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ଏସ୍‌ଆଇଟି ତଦନ୍ତ ପଛରେ କଂଗ୍ରେସର ଚାପ ରହିଛି ଓ ଏହା ଏକ ସଫଳତା ବୋଲି ବିଧାୟକ ଦଳ ନେତା ନରସିଂହ ମିଶ୍ର ଦାବି କରିବାର ୪୮ ଘଣ୍ଟା ଭିତରେ ଅନ୍ୟ ବିଧାୟକ ଭିନ୍ନ ମତ ରଖିବା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି।

ଶ୍ରୀ ସାଲୁଜା ଆଜି ଗଣମାଧ୍ୟମକୁ କହିଛନ୍ତି, ପରୀ ପ୍ରସଙ୍ଗରେ ଗୃହରେ ଆମେ ଚୁପ ରହିବାର କାରଣ ହେଲା ସିଏଲପି ଲିଡ଼ର (କଂଗ୍ରେସ ବିଧାୟକ ଦଳ ନେତା) ଯେଉଁଟା କହିଲେ ତାକୁ ଆମେ ମାନିବାକୁ ବାଧ୍ୟ ହେଲୁ। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ସିବିଆଇ ତଦନ୍ତ ଓ ମନ୍ତ୍ରୀଙ୍କ ବହିଷ୍କାର ଦାବି କରି ଗୃହକୁ ଚଳାଇ ଦେଲେ ନାହିଁ। ସରକାର ଡରିକି ମାସକ ଆଗରୁ ବିଧାନସଭା ବନ୍ଦ କରିଦେଲେ। ତେଣୁ ସେମାନେ ଆଜି ନୟାଗଡ଼ ଯାଇଛନ୍ତି। ନିଶ୍ଚିତ ଭାବରେ ପରୀ ପ୍ରସଙ୍ଗରେ ବିଜେପି ମାଇଲେଜ ନେଇଛି ଓ ଆଗକୁ ବି ନେବ। କିନ୍ତୁ ସିଏଲପି ଲିଡର ଯାହା କହିବେ ଆମେ କହିବାକୁ ବାଧ୍ୟ ଓ କରିବାକୁ ବାଧ୍ୟ। ସିଏଲପି ଲିଡରଙ୍କ ନିଷ୍ପତ୍ତିରେ ମୁଁ ସନ୍ତୁଷ୍ଟ ନୁ‌ହେଁ, କିନ୍ତୁ ତାଙ୍କ ନିଷ୍ପତ୍ତିକୁ ଆମେ ମାନିବାକୁ ପଡ଼ିବ ବୋଲି ଶ୍ରୀ ସାଲୁଜା କହିଛନ୍ତି।

ସେହିପରି ଅନ୍ୟତମ ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ଆମେ ବିଧାନସଭାରେ ଜୋରଦାର ହଙ୍ଗାମା କରୁଥିଲୁ। ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସ୍‌ଆଇଟି ଗଠନ ହେବା କଥା କହିଲେ। ଆମ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେ ଯେ ମୁଖ୍ୟମନ୍ତ୍ରୀ ଆମ କଥା ରଖିଲେ, ଆମେ ଓହରିଯିବା। ଯେହେତୁ ନରସିଂହ ମିଶ୍ର ଆମ ନେତା, ଏଣୁ ସେ କହିବାରୁ ଆମେ ଓହରିଗଲୁ। ସେ ଆହୁରି କହିଛନ୍ତି ଯେ ପିସିସି ସଭାପତି କହିଥିଲେ, ପ୍ରତି ଜିଲ୍ଲାରେ ଆନ୍ଦୋଳନ କରାଯିବ। ଆମେ ସେହି ଅନୁସାରେ ପ୍ରସ୍ତୁତି ବି ଆରମ୍ଭ କରିଥିଲୁ। ହେଲେ ନରସିଂହ-ନିରଞ୍ଜନ କଥାହେଲେ, ଆମକୁ ଓହରିଯିବାକୁ କହିଲେ। ଏସଆଇଟି ତଦନ୍ତରେ ସେ ବ୍ୟକ୍ତିଗତ ଭାବେ ଖୁସିନଥିବା କହିଛନ୍ତି।

କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର କିନ୍ତୁ କହିଛନ୍ତି, ପରୀ ପ୍ରସଙ୍ଗରେ ସରକାର ଏସ୍‌ଆଇଟି ଗଠନ କରିବା କଂଗ୍ରେସର ଐତିହାସିକ ସଫଳତା। ବିଧାନସଭା ଇତିହାସରେ ଯାହା ହୋଇନି ତାହା ହେଲା। ରାଜ୍ୟ ସରକାର ହାଇକୋର୍ଟଙ୍କୁ ପୂର୍ବରୁ କେବେ ଏସ୍‌ଆଇଟି ଗଠନ ପାଇଁ ଲେଖିନଥିଲେ। ଆମ ଦାବିରେ ତାହା ହେଲା। ଓଡ଼ିଶାରେ ପରୀ ଖାଲି ଗୋଟିଏ ସମସ୍ୟା ନୁହଁ। ଆହୁରି ଅନେକ ସମସ୍ୟା ରହିଛି। ଯାହା ଉଚିତ ସେ ପଦକ୍ଷେପ ବିଧାନସଭାରେ ନିଆଯାଇଛି। କଂଗ୍ରେସର ଭୂମିକା ପରୀ ଘଟଣାରେ ଅତ୍ୟନ୍ତ ସ୍ପଷ୍ଟ ଥିଲା। ଯାହା ନିଷ୍ପତ୍ତି ହୋଇଛି ସବୁ ବିଧାୟକଙ୍କ ସହ ଆଲୋଚନା ମାଧ୍ୟମରେ କରାଯାଇଛି।

ଉଲ୍ଲେଖଥାଉକି, ପରୀ ପ୍ରସଙ୍ଗରେ କଂଗ୍ରେସ ଗର୍ଜନ କରିଥିଲା ଓ ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ଏସ୍‌ଆଇଟି ତଦନ୍ତ ଦାବି ରଖିଥିଲା। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରହଣ କରିଥିଲେ। ଏହାପରେ କଂଗ୍ରେସ ଶାନ୍ତ ପଡ଼ିଥିଲା। ହେଲେ ବିଜେପି କିନ୍ତୁ ତା’ ଦାବିରେ ଏଯାଏ ଅଟଳ ରହିଛି। ସରକାର ଏହି ପ୍ରସଙ୍ଗରେ ଇତିମଧ୍ୟରେ ଗୃହ ବିଭାଗ ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରି ହାଇକୋର୍ଟ ରେଜିଷ୍ଟାର ଜେନେରାଲଙ୍କୁ ଜଣାଇଛନ୍ତି ଓ ଜଣେ କାର୍ଯ୍ୟକାରୀ ବିଚାରପତିଙ୍କୁ ତତ୍ତ୍ବାବଧାନ ଲାଗି ଦାୟିତ୍ବ ଦେବା ପାଇଁ ମୁଖ୍ୟ ବିଚାରପତିଙ୍କୁ ଅନୁରୋଧ କରିଛନ୍ତି।